କୋଭିଡ୍‌ କଟକଣା କଡ଼ାକଡ଼ି : ଏଣିକି ଅମାନିଆଙ୍କୁ ନିସ୍ତାର ନାହିଁ

୨୪ ଅଫିସର୍‌, ୧୪ ସେକ୍ସନ ଫୋର୍ସକୁ ନେଇ ଟିମ୍‌ ଗଠନ

ଭୁବନେଶ୍ୱର : ସାବଧାନ! ଏଣିକି କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଦୋକାନୀ ହୁଅନ୍ତୁ ବା ସାଧାରଣ ଲୋକ; ଯେଉଁଠି ନିୟମ ଉଲ୍ଲଙ୍ଘନ କରୁଥିବା ନଜରକୁ ଆସିବେ, ସେହି ସ୍ଥାନରେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ। ପୁଲିସ୍‌ ସେବା ଭବନରେ ପୁଲିସ୍‌ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଜି ଏପରି ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବର କମିସନରେଟ୍‌ ପୁଲିସ ଅଞ୍ଚଳରେ ଥିବା ୬ ଜୋନ୍‌ରେ ୨୪ଟି ସମ୍ବେଦନଶୀଳ ଜାଗା ଚିହ୍ନଟ କରାଯାଇଛି। ସେଠାରେ ତୀକ୍ଷ୍ଣ ନଜର ରଖାଯିବ। ଏହାର ପରିଚାଳନା ପାଇଁ ୩ଜଣ ଡିସିପି ଓ ୨୪ଜଣ ଅନ୍ୟ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ୧୪ ସେକ୍ସନ୍‌ ଫୋ‌ର୍ସକୁ ନେଇ ଗଠିତ ଏହି ଟିମ୍‌ ଆଜି ଗୋଟିଏ ଦିନରେ ୭୨୪ ଜଣଙ୍କଠାରୁ ୭୮ ହଜାର ୨୨୨ଟଙ୍କା ଆଦାୟ କରିଛି। ସେଥିମଧ୍ୟରେ ୨୨୨ଜଣ ଦୋକାନୀ ଓ ୫୦୨ଜଣ ସାଧାରଣ ଲୋକ ଥିବା ଜଣାଯାଇଛି।

ଜୋନ୍‌-୧ ଓ ୨ ଦାୟିତ୍ବରେ ଡିସିପି(ସିକ୍ୟୁରିଟି) ନିର୍ମଳ ଶତପଥୀ ରହିଥିବା ବେଳେ ଜୋନ୍‌-୪ ଓ ୫ ଦାୟିତ୍ବରେ ନବନିଯୁକ୍ତ ଟ୍ରାଫିକ୍‌ ଡିସିପି ସୌମ୍ୟା ମିଶ୍ର ରହିଛନ୍ତି। ଜୋନ୍‌ ୩ ଓ ୬ ଦାୟିତ୍ବରେ ଡିସିପି(ଆର୍ମଡ୍‌) ବିଜୟ କୁମାର ସାହୁ ରହିଛନ୍ତି। ସକାଳୁ ରାତି ପର୍ଯ୍ୟନ୍ତ ଦଫା ଦଫାରେ ଏହି ଟିମ୍‌ଗୁଡ଼ିକ କାମ କରିବ। ୧ ନମ୍ବର ହାଟ, ମାର୍କେଟ୍‌ ବିଲ୍ଡିଂ, ସୁନ୍ଦରପଦା ହାଟ, ଭିଏସ୍‌ଏସ୍‌ ନଗର ହାଟ, ପଳାସୁଣି, ଇନ୍ଦ୍ରଧନୁ ମାର୍କେଟ୍‌, ପ୍ରିୟଦର୍ଶିନୀ ମାର୍କେଟ୍‌, ପଟିଆ ହାଟ ପ୍ରମୁଖ ଉପରେ ତୀକ୍ଷ୍ଣ ନଜର ରଖାଯିବ। ଏଠାରେ ମାସ୍କ, ସାମାଜିକ ଦୂରତା ଓ ପାନ ଛେପ ଏଣେ ତେଣେ ଫିଙ୍ଗିବା ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଆଜି ଅପରାହ୍‌ଣରୁ ଏହି ଚଢ଼ଉ ଆରମ୍ଭ ହେବା ସହ ମୋଟା ଅଙ୍କର ଜରିମାନା ଆଦାୟ ହୋଇଛି। ତେବେ ଏହି ସବୁ ଜାଗା ସହ ଅଧିକାରୀମାନେ ସନ୍ଦେହ କରୁଥିବା କିମ୍ବା ଖବର ପାଇ ମଧ୍ୟ ଅନ୍ୟ ଜାଗାମାନଙ୍କରେ ଚଢ଼ଉ କରିବାକୁ କୁହାଯାଇଛି।

ଅପରପକ୍ଷେ ଅପରାଧ ଗତିବିଧିକୁ ପ୍ରତିହତ କରିବା ପାଇଁ ନାଇଟ୍‌ ବ୍ଲକିଂ କଡ଼ାକଡ଼ି କରିବାକୁ ମଧ୍ୟ ଟିମ୍‌ ଗଠନ କରାଯାଇଛି। ୩୫ ଜାଗାରେ ଛିଡ଼ା ହୋଇ ନାଇଟ୍‌ ବ୍ଲକିଂ କରିବା ପାଇଁ ୩୫ ଅଫିସର ଓ ୨ ସେକ୍ସନ‌ ଫୋର୍ସକୁ ନେଇ ଗୋଟିଏ ଲେଖାଏଁ ଟିମ୍‌ ଗଠନ ହୋଇଛି। ରାତି ୧୦ରୁ ସକାଳ ୪ଟା ପର୍ଯ୍ୟନ୍ତ ଏହି ବ୍ଲକିଂ ଚାଲିବ। ଏହି ବ୍ଲକିଂ ଜାଗାଗୁଡ଼ିକ ମଧ୍ୟରେ ଗଙ୍ଗନଗର, ଲିଙ୍ଗିପୁର, ଆଚାର୍ଯ୍ୟବିହାର, ପଳାସୁଣି, ପାତ୍ରପଡ଼ା, ଆଇଗିଣିଆ, ରଘୁନାଥପୁର, କଲିଙ୍ଗ ଷ୍ଟୁଡିଓ ପ୍ରଭୃତି ଛକ ପ୍ରମୁଖ ରହିଛି। ଏହି ବ୍ଲକିଂ ଟିମ୍‌ ସନ୍ଦେହ ହେଉଥିବା ପ୍ରତ୍ୟେକ ଗାଡ଼ିକୁ ଯାଞ୍ଚ କରିବେ। ତା’ ସହ ସନ୍ଦେହଜନକ ଭାବରେ ବୁଲୁଥିବା ବ୍ୟକ୍ତି ବିଶେଷ ମଧ୍ୟ ଏହି ଯାଞ୍ଚର ସମ୍ମୁଖୀନ ହେବେ ବୋଲି କମିସନରେଟ୍‌ ପୁଲିସ ସୂତ୍ରରୁ ଖବର ମିଳିଛି। ଆଜି ରାତି ୧୦ଟାରୁ ଏହି ବ୍ଲକିଂ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର