ଭୁବନେଶ୍ବରକୁ ଫେରିଲା କରୋନା କଟକଣା; ବଢ଼ିଲା ଶଯ୍ୟା ସଂଖ୍ୟା, ବଢ଼ିବ ନମୁନା ପରୀକ୍ଷା

କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ବିଏମ୍‌ସି

ଭୁବନେଶ୍ୱର : ଭୁବନେଶ୍ବରକୁ ଫେରିଛି କରୋନା କଟକଣା। ସମସ୍ତେ ମାସ୍କ ପିନ୍ଧିବେ। ସାମାଜିକ ଦୂରତା ବି ରକ୍ଷା କରିବେ। ଏଭଳି କଟକଣାକୁ କଡ଼ାକଡ଼ି କରିଛି ବିଏମ୍‌ସି। ବେଶ୍‌ କିଛି ଦିନ ଫୁଙ୍ଗୁଳା ବୁଲିବା ପରେ ଏବେ ରାଜଧାନୀବାସୀ ପୁଣି କରୋନା କଟକଣାରେ ରୁନ୍ଧି ହେବାକୁ ଯାଉଛନ୍ତି। ବିଏମ୍‌ସି ଗାଇଡ୍‌ଲାଇନ୍‌ ଜାରି ହେବା ପରେ ବେଶି ଭୟଭୀତ ହୋଇଛନ୍ତି ବ୍ୟବସାୟୀ। ଲଗାତାର ଦୁଇ ବର୍ଷ ଧରି ବେପାର ମାଡ଼ ଖାଇବା ପରେ ଏଇ କିଛି ଦିନ ହେବ ଅଣ୍ଟା ସଳଖୁଥିବା ବ୍ୟବସାୟୀଙ୍କ ଉପରେ ପୁଣି କରୋନା କଟକଣା ଦାଉ ସାଧିବାକୁ ଯାଉଛି। କୌଣସି ବ୍ୟବସାୟ ପ୍ରତିଷ୍ଠାନରେ କଟକଣା ଉଲ୍ଲଂଘନ ଅଭିଯୋଗ ହେଲେ ବା ପ୍ରମାଣିତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ବିଏମ୍‌ସି କହିଛି। ବ୍ୟବସାୟ ପ୍ରତିଷ୍ଠାନ ସିଲ୍‌ କରିଦେବା ଆଶଙ୍କା ମଧ୍ୟ ରହିଛି।

ଆଜିଠାରୁ ଭୁବନେଶ୍ବରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଭୁବନେଶ୍ବର‌ ବାସିନ୍ଦା ହୋଇଥାନ୍ତୁ ବା ବାହାରୁ ଆସୁଥାନ୍ତୁ, ସମସ୍ତେ ମାସ୍କ ପିନ୍ଧିବାକୁ ହେବ ବୋଲି ବିଏମ୍‌ସି ଗାଇଡ୍‌ଲାଇନ୍‌ ଜାରି କରିଛି। ମାସ୍କ ସହିତ ସାମାଜିକ ଦୂରତା ରକ୍ଷା କରିବା ମଧ୍ୟ କଡ଼ାକଡ଼ି କରାଯାଇଛି। ସର୍ବସାଧାରଣ ସ୍ଥାନରେ ପ୍ରତ୍ୟେକ ନିଜ ନିଜ ଭିତରେ ଦୁଇ ମିଟର ଦୂରତା ବଜାୟ ରଖିବେ। ମଲ୍‌, ଦୋକାନୀ ଓ ବିଭିନ୍ନ ଷ୍ଟୋର୍‌ରେ ଏଭଳି ସାମାଜିକ ଦୂରତା ପାଳନ ହେଉଛି ବୋଲି ମାଲିକମାନେ ସୁନିଶ୍ଚିତ କରିବେ। ଲୋକମାନେ ନିୟମିତ ହାତ ସାନିଟାଇଜ୍‌ କରିବେ। ବିଭିନ୍ନ ଅନୁଷ୍ଠାନରେ ପ୍ରବେଶ କରୁଥିବା ଲୋକଙ୍କୁ କର୍ତ୍ତୃପକ୍ଷ ହାତ ଧୋଇବା ପାଇଁ ସାନିଟାଇଜର ଯୋଗାଇ ଦେବେ। ସେହିଭଳି ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ କର୍ମଚାରୀମାନେ ଯେଭଳି କୋଭିଡ୍‌ କଟକଣା ପାଳନ କରିବେ। ଏହି କଟକଣା ପାଳନ ହେଉଛି ବୋଲି ସମ୍ପୃକ୍ତ କର୍ତ୍ତୃପକ୍ଷ ନିଶ୍ଚିତ କରିବେ। କେହି ପାନ ଖାଇ ବାହାରେ ଛେପ ପକାଇବେ ନାହିଁ।

NDTV.com

ବିଏମ୍‌ସିର ଜୋନାଲ୍‌ ଡେପୁଟି କମିସନର(ଜେଡ୍‌ଡିସି)ମାନେ ସ୍ବତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ କରି ଏହି କୋଭିଡ୍‌ କଟକଣା ଉପରେ ନଜର ରଖିବେ। କୌଣସି ପରିସ୍ଥିତିରେ ଏହି କଟକଣାକୁ କୋହଳ କରିବାକୁ ଦିଆଯିବ ନାହିଁ ବୋଲି କମିସନର ବିଜୟ ଅମୃତା କୁଲାଙ୍ଗେ ସ୍ପଷ୍ଟ କରିଛନ୍ତି। ସନ୍ଧ୍ୟାରେ ଏନେଇ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତା‌ରେ ଅନୁ‌ଷ୍ଠିତ ବୈଠକରେ କମିସନରଙ୍କ ସମେତ ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ଓ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସମେତ ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର ଓ ଅନ୍ୟ ଅଧିକାରୀମାନେ ବସି ଭୁବନେଶ୍ବରରେ କିଭଳି କରୋନାକୁ ବ୍ୟାପିବାକୁ ଦିଆଯିବନାହିଁ, ସେନେଇ ମାନସମନ୍ଥନ କରିଛନ୍ତି। ବୈଠକର ନିଷ୍ପତ୍ତି ମୁତାବକ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଟିକାକରଣ ପାଇଁ ପରାମର୍ଶ ଦେବାକୁ ସମ୍ପୃକ୍ତ ସ୍କୁଲ ପ୍ରଧାନ ଶିକ୍ଷକ ଓ ବିଇଓମାନଙ୍କୁ ଚିଠି ଲେଖାଯିବ। ନିଜ ନିଜ ବିଦ୍ୟାଳୟରେ ଟିକାକରଣ ବ୍ୟବସ୍ଥା କରିବାକୁ ପ୍ରଧାନ ଶିକ୍ଷକମାନଙ୍କୁ ଚିଠି ଲେଖାଯିବ। ବରି‌ଷ୍ଠ ନାଗରିକ ଓ ମହିଳାମାନଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ଗୋଷ୍ଠୀର ସହାୟତା ନିଆଯିବ। କୋଭିଡ୍‌ ନମୂନା ପରୀକ୍ଷା ମାତ୍ରା ବଢ଼ାଯିବ। କୋଭିଡ୍‌କୁ ନେଇ ଲୋକମାନଙ୍କର ବିଭିନ୍ନ ପ୍ରଶ୍ନ ଓ ସଂଶୟ ଦୂର କରିବା ପାଇଁ ୧୯୨୯ ହେଲ୍ପ ଲାଇନ୍‌ ନମ୍ବର ୨୪ ଘଣ୍ଟା ଖୋଲା ରହିବ। ପ୍ରତ୍ୟେକ ସରକାର ହସ୍ପିଟାଲରେ ନମୂନା ପରୀକ୍ଷା ପାଇଁ ସ୍ବତନ୍ତ୍ର ଟିମ୍‌ ରହିଛନ୍ତି।

ବର୍ତ୍ତମାନ ବଢ଼ୁଥିବା କରୋନା ରୋଗୀଙ୍କ ସଂଖ୍ୟାକୁ ଆଧାର କରି ଶଯ୍ୟା ସଂଖ୍ୟା ୨୫ରୁ ରୁ ୯୦କୁ ବୃଦ୍ଧି କରାଯାଇଥିବା ବୈଠକରେ ସୂଚନା ଦିଆଯାଇଛି। ତେବେ ଲୋକମାନଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି କମିସନର। ଉଲ୍ଲେଖଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲ୍ଲାର ଅନ୍ୟ ଅଞ୍ଚଳ ତୁଳନାରେ ଭୁବନେଶ୍ବର ବା ବିଏମ୍‌ସି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଗତ ୨୪ ତାରିଖରେ ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ‌ବେଳେ ୨୫ରେ ୩୭, ୨୬ରେ ୩୦, ୨୭ରେ ୨୧, ୨୮ରେ ୬୩, ୨୯ରେ ୫୯ ଓ ଆଜି ୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବେଳ ହୁଁ ସାବଧାନ ଆଧାରରେ କରୋନା ମୁକାବିଲା ପାଇଁ ବିଏମ୍‌ସି ଆଜି ଠାରୁ କଟକଣା କଡ଼ାକଡ଼ି କରିଛି।

ସମ୍ବନ୍ଧିତ ଖବର