ଟାଇଫଏଡ୍‌ ରୋଗୀ ହୋଇପାରନ୍ତି କୋଭିଡ୍‌ ସୁପରସ୍ପ୍ରେଡର୍‌ : ଡା. ନିରୋଜ ମିଶ୍ର

କରୋନା ମହାମାରୀ ଓଡ଼ିଶାକୁ ଆସିବାର ୬ମାସ ବିତିଗଲାଣି। ରାଜ୍ୟରେ ଏବେ ବି ସଂକ୍ରମଣ ଉପରମୁହାଁ ହୋଇରହିଛି। ପ୍ରତ୍ୟେକ ଦିନ ରାଜ୍ୟରୁ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସରକାରଙ୍କଠାରୁ ଆରମ୍ଭ କରି ଗଣମାଧ୍ୟମ ଓ ଅନ୍ୟସ୍ତରରେ ସଚେତନତା ଏବେ ବି ଜାରି ରହିଛି। ଅନେକ ସଚେତନ ହୋଇଥିଲେ ହେଁ କିଛି ଲୋକଙ୍କୁ କୌଣସି ଫରକ ପଡ଼ୁନାହିଁ। ଏହା ଭିତରେ ରାଜ୍ୟରେ କିଛି ନୂଆ ଲକ୍ଷଣ ମଧ୍ୟ ରୋଗୀଙ୍କ ଶରୀରରେ ଦେଖିବାକୁ ମିଳିଲାଣି। ଏସବୁ ବିଷୟରେ ବରିଷ୍ଠ ଚିକିତ୍ସକ ଡା. ନିରୋଜ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି ‘ସମ୍ବାଦ’ ପ୍ରତିନିଧି କ୍ଷିତୀଶ ରାୟ…

ଟାଇଫଏଡ୍ ଓ କୋଭିଡ୍‌ ରୋଗୀଙ୍କୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଅନେକ ଟାଇଫଏଡ୍ ରୋଗୀଙ୍କୁ ପରୀକ୍ଷା ପରେ ସେମାନେ କୋଭିଡ ପଜିଟିଭ୍ ଚିହ୍ନଟ ହେଉଛନ୍ତି। କାହିଁକି ଏଭଳି ଦେଖାଦେଉଛି?
ସାଧାରଣତଃ ବ୍ଲଡ୍ ବା ରକ୍ତ କଲଚର୍ ଦ୍ବାରା ଜଣଙ୍କୁ ଟାଇଫଏଡ୍ ହୋଇଛି କି ନାହିଁ, ତାହା ସ୍ପଷ୍ଟ ହୋଇଥାଏ। କିନ୍ତୁ ଅଧିକାଂଶ ୱିଡାଲ୍ ଟେଷ୍ଟ ଉପରେ ନିର୍ଭର କରୁଛନ୍ତି, ଯାହାକି ଠିକ୍ ନୁହେଁ। ଏହି ରିପୋର୍ଟ ଉପରେ ଲୋକଙ୍କୁ ଟାଇଫଏଡ୍ ରୋଗୀ ବୋଲି କହୁଛନ୍ତି। ପ୍ରଥମ ସପ୍ତାହରେ ବ୍ଲଡ୍ କଲଚର୍ କଲେ ତାହା ପଜିଟିଭ୍ ଆସିଥାଏ। ପରବର୍ତୀ ସମୟରେ ପରିସ୍ରା କିମ୍ବା ଝାଡ଼ା ପରୀକ୍ଷା ଦ୍ବାରା ଟାଇଫଏଡ୍ ସ୍ପଷ୍ଟ ହୋଇଥାଏ। ୱିଡାଲ୍ ଟେଷ୍ଟ ପାଇଁ ଜଣେ ବ୍ୟକ୍ତିଙ୍କ ଅତି କମ୍‌ରେ ଗୋଟିଏ ସପ୍ତାହ ଜ୍ବର ହୋଇଥିବା ଆବଶ୍ୟକ। ଏହାସହ ଫୋର ଫୋଲ୍ଡ ରାଇଜ୍ ଇନ ଟାଇଟର ହେବା ମଧ୍ୟ ଜରୁରୀ। ତାହାଲେ ହୁଏତ କିଛି ଆଶା ଦେଖାଇପାରେ। ବହୁତ ପୂର୍ବରୁ ଏହି ପରୀକ୍ଷା କରାଯାଉଥିଲା। ତେଣୁ ଅଧିକାଂଶ କ୍ଷେତ୍ରରେ ଏସବୁ ରୋଗୀ କୋଭିଡ ପଜିଟିଭ୍ ବୋଲି ଚିହ୍ନଟ ହେଉଛନ୍ତି। ଫଳରେ ସେମାନେ ଜଣେ ଜଣେ ସୁପରସ୍ପ୍ରେଡର୍ ହେବାର ଆଶଙ୍କା ରହିଛି।

ପତାଳା ଝାଡ଼ା ହେବା କ’ଣ କୋଭିଡ୍‌ର ଲକ୍ଷଣ?
କେବଳ ପତଳା ଝାଡ଼ା କୋଭିଡ୍‌ର ଲକ୍ଷଣ ନୁହେଁ। ପତଳା ଝାଡ଼ା ସହ ଶରୀରରେ ଯନ୍ତ୍ରଣା ଓ ଖାଦ୍ୟ ପ୍ରତି ଆଗ୍ରହ ସୃଷ୍ଟି ନ ହେବା ଲକ୍ଷଣ ହୋଇପାରେ। ଏପରି ଅନେକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ପରବର୍ତୀ ସମୟରେ ପରୀକ୍ଷା କରିବା ଦ୍ବାରା କୋଭିଡ ପଜିଟିଭ୍ ବୋଲି ଜଣାପଡ଼ୁଛି। ଏସବୁ ଲୋକଙ୍କ ଶରୀରରେ ଜ୍ବର କିମ୍ବା କାଶ ହୁଏତ ନ ଥାଇପାରେ, ହେଲେ ଧଇଁସଇଁ ହୋଇ ପଡ଼ୁଥିବା ନଜରକୁ ଆସୁଛି। ଏକ୍ସ ରେ’ କିମ୍ବା ସିଟି ସ୍କାନ୍ କରିବା ଦ୍ବାରା ସେମାନଙ୍କ ଫୁସଫୁସ୍ ସଂକ୍ରମିତ ହୋଇଥିବା ଜଣାପଡ଼ୁଛି। ଏପରିକି କିଛି ଲୋକଙ୍କ ଆରଟି-ପିସିଆର୍‌ ରିପୋର୍ଟ ନେଗେଟିଭ୍ ରହିଥିଲେ ହେଁ ଏକ୍ସ-ରେ’ରେ କୋଭିଡ୍ ବୋଲି ଧରାପଡ଼ୁଛି। ଆଜିର ସମୟରେ ଯେକୌଣସି ଜ୍ବରକୁ ‘ଡି ଫାକ୍ଟୋ’କୋଭିଡ୍ ବୋଲି ଧରିବାକୁ ହେବ। ତେଣୁ ଏସବୁ ଲୋକମାନେ ନିଜର କୋଭିଡ୍ ପରୀକ୍ଷା କରାଇ ନେବା ଉଚିତ। ଫଳରେ ଡାକ୍ତରଙ୍କୁ ଅନ୍ୟ ରୋଗର କାରଣ ଖୋଜିବାରେ ଏହା ସହାୟକ ହୋଇପାରିବ।

କୋଭିଡ୍‌ ପରୀକ୍ଷାରେ ସିଟି ବା ସାଇକେଲ ଥ୍ରେସହୋଲ୍ଡ ଭ୍ୟାଲୁକୁ ନେଇ ଏବେ ଚର୍ଚା ଜୋର ଧରିଛି। ଏହା କ’ଣ ଓ ଏହା ଜରୁରୀ କି?
ସିଟି ଭ୍ୟାଲୁକୁ ନେଇ ଏତେ ଗୁରୁତ୍ବ ଦେବା ଉଚିତ ନୁହେଁ। ଆଇସିଏମ୍ଆର୍ ପକ୍ଷରୁ ଏନେଇ ଅଗଷ୍ଟ ମାସରେ ଏକ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ସିଟି ଭ୍ୟାଲୁ ଅଧିକ(୩୩-୩୪) ରହିଲେ, ସଂପୃକ୍ତ ରୋଗୀ ଅନ୍ୟ କାହାକୁ ସଂକ୍ରମିତ କରିପାରିବ ନାହିଁ। ଅପରପକ୍ଷରେ ୨୦ ତଳକୁ ରହିଲେ ରୋଗୀ ଅନ୍ୟକୁ ସଂକ୍ରମିତ କରିପାରିବ ବୋଲି ଧରାଯାଇଥାଏ। କୋଭିଡ୍‌ ନମୁନା ସଂଗ୍ରହ କରାଯାଉଥିବା ଲୋକର ନାକ ଓ ପାଟିରୁ ନିଆଯାଉଥିବା ସ୍ବାବ୍‌ରୁ ସିଟି ଭ୍ୟାଲୁର ଫଳାଫଳରେ ଅସମାନତା ଦେଖାଦେଇଥାଏ। ଏପରିକି ସଂକ୍ରମଣ ଆରମ୍ଭ ଦିନଗୁଡ଼ିକରେ ନମୁନାରେ ସିଟି ଭ୍ୟାଲୁ ଅଧିକ ଦେଖାଇଥାଏ। ହୁଏତ ପରବର୍ତୀ ସମୟରେ ସିଟି ଭ୍ୟାଲୁ କମ୍ ହୋଇ ସଂପୃକ୍ତ ରୋଗୀଟି ସୁପରସ୍ପ୍ରେଡର୍‌ ପାଲଟିପାରେ। ତେଣୁ ସିଟିଭ୍ୟାଲୁ କମ୍ ହେଉ ବା ଅଧିକ; ରୋଗୀଟିଏ ଯଦି ପଜିଟିଭ୍, ତାହାଲେ ସେହି ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ।

ରାପିଡ୍ ଆଣ୍ଟିଜେନ୍ ପରୀକ୍ଷାକୁ ଅନେକ ବିଶେଷଜ୍ଞ ନାପସନ୍ଦ କରୁଛନ୍ତି। ଏହି ପରୀକ୍ଷା ଦ୍ବାରା ଅନେକ ଚିହ୍ନଟ ହୋଇପାରୁ ନାହାନ୍ତି ବୋଲି କୁହାଯାଉଛି। ଏହାକୁ କିଭଳି ଦେଖୁଛନ୍ତି?
ରାପିଡ୍ ଆଣ୍ଟିଜେନ୍ କିଟ୍‌ରେ ସେନ୍ସିଟିଭ୍ ଭ୍ୟାଲୁ ୩୦-୫୦ ପ୍ରତିଶତ ଥିବା ବେଳେ ଆର୍‌ଟି-ପିସିଆର ସେନ୍ସିଟିଭି ୭୦ପ୍ରତିଶତ। ତେଣୁ ଦୁଇ ପରୀକ୍ଷାରେ ଆମେ କିଛି ରୋଗୀଙ୍କୁ ନିଶ୍ଚିତ ଭାବେ ଚିହ୍ନଟ କରିପାରିବା ନାହିଁ। ମାତ୍ର ରାପିଡ୍ ଆଣ୍ଟି‌ଜେଡ଼ରେ ଜଲ୍‌ଦି ରିପୋର୍ଟ ଆସୁଥିବାରୁ ଅଧିକରୁ ଅଧିକ ରୋଗୀଙ୍କୁ ଚିହ୍ନଟ କରାଯାଇପାରିବ। ତେବେ ଯେଉଁମାନଙ୍କ କୋଭିଡ୍ ସନ୍ଦେହ ହେବ, ସେମାନଙ୍କୁ ଆର୍‌ଟି-ପିସିଆର୍‌ କରିବାରେ କୌଣସି ସମସ୍ୟା ନାହିଁ। ଅପରପକ୍ଷେ ଆର୍‌ଟି-ପିସିଆର୍‌ରେ ସମୟ ଲାଗିଥାଏ। ତେଣୁ ଏହି ସମୟ ଭିତରେ ଲୋକମା‌ନେ ଅନ୍ୟକୁ ସଂକ୍ରମଣ କରିବାର ଆଶଙ୍କା ମଧ୍ୟ ରହିଛି।

ନିକଟରେ କୋଭିଡ୍ ନମୁନା ପରୀକ୍ଷାରେ କିଛି ବିଧାୟକ ପୁଣିଥରେ କୋଭିଡ ପଜିଟିଭ୍ ଜଣାପଡ଼ିଛି। ସେମାନେ ପୁନର୍ବାର ସଂକ୍ରମିତ ହୋଇଛନ୍ତି କି?
ଏହାକୁ ପୁନଃ ସଂକ୍ରମଣ ବୋଲି କୁହାଯାଇ ପାରିବ ନାହିଁ। ହଂକଂରେ ଆଜି ପର୍ଯ୍ୟନ୍ତ ଗୋଟିଏ ପୁନଃ ସଂକ୍ରମଣ କେସ୍ ଚିହ୍ନଟ ହୋଇଛନ୍ତି। ଦକ୍ଷିଣ କୋରିଆରେ ଯେଉଁ ଶତାଧିକ ଲୋକ ପୁନର୍ବାର ଚିହ୍ନଟ ହୋଇଥିଲେ, ସେମାନେ କାହାକୁ ସଂକ୍ରମିତ କରିପାରିବେ ନାହିଁ ବୋଲି ଜଣାପଡ଼ିଥିଲା। ଆର୍‌ଟି-ପିସିଆର୍‌ ଏକ ଅତ୍ୟନ୍ତ ସମ୍ବେଦନଶୀଳ ପରୀକ୍ଷା। ଯଦି ନାକରୁ ନିଆଯାଉଥିବା ନମୁନାରେ ମୃତ ଭୂତାଣୁ ରହିଥାଏ, ତାହାଲେ ଏହି ପରୀକ୍ଷାରେ ତାହା ପୁନର୍ବାର ପଜିଟିଭ୍ ଦେଖାଇବ। ବିଧାୟକମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ହୋଇଥିବ ବୋଲି ଭାବୁଛି। ତେଣୁ ଜଣେ କରୋନା ପଜିଟିଭ୍ ହେବାର ୧୦ଦିନ ପରେ(ଜ୍ବର ନ ଥିଲେ) ପୁନର୍ବାର ପରୀକ୍ଷା ପାଇଁ ସରକାର ବାରଣ କରିଛନ୍ତି। ଫଳରେ ଏଭଳି ଦ୍ବନ୍ଦ୍ବକୁ ଦୂର କରିବା ଲାଗି ଆଇସିଏମ୍ଆର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଯଦି କରୋନାରୁ ସୁସ୍ଥ ହୋଇଥିବା ରୋଗୀର ପରବର୍ତୀ ସମୟରେ କୋଭିଡ୍ ଲକ୍ଷଣ ଦେଖାଦିଏ, ତାହାଲେ ହୁଏତ ପରୀକ୍ଷା କରିବାର ଆବଶ୍ୟକତା ରହିଛି।

ମୃତକଙ୍କ କୋଭିଡ୍ ପରୀକ୍ଷା କରିବା ଲାଗି ରାଜ୍ୟ ସରକାର ମନା କରିଛନ୍ତି। ଏହାଦ୍ବାରା ସଂପୃକ୍ତ ବ୍ୟକ୍ତି କେଉଁଥିରେ ପ୍ରାଣ ହରାଇଲା, ତାହା ଜାଣିବା ମୁସ୍କିଲ୍। ଏହାସହ ଯଦି ସଂପୃକ୍ତ ବ୍ୟକ୍ତି ସଂକ୍ରମିତ ହୋଇଥା’ନ୍ତି, ତାହାଲେ ଅନ୍ୟମାନେ ସଂକ୍ରମିତ ହୋଇପାରିବେ କି?
ରାଜ୍ୟ ସରକାର କ’ଣ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି, ତାହା ଉପରେ ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ। ତେବେ ସଂକ୍ରମିତ ମୃତ ବ୍ୟକ୍ତିଙ୍କଠାରୁ ଅନ୍ୟମାନେ ସଂକ୍ରମିତ ହେବାର ଆଶଙ୍କା ଯଥେଷ୍ଟ କମ୍। ଯଦି ମୃତକଙ୍କ ଶରୀରରୁ କୌଣସି ଫ୍ଲୁଇଡ୍ ବାହାରୁଛି ଓ ଯଦି ସେ ସଂକ୍ରମିତ ଥା’ନ୍ତି, ତାହାଲେ ହୁଏତ ସଂକ୍ରମଣ ହେବାର କିଛି ସମ୍ଭାବନା ରହିଛି। ମୃତକଙ୍କ ଶରୀରରେ ଏଟିପି ବିକଶିତ ହୁଏ ନାହିଁ। ତେବେ ଅନେକ ରିସିଭ୍ ଡେଡ୍ ରୋଗୀଙ୍କ ପରୀକ୍ଷା କରିବା ପରେ ସେମାନେ କରୋନା ପଜିଟିଭ୍ ଥିବା ନଜରକୁ ଆସୁଛି।

ସମ୍ବନ୍ଧିତ ଖବର