କୋଭିଡ୍‌ ନିୟମ ଉଲ୍ଲଂଘନ : ରାତିଅଧିଆ ଚଢ଼ଉ, ୪ ବାର୍‌ ସିଲ

ଅମାନିଆଙ୍କଠାରୁ ୩୨ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର/ଚନ୍ଦ୍ରଶେଖରପୁର : କୋଭିଡ୍‌ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ କମିସନରେଟ୍‌ ପୁଲିସ୍‌ ଆଜି ରାଜଧାନୀର ୪ଟି ବାର୍‌କୁ ସିଲ୍‌ କରିବା ସହ ୩୨ ହଜାର ଟଙ୍କା ଜରିମାନା ଆଦାୟ କରିଛି। ସେଗୁଡ଼ିକ ହେଲା, କ୍ୟାପିଟାଲ ଥାନା ଅଞ୍ଚଳରେ ଥିବା ଅଜିତ୍‌ ବାର୍‌, ଖାରବେଳନଗର ଥାନା ଅଞ୍ଚଳରେ ଥିବା ମ୍ୟାଡ୍‌ମୁଲ୍‌ ବାର୍‌, ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ମହାନ୍ତି ବାର୍‌ ଓ ସ୍ବାଗତ ବାର୍‌। ରାତି ପ୍ରାୟ ସାଢ଼େ ୯ଟାରୁ ଆରମ୍ଭ ହୋଇଥିବା ଚଢ଼ଉ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଛି।

ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀ‌ରେ ଥିବା ବାର୍‌ଗୁଡ଼ିକରେ କୋଭିଡ୍‌ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଆଜି ରାତିରେ ଏହି ଚଢ଼ଉ ଆରମ୍ଭ ହୋଇଥିଲା। ଭୁବନେଶ୍ୱର ଡିସିପି ଉମାଶାଙ୍କର ଦାଶ ୩ଟି ଜୋନ୍‌ ଏସିପିଙ୍କୁ ନେଇ ୩ଟି ଟିମ୍ ଗଠନ କରିଥିଲେ। ଏସିପିଙ୍କ ନେତୃତ୍ୱରେ ୧୫ଅଫିସର୍‌, ୫ପ୍ଲାଟୁନ୍‌ ଫୋର୍ସ ରାତି ପ୍ରାୟ ସାଢ଼େ ୯ଟାରୁ ପର୍ଯ୍ୟାୟକ୍ର‌ମେ ଚଢ଼ଉ କରିଥିଲେ। ଯେଉଁଠାରେ କୋଭିଡ୍‌ ନିୟମ ଉଲ୍ଲଙ୍ଘନ ହେଉଥିବାର ନଜର ଆସିଥିଲା, ସେଠାରେ ପୁଲିସ୍‌ ଅମାନିଆଙ୍କଠାରୁ ଜରିମାନା ଆଦାୟ କରିବା ସହ ଆବଶ୍ୟକସ୍ଥଳେ ବାର୍‌ଗୁଡ଼ିକୁ ସିଲ୍‌ କରିଥିଲା। ସେହିପରି ଅଧିକାଂଶ ବାର୍‌ର ମାଲିକ ଓ କର୍ମଚାରୀମାନଙ୍କୁ ପୁଲିସ୍‌ ତାଗିଦ୍‌ ମଧ୍ୟ କରିଥିବା ଜଣାଯାଇଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦୁଇଟି ଓ ଇନ୍‌ଫୋସିଟି ଅଞ୍ଚଳରେ ଦୁଇଟି ବାର୍ ଉପରେ ମଧ୍ୟ ପୁଲିସ୍‌ ଚଢ଼ଉ କରିଥିଲା। ଉକ୍ତ ବାର୍‌ଗୁଡ଼ିକରେ ଯୁବକ/ଯୁବତୀ ପାର୍ଟି କରିବା ସହ ନାଚଗୀତରେ ମସ‌ଗୁଲ୍ ଥିବା ପୁଲିସ୍‌ ଦେଖିବାକୁ ପାଇଥିଲା। ବାର୍‌ ଭିତରେ ସାମାଜିକ ଦୂରତା ନଥିବା କିମ୍ବା ମୁହଁରେ ମାସ୍କ ପିନ୍ଧି ନଥିବା ଅବସ୍ଥାରେ ପାଖାପାଖି ୩୦ରୁ ଅଧିକ ଲୋକଙ୍କଠାରୁ ଜରିମାନା ଆଦାୟ କରିଛି। ଏହାସହ ବାର୍ ପରିଚାଳକଙ୍କଠାରୁ ତଣ୍ଡ ଆଦାୟ କରି କଡ଼ା ତାଗିଦ୍‌ କରିଛି।

ସମ୍ବନ୍ଧିତ ଖବର