ରୁଚିକା ସେଲ୍ଟର ହୋମ୍‌ରେ ଆଶ୍ରୟ ନେଇଥିବା ମୁମ୍ବାଇ ନାବାଳିକା ପଜିଟିଭ୍, ବୁଧବାର‌ ଷ୍ଟେସନ୍‌ରୁ ଉଦ୍ଧାର ହୋଇଥିଲା

ନଁପୁଟ ପଞ୍ଚାୟତରେ ସେଲୁନ୍‌ ମାଲିକଙ୍କୁ କରୋନା, ଗଣମାଧ୍ୟମ କ୍ୟାମେରାମ୍ୟାନ୍‌ ସଂକ୍ରମିତ

ଭୁବନେଶ୍ବର : ରୁଚିକା ସେଲ୍ଟର ହୋମ୍‌ରେ ଆଶ୍ରୟ ନେଇଥିବା ମୁମ୍ବାଇର ଏକ ଅପରିଚିତ ନାବାଳିକା କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ତେଣୁ ତାକୁ ଆଜି ତୁରନ୍ତ କୋଭିଡ୍ କେୟାର୍‌ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ରୁଚିକା ସେଲ୍ଟର ହୋମ୍‌କୁ ସାନିଟାଇଜ୍ କରାଯାଇଛି। ଏଥିସହ ନାବାଳିକା ସଂସ୍ପର୍ଶରେ ଆସିଥିବା ରୁଚିକାର ୪ଜଣ ଓ ରେଳବାଇ ଚାଇଲ୍ଡ ଲାଇନ୍‌ର ୮ଜଣଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାନୁସାରେ, ମୁମ୍ବାଇରୁ କୌଣସି କାରଣରୁ ଟ୍ରେନ୍ ଯୋଗେ ଚାଲି ଆସିଥିବା ଏହି ୧୫ବର୍ଷୀୟା ନାବାଳିକାକୁ ଗତ ୧୫ ତାରିଖ ଦିନ ଭୁବନେଶ୍ବର ରେଳ ଷ୍ଟେସନ୍‌ରୁ ଉଦ୍ଧାର କରାଯାଇଥିଲା। ଷ୍ଟେସନ୍‌ରେ ବାଟବଣା ହୋଇ ବୁଲୁଥିବା ଅବସ୍ଥାରେ ରେଳବାଇ ଚାଇଲ୍ଡ ଲାଇନ୍ ସଦସ୍ୟମାନେ ତାକୁ ଉଦ୍ଧାର କରି ରୁଚିକା ସେଲ୍ଟର ହୋମ୍‌କୁ ସ୍ଥାନାନ୍ତର କରିଥିଲେ। ନାବାଳିକାକୁ ରୁଚିକା କ୍ବାରାଣ୍ଟିନ୍‌ କେନ୍ଦ୍ରରେ ରଖାଯାଇଥିଲା ଓ କରୋନା ସଂକ୍ରମିତ ଆଶଙ୍କାରେ ତା’ର ସ୍ବାବ୍ ନମୁନା ଯାଞ୍ଚ କରାଯାଇଥିଲା। ଆଜି ସନ୍ଧ୍ୟାରେ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପରାମର୍ଶକ୍ରମେ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

ନଁପୁଟ ପଞ୍ଚାୟତରେ ସେଲୁନ୍‌ ମାଲିକଙ୍କୁ କରୋନା
ଖଣ୍ଡଗିରି : ତମାଣ୍ଡୋ ଥାନା ନଁପୁଟ ପଞ୍ଚାୟତରେ ପୁଣି ଜଣେ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମହୁରା ବଜାରରେ ସେଲୁନ୍‌ କରିଥିବା ଏହି ଯୁବକ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ସେଠା‌ରେ ନିୟମିତ ଖିଅର ହେଉଥିବା ନଁପୁଟ ଓ ପଞ୍ଚୁପଲ୍ଲୀ ପଞ୍ଚାୟତବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ନଁପୁଟ ସରପଞ୍ଚ ସୁରେନ୍ଦ୍ର ଜଗଦେବ ସେଲୁନ୍‌ ମାଲିକଙ୍କ ପରିବାର ସଦସ୍ୟଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଏହି ପଞ୍ଚାୟତରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଭୁବନେଶ୍ବର ବୁଦ୍ଧନଗରର ସେହି ବ୍ୟକ୍ତିଜଣଙ୍କ କ୍ୟାନସର୍‌ ପୀଡ଼ିତ ଥିଲେ ଓ ନଁପୁଟରେ ତାଙ୍କ ଭିଣୋଇଙ୍କ ଘରେ ରହି ଏମ୍‌ସରେ ଚିକିତ୍ସିତ ହେଉଥିଲେ। ସେ କରୋନା ଚିହ୍ନଟ ହେବା ଠିକ୍ ଗୋଟିଏ ଦିନ ପୂର୍ବରୁ ତାଙ୍କ ଭିଣୋଇ ଏହି ସେଲୁନ୍‌ରେ ଖିଅର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ପରାମର୍ଶ ପରେ ସେଲୁନ୍‌ ମାଲିକ ଗତକାଲି ଖୋର୍ଦ୍ଧାରେ ତାଙ୍କ ସ୍ବାବ୍ ନମୁନା ଯାଞ୍ଚ କରାଇଥିଲେ ଓ ଆଜି ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା।

ଗଣମାଧ୍ୟମ କ୍ୟାମେରାମ୍ୟାନ୍‌ ସଂକ୍ରମିତ
ବ‌ାଲିଅନ୍ତା : ସରକଣା ପଞ୍ଚାୟତରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ବ୍ୟକ୍ତି ଭୁବନେଶ୍ବରର ଏକ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ଜଣେ ଜଣାଶୁଣା କ୍ୟାମେରାମ୍ୟାନ୍‌। ଗତକାଲି ତାଙ୍କ ସ୍ବାବ୍‌ ନମୁନା ‌ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେଣୁ ଆଜି ପୂର୍ବାହ୍ନରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗ୍ରାମର ୮ଟି ପରିବାର ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ ଗୃହ ସଂଗରୋଧରେ ରହିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏହି ସମସ୍ତ ପରିବାରଗୁଡ଼ିକର ମୋଟ୍‌ ୪୭ ସଦସ୍ୟଙ୍କର ସ୍ବାବ୍‌ ସଂଗ୍ରହ ପାଇଁ ସେମାନଙ୍କୁ ଡାକବଙ୍ଗଳା ସଂଗରୋଧ କେନ୍ଦ୍ରକୁ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସେହି ପରିବାରର ଘର କାନ୍ଥରେ ଷ୍ଟିକର୍‌ ଲଗାଯାଇଛି ଓ ପଞ୍ଚାୟତର ୫ , ୬ ଓ ୭ ନମ୍ବର ୱାର୍ଡ଼କୁ ୧୮ରୁ ୩୧ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସିଲ୍‌ କରି ଦିଆଯାଇଛି। ବାଲିଅନ୍ତା ଦମକଳ ବାହିନୀ ଆଜି ଏହି ୩ ୱାର୍ଡକୁ ସାନିଟାଇଜ୍‌ କରିବା ପରେ ସବୁ ପ୍ରବେଶପଥ ରାସ୍ତାରେ ବାଉଁଶ ଧଡ଼ା ବନ୍ଧା ଯାଇଛି।

ସମ୍ବନ୍ଧିତ ଖବର