ଭୁବନେଶ୍ୱର : ଗତ ୨୧ ତାରିଖରେ ଗାନ୍ଧୀ ବସ୍ତି ଅଞ୍ଚଳରୁ ଜଣେ ଯୁବତୀ ପଜିଟିଭ୍ ଚିହ୍ନଟ ହୋଇଥିଲେ। ତାଙ୍କୁ ଫୋନ୍ ଜରିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା। ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଲାଗି ସରକାରୀ ଟିମ୍ ପହଞ୍ଚିଥିଲା ବସ୍ତିରେ। ହେଲେ ସେତେବେଳେକୁ ଆକ୍ରାନ୍ତଜଣକ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ନିଜର ପରୀକ୍ଷା କରି ସାରିଥିଲେ। ସ୍ବାବ୍ ପରୀକ୍ଷା ରିପୋର୍ଟ ଆସିବା ପରେ ହିଁ କୋଭିଡ୍ ହସ୍ପିଟାଲକୁ ଯିବୁ ବୋଲି କହିଥିଲେ। ଏହାକୁ ନେଇ ସରକାରୀ ଟିମ୍ ଓ ଆକ୍ରାନ୍ତଙ୍କ ପରିବାରଲୋକଙ୍କ ବଚସା ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ବାଧ୍ୟ ହୋଇ ଟିମ୍ ଫେରି ଯାଇଥିଲା।
ଯୁବତୀଙ୍କ ମା’ କହିଛନ୍ତି ଯେ ଗତ ୧୭ ତାରିଖରେ ତାଙ୍କ ଝିଅ ନିକଟସ୍ଥ ଏକ ସ୍କୁଲରେ ନିଜର ସ୍ବାବ୍ ପରୀକ୍ଷା କରାଇଥିଲେ। ୨୧ ତାରିଖରେ ତାଙ୍କର ପଜିଟିଭ୍ ଆସିଥିବା ଫୋନ୍ ଯୋଗେ କୁହାଯାଇଥିଲା। ପରେ ଫୋନ୍ ଯୋଗେ କେବେ ସ୍ଥାନାନ୍ତର କରାଯିବ ବୋଲି ପଚାରିବାରୁ ସେମାନେ ୨୨ ତାରିଖରେ ତାଙ୍କୁ ସ୍ଥାନାନ୍ତର କରାଯିବ ଓ ୨୭ ତାରିଖରେ ଘରକୁ ଆସିବେ ବୋଲି କୁହାଯାଇଥିଲା। ଏହି ସମୟରେ ଯୁବତୀଜଣକ ଘରୋଇ ହସ୍ପିଟାଲରେ ନିଜର ସ୍ବାବ୍ ପରୀକ୍ଷା କରିଥିଲେ। ଏଥିରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ହେଲେ ପଜିଟିଭ୍ ବାହାରିଥିବା ସମୟରେ ସ୍ଥାନୀୟ ଲୋକ ତାଙ୍କ ଘରକୁ ବାଡ଼ ପକାଇ ଦେଇଥିଲେ। କୁଆଡ଼େ ଯିବାକୁ ଦେଇ ନଥିଲେ। ଯୁବତୀଙ୍କ ପରିବାରଲୋକ ସେହିଭଳି ଭାବେ ଘରେ ୩ଦିନ କାଳ ଅଖିଆ ଅପିଆ ପଡ଼ି ରହିଥିଲେ ମଧ୍ୟ କେହି ଶୁଣି ନଥିଲେ ବୋଲି ମହିଳାଜଣକ କହିଛନ୍ତି।
ଆଜି ମଧ୍ୟ ଉକ୍ତ ବସ୍ତିରେ ସେହିଭଳି ଆଉ ଏକ ଘଟଣା ଘଟିଛି। ପଜିଟିଭ୍ ଚିହ୍ନଟ ଜଣେ ମହିଳାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଲାଗି ସରକରୀ ଟିମ୍ ପହଞ୍ଚିଥିଲା। ଆକ୍ରାନ୍ତଙ୍କ ପରିବାରଲୋକ ଘରୋଇ ହସ୍ପିଟାଲରେ ନିଜର ସ୍ବାବ୍ ଦେଇଥିବା ସରକାରୀ ଟିମ୍କୁ କହିଥିବାରୁ ହସ୍ପିଟାଲ ଯିବେ ନାହିଁ ବୋଲି ଯୁକ୍ତି କରିଥିଲେ।