ସଂକ୍ରମିତଙ୍କ ମଧ୍ୟରେ ୧୩ ପୁରୁଷ, ୪ ମହିଳା
ପଜିଟିଭ୍ ଚିହ୍ନଟ ହେଲେଣି ପୂର୍ବତଟ ରେଳବାଇର ୧୯ଜଣ କର୍ମଚାରୀ

Advertisment

ଭୁବନେଶ୍ବର : ରାଜଧାନୀରେ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି। ପ୍ରତ୍ୟେକ ଦିନ ରାଜଧାନୀର ବିଭିନ୍ନ ବସ୍ତି ଓ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଆଜି ରାଜଧାନୀରେ ୧୭ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସଂପର୍କରେ ବିଏମ୍‌ସି ସୂଚନା ଦେଇଥିବା ବେଳେ ତହିଁରେ ୭ଜଣ ରେଳବାଇର ଅଧିକାରୀ ରହିଛନ୍ତି। ଆଜିର ସଂଖ୍ୟାକୁ ମିଶାଇ ପୂର୍ବତଟ ରେଳବାଇର ସମୁଦାୟ ୧୯ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ରାଜଧାନୀରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ଏବେ ୧୪୯ରେ ପହଞ୍ଚିଛି।

publive-image

ଆଜି ଚିହ୍ନଟ ହୋଇଥିବା ୧୭ଜଣଙ୍କ ମଧ୍ୟରେ ୧୪ଜଣ ଘରେ ସଙ୍ଗରୋଧରେ ଥିବା ବେଳେ ୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଚିହ୍ନଟ ହୋଇଥିବା ୭ଜଣ କର୍ମଚାରୀ ହେଉଛନ୍ତି ସମେସ୍ତ ପୁରୁଷ। ସେମାନଙ୍କ ମଧ୍ୟରୁ ଜଣେ ଟ୍ରେନ୍‌ ଏସି ମେକାନିକ୍ ଥିବା ବେଳେ ଅନ୍ୟ ୬ଜଣ ଟ୍ରେନ୍ ମେଣ୍ଟନାନ୍ସ କର୍ମଚାରୀ ବୋଲି ଜଣାପଡ଼ିଛି। ତେବେ ଗତ ୩/୪ଦିନ ପୂର୍ବରୁ ପୂର୍ବତଟ ରେଳବାଇର ୪ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥି‌ଲେ। ଏହି ସମସ୍ତ କର୍ମଚାରୀ କାମରେ ଦିଲ୍ଲୀ ଯାଇଥିବା ବେଳେ ସଂସ୍ପର୍ଶରେ ଆଜି ପଜିଟିଭ୍ ହୋଇଥିବା କୁହାଯାଉଛି। ରେଳବାଇର ଏ ପର୍ଯ୍ୟନ୍ତ ଚିହ୍ନଟ ୧୯ଜଣ କର୍ମଚାରୀଙ୍କ ମଧ୍ୟରେ ଟିଟିଇ, ଏସି ମେକାନିକ୍ ଓ ଟ୍ରେନ୍ ମେଣ୍ଟେନାନ୍ସ କର୍ମଚାରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କଟକ, ଖୋର୍ଧାରୋଡର ୩ ଜଣ ଥିବା ବେଳେ ଭୁବନେଶ୍ବରର ଅଧିକାଂଶ କର୍ମଚାରୀ ରହିଛନ୍ତି। ସେହିପରି ଭୀମପୁରର ୩୪ବର୍ଷର ପୁରୁଷ ଓ ୬୨ବର୍ଷୀୟା ମହିଳା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦୁହେଁ ଗୋଟିଏ ପରିବାରର ହୋଇଥିବା ବେଳେ ସେମାନଙ୍କ ଦିଲ୍ଲୀ ଫେରନ୍ତା ସଂପର୍କୀୟ ପୂର୍ବରୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ‌ଏହାବାଦ୍ ଭୀମପୁରର ଏକ ଘରୋଇ ହସ୍ପିଟାଲର ନିକଟରେ ରହୁଥିବା ୬୪ବର୍ଷର ଜଣେ ପୁରୁଷ ଦିଲ୍ଲୀରୁ ଫେରିଥିବା ବେଳେ ଏବେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଡୁମୁଡୁମା ହାଉସିଂ ବୋର୍ଡ କଲୋନିର ୨୫ବର୍ଷର ଦିଲ୍ଲୀ ଫେରନ୍ତା ପୁରୁଷଙ୍କୁ ଚିହ୍ନଟ କରାଯାଇଛି। ନୂଆପଲ୍ଲୀ ସବର ସାହିର ୨୦ବର୍ଷର ଯୁବତୀ ଓ ୧୫ବର୍ଷର ଯୁବକ ପୂର୍ବରୁ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଘରେ ସଙ୍ଗରୋଧରେ ଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦେୟଯୁକ୍ତ ସଙ୍ଗରୋଧରେ ଥିବା ଜଣେ ୨୪ବର୍ଷର ଯୁବତୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ତାଙ୍କର ସଂପର୍କୀୟ ମଧ୍ୟ କରୋନା ଚିହ୍ନଟ ହୋଇଥିଲେ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ପୁରୀ କେନାଲ ରୋଡ ନହରକଣ୍ଟା ଅଞ୍ଚଳର ୨୭ବର୍ଷର ପୁରୁଷ, ଜୟଦେବ ବିହାର ସରଣପଲ୍ଲୀର ୩୭ବର୍ଷୀୟା ଯୁବତୀ ରହିଛନ୍ତି। ଯୁବତୀ ଜଣକ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ସେବା ପ୍ରଦାନକାରୀ ବା ସର୍ଭିସ ପ୍ରୋଭାଇଡର ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ଚିହ୍ନଟ ହୋଇଥିବା ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ସେ ଆସିଛନ୍ତି। ଏହାସହ ଏମ୍‌ସର ୩୨ବର୍ଷର ଜଣେ ଡାକ୍ତର ପଜିଟିଭ୍ ତାଲିକାରେ ରହିଛନ୍ତି। ରାଜଧାନୀରେ କରୋନା ରୋଗୀଙ୍କ ସଂଖ୍ୟା ୧୪୯ରେ ପହଞ୍ଚିଛି। ତହିଁରୁ ୮୧ଜଣ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ୬୪ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି।