ବାଣୀବିହାର କ୍ୟାମ୍ପସ୍‌ରେ କରୋନା! ପଶ୍ଚିମବଙ୍ଗରୁ ଆସିଥିବା ଶ୍ରମିକଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ

ଚିହ୍ନଟ ପରେ ବିଏମ୍‌ସି ମାରିଲା କ୍ବାରାଣ୍ଟିନ୍‌ ବୋର୍ଡ, କ୍ୟାମ୍ପସରେ କୋକୁଆ ଭୟ, ଉତ୍ତେଜନା

ଭୁବନେଶ୍ବର : ବାଣୀବିହାର କ୍ୟାମ୍ପସରେ ପଶିଲା କରୋନା। ଗତ ୧୪ ତାରିଖରେ କ୍ୟାମ୍ପସକୁ ଆସିଥିବା ୨୬ ଜଣ ପଶ୍ଚିମବଙ୍ଗ ଶ୍ରମିକଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଦୁଇ ଦିନ ତଳେ ସେମାନଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ଆଜି ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଆଜି ଅପରାହ୍‌ଣରେ ବିଏମ୍‌ସି, ପୁଲିସ ସହାୟତାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ରାତି ସୁଦ୍ଧା ଏନେଇ ପ୍ରଶାସନ କିମ୍ବା ବିଶ୍ବବିଦ୍ୟାଳୟ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। ଅପରାହ୍‌ଣରେ ବିଏମ୍‌ସି ଉତ୍ତର ଜୋନ୍‌ର ଡେପୁଟି କମିସନର ପ୍ରମୋଦ ପୃଷ୍ଟି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଆସି ବାକି ଶ୍ରମିକ ରହୁଥିବା ସ୍ଥାନ ବୁଲି ଦେଖିଛନ୍ତି। ଉକ୍ତ ଶ୍ରମିକଙ୍କ ରହଣୀସ୍ଥଳ ନିକଟରେ ବିଏମ୍‌ସି ପକ୍ଷରୁ କ୍ବାରାଣ୍ଟିନ୍‌ ବୋର୍ଡ ଲଗାଯାଇଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, କୁଳସଚିବ ଦୟାନିଧି ନାୟକ, ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକଙ୍କୁ ଯୋଗ‌ାଯୋଗ କରାଯାଇଥିଲେ ମଧ୍ୟ କେହି ଉତ୍ତର ଦେଇ ନ ଥିଲେ।

ଏହା ଜଣାପଡ଼ିବା ପରେ କ୍ୟାମ୍ପସର ଅନ୍ତେବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି। ସେମାନେ ଛାନିଆ ହେବା ସହ ସନ୍ଧ୍ୟାରେ ହୋ-ହଲ୍ଲା କରିଛନ୍ତି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଖା‌ମଖିଆଲି ଓ କୁଳପତି ପ୍ରଫେସର୍‌ ପଟ୍ଟନାୟକଙ୍କ ଏକଚାଟିଆ ନିଷ୍ପତ୍ତି ଯୋଗୁଁ କ୍ୟାମ୍ପସକୁ କରୋନା ପଶିଲା ବୋଲି ଅଭିଯୋଗ କରିଛନ୍ତି। ଅନ୍ତେବାସୀଙ୍କ କହିବାନୁଯାୟୀ, ପଶ୍ଚିମବଙ୍ଗର ଏହି ଶ୍ରମିକମାନେ ଗତ ୧୪ ତାରିଖରେ କ୍ୟାମ୍ପସକୁ ଆସିଥିଲେ। କରୋନା ସମୟରେ ଏମାନଙ୍କୁ କ୍ୟାମ୍ପସରେ ନ ପୂରାଇବାକୁ କୁଳପତିଙ୍କୁ ଅନୁରୋଧ କରାଯାଇଥିଲା। ତେବେ କୁଳପତି ପ୍ରଫେସର ପଟ୍ଟନାୟକ ରାତି ଅଧିଆ ଏମାନଙ୍କୁ କ୍ୟାମ୍ପସରେ ପ୍ରବେଶ ଲାଗି ଅନୁମତି ଦେବା ସହ ପ୍ରେକ୍ଷାଳୟରେ ରହିବା ଲାଗି ସୁଯୋଗ ଦେଇଥିଲେ। ୨୬ଜଣ ଯାକ ପ୍ରେକ୍ଷାଳୟରେ ରହିଥିଲେ ମଧ୍ୟ କ୍ୟାମ୍ପସର ବିଭିନ୍ନ ସ୍ଥାନରେ ବୁଲିଥିଲେ। ବିରୋଧ କଲେ ମଧ୍ୟ କେହି ଶୁଣି ନ ଥିଲେ।

ବଡ଼ କଥା ହେଉଛି ଯେ କରୋନା ଆକ୍ରାନ୍ତ ବାହାରିଥିଲେ ମଧ୍ୟ ବିଏମ୍‌ସି କିମ୍ବା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏପର୍ଯ୍ୟନ୍ତ କ୍ୟାମ୍ପସକୁ ସିଲ୍‌ କରି ନାହାନ୍ତି। ଠିକା ସଂସ୍ଥା ଦ୍ବାରା ହେଉଥିବା ବିଲଡିଂ କାମକୁ ବି ବନ୍ଦ କରି ନାହାନ୍ତି। ଯେତେବେଳେ କି ଏହି ଶ୍ରମିକମାନେ କ୍ୟାମ୍ପସ ସାରା ବୁଲିଛନ୍ତି। ଶତାଧିକ ଶ୍ରମିକ ଏକାଠି ରହୁଛନ୍ତି। ଯଦି ସମସ୍ତଙ୍କ କରୋନା ପରୀକ୍ଷା କରାଯିବ ତେବେ ଆହୁରି କରୋନା ଆକ୍ରାନ୍ତ ବାହାରିବାର ଆଶଙ୍କା ପ୍ରକାଶ ପାଇଛି। କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କ୍ୟାମ୍ପସକୁ ଆସିଥିବାରୁ ଆଗରୁ ୩ଟି ପିଜି ବିଭାଗ ଓ ଗୋବିନ୍ଦ ସାହୁ ମାର୍କେଟକୁ ସିଲ୍‌ କରାଯାଇଥିଲା। ହେଲେ କରୋନା ଆକ୍ରାନ୍ତ ବାହାରିବା ପରେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସମ୍ପୃକ୍ତ ଠିକା ସଂସ୍ଥା ଦ୍ବାରା ଚାଲୁଥିବା କାମ ବନ୍ଦ କରିବା କିମ୍ବା ଶ୍ରମିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ଗୋଟିଏ ପଟେ ଅନ୍ତେବାସୀ ଭୟଭୀତ‌ ହୋଇପଡ଼ିଥିବା ବେଳେ ଅନ୍ୟପଟେ ଦୁଇ ଦିନର ସଟ୍‌ଡାଉନ୍‌ ପରେ ସୋମବାର କ୍ୟାମ୍ପସ ପୁଣି ଖୋଲିବ। ପ୍ରଫେସର, ଅଧିକାରୀ, କର୍ମଚାରୀ କ୍ୟାମ୍ପସକୁ ଆସିବାକୁ ଏବେ ଭୟ କରୁଛନ୍ତି। ଅଧିକାଂଶ ପ୍ରଫେସର ଓ କର୍ମଚାରୀଙ୍କ ବୟସ ୫୦ ବର୍ଷରୁ ଅଧିକ ହୋଇଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। କାହିଁକି ନା ଏପର୍ଯ୍ୟନ୍ତ କ୍ୟାମ୍ପସକୁ ବିଶୋଧନ କରାଯାଇ ନାହିଁ। ବିଶୋଧନ ପାଇଁ ଦୁଇ ଦିନ ତଳେ ଟେଣ୍ଡର ଡକାଯାଇଛି। କେବେ ବିଶୋଧନ ହେବ ତାହା କେହି କହିପାରିବେ ନାହିଁ।

ସମ୍ବନ୍ଧିତ ଖବର