ରାଜଧାନୀରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୪ ହଜାର ଟପିଲା

ଦିନକରେ ୩୪୨ ପଜିଟିଭ୍, ୪୨୧ ସୁସ୍ଥ, ବିଏମ୍‌ସିକୁ ଆସିବେ ଆଉ ୫୦ ଏଏସ୍‌ଓ

ଭୁବନେଶ୍ୱର : ରାଜଧାନୀରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୪ହଜାର ପାର୍ କରିଛି। ଗତ ୨୪ଘଣ୍ଟାରେ ଭୁବନେଶ୍ବରରୁ ୪୨୧ ଆକ୍ରାନ୍ତ ସୁସ୍ଥ ହେବା ପରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୪୦୫୨ରେ ପହଞ୍ଚିଛି। ରାଜଧାନୀରେ କରୋନା ରୋଗୀଙ୍କ ସୁସ୍ଥ ହାର ୭୬.୫ ପ୍ରତିଶତ ରହିଛି। ଦିନକରେ ରାଜଧାନୀରେ ୩୪୨ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ୧୦୪ଜଣ ସଙ୍ଗରୋଧରୁ ଓ ୨୩୮ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୬୭ରେ ପହଞ୍ଚିଛି। ସଙ୍ଗରୋଧରୁ ଚିହ୍ନଟ ରୋଗୀଙ୍କ ମଧ୍ୟରେ ଶୈଳଶ୍ରୀ ବିହାରରୁ ୮, ପଳାସପଲ୍ଲୀ, ଗଜପତି ନଗର, ୟୁନିଟ୍‌-୬, ପ୍ରେସ୍ କଲୋନି, ଉଦୟଗିରି ବିହାର, ଶ୍ରୀବିହାର, ପଟିଆ, ସତ୍ୟନଗର, ଶାସ୍ତ୍ରୀ ନଗର, ନୀଳାଦ୍ରି ବିହାର, ମଞ୍ଚେଶ୍ବର, ଲୁମ୍ବିନୀ ବିହାର, ଗାଡ଼କଣ, ଡୁମୁଡୁମା, ଡମଣା, ଅରବିନ୍ଦ ନଗର, ଚନ୍ଦକା, ବମିଖାଲକୁ ବାଦ୍ ଦେଲେ ଅନ୍ୟ ଅଞ୍ଚଳରୁ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମିତରେ ରାଜଧାନୀର ଏକ ଘରୋଇ ହସ୍ପିଟାଲର ୯ଜଣ କର୍ମଚାରୀ ଚିହ୍ନଟ ହୋଇଛନ୍ତି। ଏହାସହ ଏମ୍‌ସର ୧୩ଜଣ କର୍ମଚାରୀଙ୍କ ବାଦ୍ ଖଣ୍ଡଗିରିରୁ ୧୧, ଝାରପଡ଼ା ୬, ନାଗେଶ୍ବର ଟାଙ୍ଗୀ ୪, ବିଜେବି ନଗର ୭, ବମିଖାଲ, ଲକ୍ଷ୍ମୀସାଗର, ସହିଦ ନଗର ୪ ଲେଖାଏଁ, ଖାରବେଳ ନଗର, ଗ୍ୟାରେଜ ଛକ, ବମିଖାଲରୁ ୫ ଲେଖାଏଁ, ଆଇଆରସି ଭିଲେଜ, କାନନ ବିହାର, କଳିଙ୍ଗ ବିହାର, ଜାମୁଝରୀ, ଜଗନ୍ନାଥ ନଗର, ଅନନ୍ତ ବିହାର, ୟୁନିଟ-୧, ସୁନ୍ଦରପଦା ଓ ଅନ୍ୟ ଅଞ୍ଚଳରୁ ପୁଳା ପୁଳା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜଧାନୀରେ ଏବେ ୪୧୩୩ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ଏହାସହ ୬୮ଜଣଙ୍କ କରୋନାରେ ମୃତ୍ୟୁ ହୋଇ ସାରିଲାଣି।

ବିଏମ୍‌ସିକୁ ଆସିବେ ଆଉ ୫୦ ଏଏସ୍‌ଓ
ଭୁବନେଶ୍ୱର : ବିଏମ୍‌ସିର କରୋନା ମୁକାବିଲା କାର୍ଯ୍ୟରେ ସହଯୋଗ କରିବା ପାଇଁ ଗୃହ ବିଭାଗ ଅଗଷ୍ଟ ୨୨ରେ ୫୦ଜଣ ଏଏସ୍‌ଓ ଓ ୧୫ଜଣ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ପଠାଇଥିଲା। ଏଥିରୁ ୪୯ଜଣ ଏଏସ୍‌ଓ ଓ ୧୦ଜଣ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବିଭିନ୍ନ ସ୍ଥାନରେ ଡ୍ୟୁଟି ଦିଆଯାଇଥିଲା। ଏହାପରେ ସେମାନଙ୍କ ବଦଳରେ ୫୦ଜଣ ଏଏସ୍‌ଓଙ୍କୁ ପୁଣି ଗୃହ ବିଭାଗ ବିଏମ୍‌ସିକୁ କୋଭିଡ ଡ୍ୟୁଟିରେ ପଠାଇଛି। ପୂର୍ବରୁ ଆସିଥିବା ଏଏସ୍‌ଓଙ୍କ ବଦଳରେ ଏମାନେ କାମ କରିବେ ବୋଲି କୁହାଯାଇଛି। କିନ୍ତୁ ଦୁଇ ଦିନ ହେଲା ନିର୍ଦ୍ଦେଶନାମା ବାହାରିଥିଲେ ହେଁ ନୂଆ ୫୦ଜଣ ଏଏସ୍‌ଓ କାର୍ଯ୍ୟରେ ଯୋଗଦେଉନାହାନ୍ତି। ଏପଟେ ପୂର୍ବରୁ କାମ କରୁଥିବା କିଛି ଏଏସ୍‌ଓ କାମ ବନ୍ଦ କରିଦେଲେଣି। ଯାହାକୁ ନେଇ ବିଏମ୍‌ସି ଏବେ ଅଡ଼ୁଆରେ ପଡ଼ିଯାଇଛି।

ଗୃହ ବିଭାଗ ନିର୍ଦ୍ଦେଶନାମାକୁ ଆଧାର କରି ଶନିବାର ବିଏମ୍‌ସି କମିସନର ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେପର୍ଯ୍ୟନ୍ତ ଦାୟିତ୍ବ ପାଇଥିବା ନୂଆ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେଇନାହାନ୍ତିି ସେପର୍ଯ୍ୟନ୍ତ ପୂର୍ବରୁ ବିଭିନ୍ନ ଦାୟିତ୍ବରେ ଥିବା ଏଏସ୍‌ଓମା‌େ‌ନ ଦାୟିତ୍ବ ତୁଲାଇବେ। ଯିଏ ଯେପରି ଯେଉଁ ଜୋନାଲ ଡେପୁଟି କମିସନର ଓ ନୋଡାଲ ଅଫିସରଙ୍କ ଅଧୀନରେ କାମ କରୁଛନ୍ତି ଏବେ ସେମିତି କାମ କରିବେ। ନୂଆ ଏଏସ୍‌ଓମାନେ କାର୍ଯ୍ୟରେ ଯୋଗଦେଲେ ପୂର୍ବରୁ ଥିବା ଏଏସଓମାନଙ୍କୁ ଦାୟିତ୍ବମୁକ୍ତ କରାଯିବ। ସେହିପରି ଯଦି କେହି ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରି କାର୍ଯ୍ୟରେ ଯୋଗଦେବେନି ସେନେଇ ବିଏମ୍‌ସି ମୁଖ୍ୟାଳୟରେ ରିପୋର୍ଟ କରିବାକୁ ସମସ୍ତ ଜେଡ୍‌ଡିସି ଓ ନୋଡାଲ ଅଫିସରମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର