ଭୁବନେଶ୍ୱର: କୋଭିଡ୍ ମୁକାବିଲା ପାଇଁ ଅନ୍ଲକ୍-୩ରେ ସାମାଜିକ ଦୂରତ୍ବ ଓ ମାସ୍କ ପରିଧାନକୁ କମିସନରେଟ ପୁଲିସ ଗୁରୁତର ସହ ନେଇଛି। ଏଥିସହ ରାତି ୯ରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି ହୋଇଛି। ଏହି କଟକଣା ସମୟରେ ଜରୁରୀକାଳୀନ ସେବା ବିନା ଅନ୍ୟ କେହି ନଜରକୁ ଆସିଲେ ତାହାକୁ ୧୪୪ ଧାରା ଅବମାନନା ବୋଲି ଧରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ। ଏହି ସମୟରେ ବିଭିନ୍ନ ନାକା ସ୍ଥଳରେ ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଅନ୍ୟପଟେ ସବୁଠି ଜଗି ରହିବା ପୁଲିସ ପାଇଁ ସମ୍ଭବ ନ ଥିବାରୁ ଭୁବନେଶ୍ବରରେ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି ଡିସିପି ଉମାଶଙ୍କର ଦାଶ। ସର୍ବସାଧାରଣଙ୍କ ପାଇଁ ଏକ ହ୍ବାଟ୍ସ୍ଆପ୍ ନମ୍ବର (୭୪୪୦୦୦୬୭୦୯) ଜାରି କରାଯାଇଛି। ଯେଉଁଠି ସାମାଜିକ ଦୂରତ୍ବ ଉଲ୍ଲଂଘନ ହେବା ଭଳି ପରିଲକ୍ଷିତ ହେଉଛି ସେଠାର ଦୃଶ୍ୟର ଫଟୋ କିମ୍ବା ଭିଡିଓ ଉତ୍ତୋଳନ କରି ଲୋକମାନେ ଏହି ନମ୍ବରରେ ପଠାଇ ପାରିବେ। ଏହାକୁ ପଠାଇବା ବେଳେ ଘଟଣାଟି କେଉଁ ସ୍ଥାନର ସେ ନେଇ ମଧ୍ୟ ଉଲ୍ଲେଖ କରିବାକୁ କୁହାଯାଇଛି। ଫଳରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ସେ ସୂଚନା ଦେଇଛନ୍ତି।
ଏଥର ଜରିମାନା ପରିମାଣ ପାଖାପାଖି ୫ ଗୁଣ ବଢ଼ିଛି। ଏଣୁ ମାସ୍କ ଓ ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ ନ କରି ଏହି ମୋଟା ଅଙ୍କର ଜରିମାନାରୁ ଜନସାଧାରଣ ବିରତ ରୁହନ୍ତୁ। ଯିଏ ମାସ୍କ ପିନ୍ଧୁନି ସେ ନିଜର ସହ ଅନ୍ୟମାନଙ୍କର ଜୀବନ ପ୍ରତି ବିପଦ ଆଣୁଛି। ଏଣୁ ଉଲ୍ଲଂଘନକାରୀକୁ ଧରାଇ ଦେବା ପାଇଁ ଅନ୍ୟମାନଙ୍କର ଦାୟିତ୍ବ ରହୁଛି। ସେଥିପାଇଁ ଏହି ହ୍ବାଟ୍ସ୍ଆପ୍ ନମ୍ବର ବ୍ୟବହାର କରି ଜନସାଧାରଣ କୋଭିଡ୍ କଟକଣାକୁ ଶତ ପ୍ରତିଶତ ପାଳନ କରିବାରେ ସହଯୋଗ କରନ୍ତୁ ବୋଲି ଡିସିପି ଶ୍ରୀ ଦାଶ ଆହ୍ବାନ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/road-police-bk.jpg)