ଜମୁଛି ନାଚର ଆସର, ଚାଲୁଛି ପବ୍
ଦାମୀ ଗାଡ଼ିରେ ଆସୁଛନ୍ତି ବଙ୍ଗୀୟ ଯୁବତୀ
ଗୋଟିଏକୁ ବି ମିଳିନି ଲାଇସେନ୍ସ
ଜାଣି ଅଜଣା ପୁଲିସ, ଅବକାରୀ ଅଧିକାରୀ
ଭୁବନେଶ୍ବର : ନା ଅଛି ଲାଇସେନ୍ସ ନା ମିଳିଛି ଅନୁମତି। କିନ୍ତୁ ସଞ୍ଜ ନଇଁଲେ ବାର୍ରେ ଖୁଲମଖୁଲା ଚାଲୁଛି ଯୌନ ଉତ୍ତେଜକ ନାଚ। ଖାଲି ନାଚ ନୁହେଁ; ସିଗାରେଟ୍ ଓ ହୁକା ଧୂଆଁ ଉଡ଼ୁଛି। ନାଚୁଥିବା ଯୁବତୀଙ୍କ ଉପରେ ଟଙ୍କା ବର୍ଷା ହେଉଛି। ରାଜଧାନୀରେ ଗୋଟିଏ ବି ମଦ ବାର୍କୁ ଡ୍ୟାନ୍ସ ପାଇଁ ଅନୁମତି ମିଳି ନ ଥିବା ବେଳେ ସବୁ ଆଇନକାନୁନକୁ ମାଡ଼ି ମକଚି ଏସବୁ ଚାଲିଛି। ରାତି ଯେତେ ବଢ଼ୁଛି, ତାତି ସେତେ ବଢ଼ୁଛି। କୋଭିଡ୍ କଟକଣା ଅନୁଯାୟୀ ଧାର୍ଯ୍ୟ ସମୟ ପରେ ବି ବାର୍ ଖୋଲା ରହୁଥିବା ବେଳେ ଆଖି ବୁଜି ଦେଇଛି ଅବକାରୀ ଓ କମିସନରେଟ ପୁଲିସ। ବାର୍ ଭିତରେ ସବୁକିଛି ସୀମା ଟପି ଯାଉଥିବା ବେଳେ କୋଭିଡ୍ ସଂକ୍ରମଣ ବ୍ୟାପିବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। ଯେମିତି ସେମାନଙ୍କ ପାଖରେ ଏ ଖବର ନାହିଁ କି ସବୁ ଜାଣି ଆଖି ବୁଜି ବସିଛନ୍ତି। ଏପରିକି ବିଏମ୍ସି ମଧ୍ୟ ଏ ସମ୍ପର୍କରେ ଜାଣି ନ ପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁସାରେ, କରୋନା ଦ୍ବିତୀୟ ଲହର କଟକଣା କୋହଳ ହେଲା ପରେ ରାଜଧାନୀରେ ବାର୍ ଖୋଲିବାକୁ ଅନୁମତି ମିଳିଛି। ତେବେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। କିନ୍ତୁ ବାର୍ଗୁଡ଼ିକରେ ଏବେ କୋଭିଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି। ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ବାର୍ର ଚାହିଦା ମଧ୍ୟ ବଢ଼ି ଯାଇଛି। ବିଶେଷ କରି ଶନିବାର ଓ ରବିବାର ପ୍ରବଳ ଭିଡ଼ ହେଉଛି, ନାଚ ବି ହେଉଛି। ବାର ଡ୍ୟାନ୍ସ ଓ ପବ୍ ଚାଲୁଥିବା କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ବାର୍ରେ ନାଚ ପାଇଁ ପଶ୍ଚିମବଙ୍ଗ, ନେପାଳ ଓ ଅନ୍ୟ କେତେକ ସ୍ଥାନରୁ ଯୁବତୀମାନଙ୍କୁ ଅଣା ଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ବିଶେଷ କରି କଟକରୋଡ୍, ଚନ୍ଦ୍ରଶେଖରପୁର ଓ ପଟିଆ ଅଞ୍ଚଳରେ ଏକାଧିକ ବାର୍ରେ ଜମୁଛି ନାଚଗୀତର ଆସର। ରାତି ହେଲେ ନାଚ ଜମୁଛି। ବ୍ୟବସାୟୀ, ବିଲ୍ଡର, ଅସାମାଜିକ ଯୁବକଙ୍କ ଭିଡ଼ ବଢ଼ୁଛି। ପୁଲିସ ଓ ଅବକାରୀ ବିଭାଗର ନାକ ତଳେ ଏସବୁ ଚାଲିଥିଲେ ମଧ୍ୟ ରହସ୍ୟଜନକ ଭାବେ ସମସ୍ତେ ଚୁପ୍ ବସିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କିଛିଦିନ ତଳେ ପେଣ୍ଟାଗନ୍ ବାର୍ରେ ଜୁଆ ଖେଳ ଚାଲୁଥିବା ବେଳେ ବଙ୍ଗୀୟ ଓ ନେପାଳ ଯୁବତୀ ଉଦ୍ଧାର ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ସେତେବେଳେ ସଟଡାଉନ୍ କଟକଣା ସତ୍ତ୍ବେ ନିୟମ ଉଲ୍ଲଂଘନ କରି ବାର୍ରେ ପ୍ରଭାବଶାଳୀ ବ୍ୟକ୍ତି, ବିଲ୍ଡର ଓ ବ୍ୟବସାୟୀମାନେ ଜୁଆ ଆଡ଼ା ଚଳାଇଥିଲେ। କିନ୍ତୁ ତା ପରେ ପୁଲିସ କିମ୍ବା ଅବକାରୀ ପକ୍ଷରୁ ଅନ୍ୟ କୌଣସି ବାର୍ରେ ଯାଞ୍ଚ କରାଯାଇ ନ ଥିଲା। ସେହିପରି ଗତବର୍ଷ କଟକରୋଡରେ ଥିବା ଏକ ନାମୀ ବାର୍ ଲକଡାଉନ୍ ନିୟମ ଉଲ୍ଲଂଘନ କରି ଚୋରାରେ ମଦ ବିକ୍ରି କରୁଥିବା ଜଣା ପଡ଼ିଥିଲା। ସେହିପରି ଭୁବନେଶ୍ବରେ-ପୁରୀ ବାଇପାସ୍ରେ ଥିବା ଏକ ବାର୍ରେ ଚୋରା ମଦ କାରବାର ଚାଲିବା ଅଭିଯୋଗରେ ଚଢ଼ଉ କରିଥିଲା ସ୍ପେସାଲ ସ୍କ୍ବାଡ୍।
ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୨୧-୨୨ ବର୍ଷ ପାଇଁ ବାର୍ରେ ଡ୍ୟାନ୍ସ ପାଇଁ ପ୍ରାୟ ୮ଟି ଆବେଦନ ଆସିଛି। କୋଭିଡ୍ ଦ୍ବିତୀୟ ଲହର ପାଇଁ ଏହି ଆବେଦନର ଯାଞ୍ଚ ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା। ତେଣୁ କାହାକୁ ଅନୁମତି ମିଳିପାରି ନାହିଁ। ତେଣୁ ପ୍ରଶ୍ନ ଉଠୁଛି, ବିନା ଅନୁମତିରେ କେମିତି ବାର୍ରେ ଡ୍ୟାନ୍ସ କରାଯାଉଛି? ଆଇନ ଉଲ୍ଲଂଘନ ହେଉଥିଲେ ମଧ୍ୟ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ?
ରାଜଧାନୀରେ ବଢ଼ିଲାଣି ଦେହ ବେପାର, ପାର୍ବଣ ପାଇଁ ଆସିଛନ୍ତି ଶତାଧିକ ଦେହଜୀବୀ
କୋଭିଡ୍ ନିୟମ କୋହଳ ହେଉହେଉ ରାଜଧାନୀର ବିଭିନ୍ନ ହୋଟେଲ ଓ ଲଜ୍ରେ ଦେହ ବେପାର ବଢ଼ିବା ଆରମ୍ଭ ହେଲାଣି। ଖାଲି ହୋଟେଲ ନୁହେଁ; କେତେକ ଗେଷ୍ଟ ହାଉସ୍, ଭଡ଼ା ଘରେ ମଧ୍ୟ ସେକ୍ସ ରୢାକେଟ୍ ଚାଲିଥିବା ଜଣାପଡ଼ିଛି। ପାର୍ବଣ ଋତୁ ଆରମ୍ଭ ହୋଇ ଯାଇଥିବା ବେଳେ ଦେହ ବ୍ୟବସାୟୀମାନେ ସକ୍ରିୟ ହୋଇ ଉଠିଛନ୍ତି। ପୁରୁଣା ବେପାରୀମାନେ ଏବେ ପୁଣି ବେପାର ଆରମ୍ଭ କରି ଦେଇଛନ୍ତି।ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳ, ମଞ୍ଚେଶ୍ବର, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ଖାରବେଳନଗର, ଇନଫୋସିଟି ଆଦି କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଦେହ ବେପାର ଚାଲିଥିବା ଜଣାପଡ଼ିଛି। ଏଥିପାଇଁ ଶତାଧିକ ବଙ୍ଗୀୟ ଯୁବତୀଙ୍କୁ ମଧ୍ୟ ଭୁବନେଶ୍ବର ଅଣାଯାଇଛି। ଭରତପୁରରେ ଏକ ଓୟୋ ହୋଟେଲରୁ ବଡ଼ଧରଣର ସେକ୍ସ ରାକେଟ୍ ଧରାପଡ଼ିବା ପରେ ପୁଲିସର ଚେତା ପଶିଛି। ଏବେ ଅନ୍ୟ ଅଞ୍ଚଳରେ ପୁଲିସ ଚଢ଼ଉ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି।
ସିଲ୍ ହେଲା ମ୍ୟାଡ୍ ମୁଲ୍ ବାର୍, ରାତି ୧୦ ପରେ ଚାଲିଥିଲା ମଦ ଆସର
ଭୁବନେଶ୍ବର : କୋଭିଡ୍ କଟକଣାକୁ ଉଲ୍ଲଂଘନ କରି ରାତି ୧୦ଟା ପରେ ବାର୍ରେ ଚାଲିଥିଲା ମଦ ଆସର। ଧାର୍ଯ୍ୟ ସମୟ ପରେ ଚାଲିଥିଲା ବେପାର। ଆଜି ଖବର ପାଇ ବିଏମ୍ସି ଓ କମିସନରେଟ ପୁଲିସର ମିଳିତ ଟିମ୍ ଜନପଥରେ ଥିବା ମ୍ୟାଡ୍ ମୁଲ୍ ବାର୍ରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଯେତିକି ଗ୍ରାହକ ଭିତରେ ଥିଲେ; ସେମାନଙ୍କୁ ଦେଖି ଟିମ୍ ତାଜୁବ୍ ହୋଇ ଯାଇଥିଲା। କେବଳ ଯୁବକ ନୁହେଁ, ଯୁବତୀମାନେ ମଧ୍ୟ ଭିତରେ ଥିଲେ। ବାହାର ପଟୁ ସଟର୍ ପକାଯାଇ ଭିତରେ ଚାଲିଥିଲା ମଦ ଆସର। କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ବାରକୁ ବିଏମ୍ସି ପକ୍ଷରୁ ସିଲ୍ କରାଯାଇଛି। ଏହି ଚଢ଼ଉରେ ବିଏମ୍ସିର ଆସିଷ୍ଟାଣ୍ଟ କମିସନର(ଏନଫୋର୍ସମେଣ୍ଟ) ଲିଲନ୍ ସାହୁ, ଖାରବେଳନଗର ଥାନା ଆଇଆଇସି ଅରୁଣ ସ୍ବାଇଁ ପ୍ରମୁଖ ସାମିଲ ଥିଲେ।