କୋଭିଡ୍‌ ଓ ସରକାରୀ କଟକଣା ଯୋଗୁଁ ଉଧେଇ ପାରୁନି ନିମନ୍ତ୍ରଣ କାର୍ଡ ବ୍ୟବସାୟ

ବାହାଘର ଋତୁରେ ବି ୩୦% କ୍ଷତିରେ ବେପାର, ସଂକଟ ବଢ଼ାଇଲାଣି ଡିଜିଟାଲ୍‌ କାର୍ଡ

‌‌ଭୁବନେଶ୍ବର : ବିବାହ ଋତୁ ଆସିଲେ, ବନ୍ଧୁ ପରିଜନଙ୍କୁ ନିମନ୍ତ୍ରଣ କଥା ପ୍ରମୁଖ ପ୍ରସଙ୍ଗ ପାଲଟିଯାଏ। ଏହି ନିମନ୍ତ୍ରଣକୁ ନିଆରା କରିବାକୁ କିଏ କେତେ ଉପାୟ କରନ୍ତି। କୌଣସି ଶୁଭ କାର୍ଯ୍ୟକୁ ସାଇପଡ଼ିଶା ଓ ବନ୍ଧୁବ‌ାନ୍ଧବଙ୍କୁ ଡାକିବା ପାଇଁ ତାଳପତ୍ରରେ କିଛି ପଦ ଲେଖି ପୂର୍ବରୁ ନିମନ୍ତ୍ରଣ ଦିଆଯାଉଥିଲା। ତେବେ ସମୟ ଅନୁସାରେ ଏଥିରେ ପରିବର୍ତ୍ତନ ହୋଇଚାଲିଛି। ଏହାର ଲେଖା, ଡିଜାଇନ୍‌, ଥିମ୍‌ ସବୁ ବଦଳୁଛି। ଭିନ୍ନଭିନ୍ନ ଡିଜାଇନ୍‌, ରଙ୍ଗ ଓ ଥିମ୍‌ର ନିମନ୍ତ୍ରଣ କାର୍ଡ କରି ବ୍ୟବସାୟୀମାନେ ଗ୍ରାହକକୁ ଆକୃଷ୍ଟ କରୁଥିବା ବେଳେ ଭଲ ଦୁଇ ପଇସା ରୋଜଗାର କରିପାରୁଥିଲେ। କିନ୍ତୁ କରୋନା ଆସିବା ପରଠାରୁ ଏହି ବ୍ୟବସାୟ ଏକପ୍ରକାର ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଡିଜିଟାଲ କାର୍ଡର ଚାହିଦା ବଢ଼ୁଥିବାରୁ ଲୋକେ ଆଉ ଛପା ନିମନ୍ତ୍ରଣପତ୍ର ଉପରେ ବେଶି ନିର୍ଭର କରୁନାହାନ୍ତି।

ଅପରପକ୍ଷେ ରାଜ୍ୟ ସରକାର ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟିକ୍ରିୟାରେ ଅତିଥି ସଂଖ୍ୟାରେ କଟକଣା ଲଗାଇଛନ୍ତି। ମାତ୍ର ୧୦୦ ଲୋକଙ୍କୁ ନେଇ ବିବାହ, ବ୍ରତ ସମାରୋହକୁ ଅନୁମତି ମିଳିଥିବାରୁ ଲୋକମାନେ କାର୍ଡ ଛପାଇବାକୁ ମନ ବଳାଉନାହାନ୍ତି। ଏହାର ସିଧାସଳଖ ପ୍ରଭାବ ପଡ଼ିଛି ନିମନ୍ତ୍ରଣ କାର୍ଡ ବ୍ୟବସାୟ ଉପରେ। ଅତି କମ୍‌ ସଂଖ୍ୟାର ଅତିଥିମାନଙ୍କୁ ନିମନ୍ତ୍ରଣ ପାଇଁ ଲୋକେ ନିମନ୍ତ୍ରଣ କାର୍ଡ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯଦିବା ଛପାଉଛନ୍ତି, ତାହା ୫୦ ଭିତରେ ସୀମିତ ରହୁଛି। ଫଳରେ ବ୍ୟବସାୟମାନେ ହାତବାନ୍ଧି ବସିଛନ୍ତି। ପୂର୍ବରୁ ଲୋକମାନେ ୫୦୦ରୁ ୧୦୦୦ କାର୍ଡ ଏକାସଙ୍ଗେ ଛପାଉଥି‌ଲେ। ବିବାହ ଋତୁରେ ଦିନକୁ ପ୍ରାୟ ୨୦ରୁ ୩୦ ହଜାର ପର୍ଯ୍ୟନ୍ତ କାର୍ଡ ବିକ୍ରି ହେବା ସହ କାର୍ଡ ଛପା ପାଇଁ ବରାଦ ହେଉଥିଲା। କିନ୍ତୁ ଏବେ ଏହି ସଂଖ୍ୟା ହଜାରେକୁ ଖସି ଆସିଛି।

‌ଏକ ଆକଳନ ଅନୁଯାୟୀ, ୨୦୨୦ ମାର୍ଚରେ କରୋନା ଆସିବା ପରେ ନିମନ୍ତ୍ରଣ କାର୍ଡ ବ୍ୟବସାୟ ପାଖାପାଖି ୯୦% କ୍ଷତିରେ ଚାଲିଥିଲା। କିନ୍ତୁ ପରିସ୍ଥିତିରେ ସୁଧାର ଆସିବାରୁ ବ୍ୟବସାୟ କିଛି ମାତ୍ରାରେ ସୁଧୁରିଛି। ତଥାପି ୩୦ରୁ ୪୦% କମିଥିବା ବ୍ୟବସାୟୀମାନେ କହିଛନ୍ତି। କେବଳ କାର୍ଡ ନୁହେଁ, ‌‌ଫ୍ଲେକ୍ସ ପ୍ରିଣ୍ଟିଂର ମଧ୍ୟ ଚାହିଦା କମିଛି।

ଦାମୀ କାର୍ଡ ବିକ୍ରି ବଢ଼ିଛି
୨୦୨୦ରେ କରୋନା ଜନିତ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଯୋଗୁଁ ବେପାର ସମ୍ପୂର୍ଣ୍ଣ ବନ୍ଦ ରହିଲା। ପରେ ୫୦ ଓ ୧୦୦ ଲୋକଙ୍କୁ ନେଇ ବିବାହ ସମାରୋହ ଆୟୋଜନ ପାଇଁ କଟକଣା ଲାଗୁ ହେଲା। ପ୍ରଥମେ ପ୍ରଥମେ ଲୋକେ ଏତେ କମ୍‌ ସଂଖ୍ୟକ କାର୍ଡ ଛପାଇବାକୁ ଇଚ୍ଛା ପ୍ରକାଶ କଲେ ନାହିଁ। ପରେ ଏଥିରେ ସୁଧାର ଆସିଥିଲେ ହେଁ ବିଶେଷ ଲାଭ ହେଲା ନାହିଁ। ଏବେ ଲୋକ ୫୦ରୁ ୧୦୦ କାର୍ଡ ହିଁ ଛାପୁଛନ୍ତି। ଫଳରେ ବ୍ୟବସାୟ ମାନ୍ଦା ଚାଲିଛି। ଆଗରୁ କିନ୍ତୁ ଅଧିକ ପରିମାଣର ଶସ୍ତା କାର୍ଡ ନେଉଥିବା ଲୋକ ଏବେ ୫୦ କି ୧୦୦ କାର୍ଡ ହେଲେ ବି ଦାମୀ କାର୍ଡ ନେଉଛନ୍ତି। ଫଳରେ ବ୍ୟବସାୟ ସୁଧୁରୁଛି। କିନ୍ତୁ ଏବେ ବି ୩୦ରୁ ୪୦% କ୍ଷତିରେ ବେପାର ଚାଲିଛି। ଅନ୍ୟପଟେ ଡିଜିଟାଲ୍‌ କାର୍ଡର ଯୁଗ ଚାଲିଥିବାରୁ ଆମେ କାର୍ଡକୁ ସ୍କାନ୍‌ କରି ପିଡିଏଫ୍‌ କରି ଗ୍ରାହକଙ୍କୁ ଯୋଗାଇ ଦେଉଛୁ। ଏହାର ଚାହିଦା ମଧ୍ୟ ଢେର୍‌ ରହିଛି।
କୃଷ୍ଣକା‌ନ୍ତ ଗୋଏଲ୍‌, ସ୍ବତ୍ବାଧିକାରୀ, ଗୁଞ୍ଜନ ଏକ୍‌ସ୍ଲୁସିଭ୍‌ କାର୍ଡସ୍‌

୨ବର୍ଷରେ ଫଟୋ, ଭିଡିଓ ନିମନ୍ତ୍ରଣର ଟ୍ରେଣ୍ଡ୍‌ ବଢ଼ିଛି
୨୦୧୭ ଆଡ଼କୁ ଓଡ଼ିଶାରେ ଭିଡିଓ ନିମନ୍ତ୍ରଣ କାର୍ଡ ଓ ଫଟୋ ନିମନ୍ତ୍ରଣ କାର୍ଡର ଟ୍ରେଣ୍ଡ ଆରମ୍ଭ ହୋଇଥିଲା। କିନ୍ତୁ ୨୦୨୦ରେ କରୋନା ମହାମାରୀ ଏହାର ଚାହିଦାକୁ ଖୁବ୍‌ ବଢ଼ାଇ ଦେଇଥିଲା। ଘର, ଘରକୁ ଯାଇ ନିମନ୍ତ୍ରଣ କାର୍ଡ ବାଣ୍ଟିବା ସମ୍ଭବ ହେଉ ନଥିବା ବେଳେ ଭିଡିଓ ତଥା‌ ଫଟୋ ନିମନ୍ତ୍ରଣକାର୍ଡ ସାଙ୍ଗସାଥୀ ଓ ବନ୍ଧୁବାନ୍ଧବକୁ ନିମନ୍ତ୍ରଣ ଦେବା ତଥା‌ ସେମାନଙ୍କ ସହ ଯୋଡ଼ି ହେବାରେ ସାହାଯ୍ୟ କରିଥିଲା। ଫଳରେ ଏହି ୨ବର୍ଷରେ ଏହା ନିମନ୍ତ୍ରଣ କାର୍ଡକୁ ପଛରେ ପକାଇ ବେଶ୍‌ ଆଦୃତି ଲାଭ କରିଛି। ବିବାହରେ ଦମ୍ପତିଙ୍କ ଫଟୋ ନିମନ୍ତ୍ରଣ କାର୍ଡ ପ୍ରସ୍ତୁତ ପାଇଁ ନିର୍ମାତାମାନେ ୫୦୦ଟଙ୍କା ନେଉଥିବା ବେଳେ ଭିଡିଓ ନିମନ୍ତ୍ରଣ କାର୍ଡ ପାଇଁ ୧ହଜାରରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ିଥାଏ। ଏହା ପ‌କେଟ୍‌କୁ ସୁହାଇଲା ଭଳି ଓ ଅତ୍ୟାଧୁନିକ ହୋଇଥିବାକୁ ସମସ୍ତେ ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏଥିସହ କିଛି ଫ‌ଟୋ, ଭିଡିଓଗ୍ରାଫର୍‌ ବିବାହରେ ନିଜ ସେବା ସହ ଏହି କାର୍ଡ ନିର୍ମାଣ ମାଗଣାରେ ବି କରିଥା’ନ୍ତି। ଫଳରେ ଏଥିପ୍ରତି ଦମ୍ପତିମାନଙ୍କ ଆଗ୍ରହ ଆହୁରି ବଢ଼ିଛି।
ଭକ୍ତହରି ଦାସ, ଭିଡିଓଗ୍ରାଫର୍‌, ୱେଡିଂଶ୍ରୀ ଫଟୋଗ୍ରାଫି

ସମ୍ବନ୍ଧିତ ଖବର