ୟୁନିଟ୍‌-୧ ପଡ଼ିଆରେ ରାପିଡ୍‌ ଟେଷ୍ଟ ଚିନ୍ତା ବଢ଼ାଇଲା, ୨ଜଣଙ୍କ ରକ୍ତ ନମୁନା ପଜିଟିଭ୍ ବାହାରିବା ପରେ ସ୍ବାବ୍‌ ଟେଷ୍ଟ୍‌ ପାଇଁ ପଠାଗଲା

୩ ହଜାର ଲୋକଙ୍କର ରାପିଡ୍‌ ଟେଷ୍ଟ

ଭୁବନେଶ୍ବର : ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ରାଜଧାନୀର ତିନିଟି ଜୋନ୍‌ରେ ପ୍ରାୟ ୩ହଜାର ଲୋକଙ୍କର ରାପିଡ୍‌ ଟେଷ୍ଟ କରାଯାଇଛି। ଏଥିରେ ବିଏମ୍‌ସି ଉତ୍ତର ଜୋନ୍‌ରେ ୭୮୭, ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୭୦୦ ଏବଂ ଦକ୍ଷିଣ-ପୂର୍ବ ଜୋନ୍‌ରେ ପ୍ରାୟ ୧୫୦୦ ଲୋକଙ୍କର ରାପିଡ୍‌ ଟେଷ୍ଟ ହୋଇଛି। ହେଲେ ୟୁନିଟ-୧ ପଡ଼ିଆରେ ଆଜି ରାପିଡ୍‌ ଟେଷ୍ଟ ହେବା ବେଳେ ୨ଜଣଙ୍କର ନମୁନା ପଜିଟିଭ୍ ବାହାରିବାରୁ ଦୁଇଜଣଙ୍କୁ ସ୍ବାସ୍ଥ୍ୟ ବିଭାଗ ଉଠାଇ ନେଇଛି। ସେମାନଙ୍କର ସ୍ବାବ୍‌ ଟେଷ୍ଟ୍‌ ପାଇଁ ପଠାଯାଇଥିବ‌ା ବେଳେ ଚୂଡ଼ାନ୍ତ ରିପୋର୍ଟକୁ ‌ଅପେକ୍ଷା କରାଯାଇଛି।

ୟୁନିଟ-୧ ପଡ଼ିଆରେ ଆଜି ନମୁନା ସଂଗ୍ରହ ବେଳେ ସ୍ବାସ୍ଥ୍ୟକର୍ମୀମାନେ ସାମାଜିକ ଦୂରତା ରଖି ନଥିଲେ। ଗହଳି ଯୋଗୁଁ ଠେଲାପେଲା ହୋଇ ଲୋକ ନମୁନା ଦେଉଥିବା ଦେଖିବାକୁ ମିଳିଥିଲା। ହେଲେ ଯେତେବେଳେ ଦୁଇ ଜଣଙ୍କର ପଜିଟିଭ୍ ଆସିଲା, ତା’ ପରେ ସମସ୍ତେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ସ୍ବାସ୍ଥ୍ୟକର୍ମୀମାନେ ଏହାପରେ ବି ସାମାଜିକ ଦୂରତା ରଖି ନମୁନା ସଂଗ୍ରହ କରିଥିଲେ। କିନ୍ତୁ ଏଠାକୁ ରାପିଡ୍‌ ଟେଷ୍ଟ କରିବାକୁ ଯାଇଥିବା ଲୋକମାନେ ଏବେ ଭୟଭୀତ ହୋଇଯାଇଛନ୍ତି। ରାପିଡ୍‌ ଟେଷ୍ଟରେ ଯେଉଁମାନଙ୍କର ପଜିଟିଭ୍ ଆସିଛି, ସେମାନଙ୍କର ସ୍ବାବ୍‌ ଟେଷ୍ଟ ଯଦି ପଜିଟିଭ୍ ଆସିବ, ତେବେ ଆଜି ଏହି କେନ୍ଦ୍ରରେ ରାପିଡ୍‌ ଟେଷ୍ଟ କରିଥିବା ସମସ୍ତ ଲୋକଙ୍କୁ ୧୪ ଦିନିଆ ସଙ୍ଗରୋଧ‌ରେ ରହିବାକୁ ପଡ଼ିବ।

ସମ୍ବନ୍ଧିତ ଖବର