ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ମାଡ଼ି ଚାଲିଛି। ଚଳିତ ମାସ ଆରମ୍ଭରୁ ଏ ପର୍ଯ୍ୟନ୍ତ ୧୭୩୪ଜଣ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ସଂଖ୍ୟା ବଢ଼ୁଛି ସିନା ନିୟନ୍ତ୍ରଣକୁ ଆସୁନାହିଁ। ଫଳରେ ଭୁବନେଶ୍ବରରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୯୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୨୩୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୦୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସମୁଦାୟ ସଂକ୍ରମିତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମିତଙ୍କ ହାର ୪୪ ପ୍ରତିଶତ ରହିଛି। ସଙ୍ଗରୋଧରୁ ଚିହ୍ନଟ ୧୩୨ ଆକ୍ରାନ୍ତଙ୍କ ମଧ୍ୟରେ ୬ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ। ଏହାବାଦ୍ ୮ଜଣ ଲେଖାଏଁ ବଡ଼ଗଡ଼ ବ୍ରିଟ୍‌ କଲୋନି ଓ ଫରେଷ୍ଟ ପାର୍କ ଅଞ୍ଚଳ, ୫ଜଣ ଲେଖାଏଁ ସାଲିଆସାହି, ସହିଦନଗର ଶୁକବିହାର, ୟୁନିଟ୍‌-୬ ଗଙ୍ଗନଗର ଓ ୪ଜଣ ସୁନ୍ଦରପଦା ଗୌରୀଧାମରୁ ରହିଛନ୍ତି। ଏହାସହ ଜୟଦେବବିହାର ଅଞ୍ଚଳରେ ଥିବା ଏକ ହୋଟେଲରୁ ପୁଣି ୨ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଏକାଧିକ ବସ୍ତିରୁ ବହୁ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ କରାଯାଇଛି।

Advertisment

ଅପରପକ୍ଷରେ ୧୦୫ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ରେଲୱେ କର୍ମଚାରୀଙ୍କଠାରୁ ଆରମ୍ଭ କରି ଶବରସାହି, ହରିଜନ ବସ୍ତି, ନୂଆସାହି, ଗୋଜବାୟାଣୀ ବସ୍ତି, ବାଣୀବିହାର ପଥର ବନ୍ଧ ଓ ଅନ୍ୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଥିରେ ରାଜଧାନୀର ଦୁଇଟି ଘରୋଇ ହସ୍ପିଟାଲର କର୍ମଚାରୀ ମଧ୍ୟ ସଂକ୍ରମିତ ‌ଥିବା ନଜରକୁ ଆସିଛି। ରାଜଧାନୀରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩୦୧୫ରେ ପହଞ୍ଚିଛି। ଏବେ ବି ୧୫୫୧ ‌କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି। ଏହାସହ ୨୩ଜଣ କରୋନା ରୋଗୀ ଏ ପର୍ଯ୍ୟନ୍ତ ପ୍ରାଣ ହରାଇ ସାରିଲେଣି।