ଡରେଇଲାଣି କରୋନା : ରାଜଧାନୀବାସୀ ବିନ୍ଦାସ୍‌, ଆଜିଠାରୁ ପୁଣି ଧରପଗଡ଼

ଗଠନ ହେଲା ୩ ଏନ୍‌ଫୋର୍ସମେଣ୍ଟ ଟିମ୍‌
ହାଟ, ମଲ୍ ଓ ଭିଡ଼ ଜାଗା ଉପରେ ରହିବ କଡ଼ା ନଜର

ଭୁବନେଶ୍ବର : କରୋନା କଟକଣା ଲୋକେ ଭୁଲିଗଲେଣି। ଆଦୌ ମାସ୍କ ନ ପିନ୍ଧି କିମ୍ବା ଥୋଡ଼ିରେ ମାସ୍କ ଝୁଲାଇ ହାଟରେ ହାଉଜାଉ ହେଲେଣି। ଏଣେ କରୋନା ଲେଉଟିବାକୁ ବସିଲାଣି। ଏଭଳି ସ୍ଥିତିରେ କମିସନରେଟ୍‌ ପୁଲିସ ପୁଣି ଥରେ କଠୋର ହେବାକୁ ଯାଉଛି। କରୋନା କଟକଣା କଡ଼ାକଡ଼ି କରିବାକୁ ଅଣ୍ଟା ଭିଡ଼ିଛି। ପ୍ରତ୍ୟେକ ଜୋନ୍‌ ଏସିପିଙ୍କ ଅଧୀନରେ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ପ୍ରତ୍ୟକ ଦିନ ଦୁଇଶହ ଚାଲାଣ କାଟିବାକୁ ଟାର୍ଗେଟ୍‌ ଦିଆଯାଇଛି। ପ୍ରତ୍ୟେକ ପିସିଆର ଭ୍ୟାନ୍‌କୁ ମଧ୍ୟ ୫୦ ଚାଲାଣ ଟାର୍ଗେଟ ଧାର୍ଯ୍ୟ କରାଯାଇଛି। ଏହା ଛଡ଼ା ୩ଟି ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇ ଧରପଗଡ଼କୁ କଡ଼ାକଡ଼ି କରିବା ପାଇଁ ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ।

କରୋନା କଟକଣା କାଳରେ କମିସନରେଟ୍‌ ପୁଲିସ ୬ଟି ଜୋନ୍‌କୁ ତିନିଭାଗରେ ବିଭକ୍ତ କରି ଟିମ୍‌ ଗଠନ କରିଥିଲା। ତିନିଜଣ ଡିସିପି ଏହି ଜୋନ୍‌ ଦାୟିତ୍ବ ନେଇଥିଲେ। ପ୍ରତ୍ୟେକ ଦିନ ହେଉଥିବା କାର୍ଯ୍ୟାନୁଷ୍ଠାନ ଉପରେ ତର୍ଜମା କରିବା ସହ ନିଷ୍ପତ୍ତି ଗ୍ରହଣ କରୁଥିଲେ। ଗଳିକନ୍ଦିରେ ପିସିଆର ଭ୍ୟାନ୍‌ ବୁଲି ଆମନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲା। ସେହିଭଳି ଟ୍ରାଫିକ୍‌ ପୁଲିସକୁ ମଧ୍ୟ ଏହି ଏନ୍‌ଫୋର୍ସମେଣ୍ଟରେ ସାମିଲ କରାଯାଇଥିଲା ମାର୍ଚ୍ଚ ମାସରୁ ଅକ୍ଟୋବର ୧୮ ତାରିଖ ପର୍ଯ୍ୟନ୍ତ ଟ୍ରାଫିକ୍‌ ପୁଲିସ ଜରିମାନା ଆଦାୟ କରୁଥିଲା। ହେଲେ ଅଧିକାରୀମାନେ ଏହି କରୋନା କଟକଣାରେ ମାତିବାରୁ ମୋଟର ଯାନ ଆଇନ ଅଧୀନରେ ଜରିମାନା ଆଦାୟ କମିଯାଇଥିଲା। ଏଣୁ ତତ୍‌କାଳୀନ ଟ୍ରାଫିକ୍‌ ଡିସିପି ସୌମ୍ୟା ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଟ୍ରାଫିକ୍‌ ପୁଲିସ ଏହି କାର୍ଯ୍ୟରୁ ନିବୃତ୍ତ ରହିଥିଲା। ଏବେ ମଧ୍ୟ ଟ୍ରାଫିକ୍‌ ପୁଲିସକୁ ଏହି ଦାୟିତ୍ବରୁ ମୁକ୍ତ ରଖାଯାଇଛି। ଏପଟେ ମଧ୍ୟ କଟକଣା କୋହଳ ହୋଇଯାଇଛି।

ତେବେ ରବିବାରଠାରୁ ଏହି କଟକଣା ପୁଣିଥରେ କଡ଼ାକଡ଼ି ହେବାକୁ ଯାଉଛି। ମାସ୍କ, ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦିଆଯାଇଛି। ହାଟ, ମଲ୍‌ ଓ ବିଭିନ୍ନ ଦୋକାନଗୁଡ଼ିକୁ ଟାର୍ଗେଟ କରାଯାଇଛି। ସ୍ବତନ୍ତ୍ର ଦଳ ଏହି ସବୁ ଭିଡ଼ ଜାଗା ଉପରେ ନଜର ରଖିବ। ଆବଶ୍ୟକ ପଡ଼ିଲେ ମାମଲା ମଧ୍ୟ ରୁଜୁ ହେବ। ଡବଲ ହେଲ୍‌ମେଟ୍‌ ହେଉ ବା କରୋନା କଟକଣା, ରାଜଧାନୀବାସୀ ବିଭିନ୍ନ କଟକଣାରେ ସହଯୋଗ କରିଛନ୍ତି। ଏଣୁ ଆଗକୁ ଏହି କରୋନା କଟକଣାକୁ ନେଇ ସହଯୋଗ କରନ୍ତୁ ବୋଲି ନିବେଦନ କରିଛନ୍ତି ଡିସିପି ଶ୍ରୀ ଦାଶ।

ସମ୍ବନ୍ଧିତ ଖବର