ରାଜଧାନୀରେ କରୋନା ପରୀକ୍ଷା ଦେଢ଼ ଲକ୍ଷ ଟପିଲା

ଭୁବନେଶ୍ୱର : ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୧୪୪୯୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ଏଥିପାଇଁ ଭୁବନେଶ୍ବରରେ ୧,୫୨,୬୭୪ ଜଣଙ୍କର ନମୁନା ସଂଗ୍ରହ ହୋଇଛି। ମାର୍ଚ୍ଚ ମାସରୁ କରୋନା ପରୀକ୍ଷା ଆରମ୍ଭ ହୋଇଥିଲେ ହେଁ ଅଗଷ୍ଟ ଓ ସେପ୍ଟେମ୍ବର କରୋନା ପରୀକ୍ଷା ବ୍ୟାପକ କରାଯାଇଛି। ଏପରିକି ସେପ୍ଟେମ୍ବର ମାସରେ ଦୈନିକ ପ୍ରାୟ ୩ହଜାର ଲୋକଙ୍କର ନମୁନା ସଂଗ୍ରହ କରାଯାଉଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ରାଜଧାନୀରେ ହୋଇଥିବା କରୋନା ପରୀକ୍ଷା ଓ ଚିହ୍ନଟ ଆକ୍ରାନ୍ତଙ୍କ ହିସାବକୁ ଦେଖିଲେ ପ୍ରତି ୧୦୦ ଜଣରେ ୯.୪୯ ଜଣଙ୍କର ପଜିଟିଭ୍ ବାହାରିଛି। ୮ତାରିଖ ସଂଧ୍ୟା ସୁଦ୍ଧା ୧,୫୨,୬୭୪ଜଣ କରୋନା ପରୀକ୍ଷଣ କରିଥିବାବେଳେ ଏଥିରୁ ସରକାରୀ ବ୍ୟବସ୍ଥାରେ ୬୬,୮୯୧ ଜଣଙ୍କର ଆରଟି-ପିସିଆର୍, ୩୮,୪୭୮ ଜଣଙ୍କର ଆଣ୍ଟିଜେନ୍‌, ୬୨୧ ଜଣ ଟ୍ରୁନାଟ୍‌ ପରୀକ୍ଷା ହୋଇଛି। ୪୬,୬୮୪ ଜଣ ଘରୋଇ ହସ୍ପିଟାଲରେ ପରୀକ୍ଷା କରିଛନ୍ତି। ଏବେ ବିଏମ୍‌ସି ପକ୍ଷରୁ ୨୩ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମାଗଣାରେ କରୋନା ପରୀକ୍ଷା କରାଯାଉଛି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ ପ୍ରତି ୧୦ଲକ୍ଷ ଲୋକରେ ୧୨୬୫ଜଣଙ୍କର ପରୀକ୍ଷା ହେଉଛି। ଯାହା ସାରା ଦେଶରେ ଦ୍ବିତୀୟ ସର୍ବାଧିକ। ଏପରିକି ଜାତୀୟ ହାର ୫୮୦ ରହିଛି।

କ୍ୟାପିଟାଲ ହସ୍ପିଟାଲ ୟୁଟିଲିଟି ସେଣ୍ଟର ଦୋକାନୀ ଆକ୍ରାନ୍ତ
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଥିବା ୟୁଟିଲିଟି ସେଣ୍ଟରରେ ଜଣେ ଦୋକାନୀ କରୋନା ସଂକ୍ରମିତ ହୋଇଛନ୍ତି। ଏପରିକି ତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୟୁଟିଲିଟି ସେଣ୍ଟରକୁ ବହୁ ସଂଖ୍ୟାରେ ରୋଗୀ ଖାଇବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଯାଉଥିବା ବେଳେ ଲୋକାମାନଙ୍କ ଭିତ‌ରେ ଭୟ ସୃଷ୍ଟି ହୋଇଛି।

ମନ୍ଦିର କାର୍ଯ୍ୟାଳୟରେ ପଶିଲା କରୋନା
ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ କରୋନା ପ୍ର‌ବେଶ କରିଛି। କାର୍ଯ୍ୟାଳୟର ଜଣେ ପିଅନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ପଜିଟିଭ୍‌ ରିପୋର୍ଟ ଆସିବା ପରେ ତାଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ଆସନ୍ତାକାଲି ମନ୍ଦିର କାର୍ଯ୍ୟାଳୟକୁ ସାନିଟାଇଜ୍‌ କରାଯିବ ବୋଲି ବିଏମ୍‌ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି। ତେବେ ଉକ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ ସ୍ବାବ୍‌ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।

କରୋନାରେ ଭିଡିଓ ସମ୍ପାଦକଙ୍କ ମୃତ୍ୟୁ
ଭୁବନେଶ୍ୱର : ଜଣାଶୁଣା ଭିଡିଓ ଏଡିଟର ରୁଦ୍ରପ୍ରସାଦ ମହାପାତ୍ରଙ୍କ ଜୀବନ ନେଇଛି କରୋନା। ବିଭିନ୍ନ ମିଡିଆ ହାଉସ୍‌ରେ ସଫଳତାର ସହ କାମ କରିଥିବା ଏହି ଭିଡିଓ ଏଡିଟରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମାତ୍ର ୪୩ ବର୍ଷ ବୟସରେ କିମ୍‌ସ୍‌ ହସ୍‌ପିଟାଲରେ ମୃତ୍ୟୁ ଘଟିଛି। ତାଙ୍କର ପତ୍ନୀଙ୍କ ସହ ଏକମାତ୍ର କନ୍ୟାସନ୍ତାନ ରହିଛନ୍ତି। ଢେଙ୍କାନାଳର ମୂଳ ବାସିନ୍ଦା ରୁଦ୍ରପ୍ରସାଦ ଏବେ ଭୁବନେଶ୍ବରରେ ରହୁଥିଲେ। ସିଏନ୍‌ଏନ୍‌-ନ୍ୟୁଜ୍‌ ୧୮ ସହ ରାମୋଜୀ ଫିଲ୍ମ ସିଟି ଓ ଓଟିଭିରେ ଭିଡିଓ ଏଡିଟର ଭାବରେ କାମ କରିଥିଲେ। ପରେ ସେ ଆଡ୍‌ପିକ୍ସ ଇଣ୍ଡିଆ ନାମରେ ନିଜର ସଂସ୍ଥା ଖୋଲିଥିଲେ। ଗଣମାଧ୍ୟମରୁ ଏହା ୪ର୍ଥ କୋଭିଡ୍‌ ମୃତ୍ୟୁ ବୋଲି କୁହାଯାଉଛି। ପୂର୍ବରୁ ବାଲେଶ୍ବର, ଗଞ୍ଜାମ ଓ ଗଜପତିରୁ ତିନିଜଣ ଗଣମାଧ୍ୟମ କର୍ମଚାରୀଙ୍କର ମୃତ୍ୟୁ ଘଟିଛି।

ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ
ମେଣ୍ଢାଶାଳ : ଭୁବନେଶ୍ୱର ବ୍ଲକ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆଟେଣ୍ଡାଣ୍ଟ ଓ ଡ୍ରେସର୍‌ କରୋନା ସଂକ୍ରମିତ ବୋଲି ଜଣାପଡ଼ିଛି। ତେଣୁ ଆଜିଠାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ବନ୍ଦ ରଖାଯାଇଛି। ଫଳରେ ରୋଗୀ ସେବା ବନ୍ଦ ହୋଇଯାଇଛି। ଭୁବନେଶ୍ବର ବ୍ଲକର ପ୍ରାୟ ଚନ୍ଦକା, କଣ୍ଟାବାଡ଼, ଅନ୍ଧାରୁଆ, ମେଣ୍ଢାଶାଳ ଓ ଜଟଣୀ ବ୍ଲକର ଛତାବର ଓ ଅଙ୍ଗାରପଡ଼ା ଆଦି ପଞ୍ଚାୟତର ଶହ ଶହ ଲୋକ ପ୍ରତିଦିନ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବାରୁ ଏବେ ସେମାନେ ବଡ଼ ସମସ୍ୟାରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର