ରାଜଧାନୀରେ ୪ଦିନରେ ୪୭୯୦ ଟେଷ୍ଟ
ଭୁବନେଶ୍ବର : ରାଜଧାନୀରେ କମ୍ ଦିନରେ ଅଧିକରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ବିଏମ୍ସି ପକ୍ଷରୁ ପରୀକ୍ଷା ସଂଖ୍ୟା ବଢ଼ାଇ ଦିଆଯାଇଛି। ଜୁଲାଇ ୩୧ ସୁଦ୍ଧା ଦିନକୁ ୧୪୦୦ ପରୀକ୍ଷା କରିବାକୁ ଟାର୍ଗେଟ୍ ରଖିଥିବା ବିଏମ୍ସି ମଙ୍ଗଳବାର ୧୩୩୬ ପରୀକ୍ଷା କରିଛି। ଏପରିକି ଗତ ୪ଦିନରେ ୪୭୯୦ ପରୀକ୍ଷା ହୋଇଥିବା ଜଣାପଡ଼ିଛି। ଏବେ ରାଜଧାନୀରେ ଆର୍ଟି-ପିସିଆର୍ ଟେଷ୍ଟ, ଆଣ୍ଟିଜେନ୍ ଟେଷ୍ଟ ଏବଂ ଟ୍ରୁ-ନାଟ୍ ଟେଷ୍ଟ ହେଉଥିବାବେଳେ ଏଥିରେ ଜୁଲାଇ ୨୫ରେ ୧୧୮୫, ଜୁଲାଇ ୨୬ରେ ୧୧୩୦, ଜୁଲାଇ ୨୭ରେ ୧୧୩୯ ଏବଂ ଜୁଲାଇ ୨୮ରେ ୧୩୩୬ ଜଣଙ୍କର ପରୀକ୍ଷା ହୋଇଛି। ଏହି ୪ଦିନରେ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ୩୨୦୩ ଜଣଙ୍କର ପରୀକ୍ଷା ହୋଇଥିବାବେଳେ ଆଇଏମ୍ଏସ୍ ସମ୍ରେ ୪୨୭ଜଣଙ୍କର ଏବଂ ଆପୋଲୋ ହସ୍ପିଟାଲରେ ୨୮୬ଜଣଙ୍କର ପରୀକ୍ଷା ହୋଇଛି। ସେହିପରି ୩୦୫୩ଜଣଙ୍କର ସ୍ବାବ୍ ଟେଷ୍ଟ ହୋଇଥିବାବେଳେ ୧୩୪୬ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ ଏବଂ ୩୯୧ଜଣଙ୍କର ଟ୍ରୁ ନାଟ୍ ଟେଷ୍ଟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦାଢ଼ାପାଟଣାରେ ପୁଣି ଜଣେ ପଜିଟିଭ୍, ୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମୃତ
ବାରଙ୍ଗ : ସ୍ଥାନୀୟ ଦାଢ଼ାପାଟଣାରୁ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଏହି ଗାଁରୁ ୨ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ତେଣୁ ଆଜି ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ଏଠାରେ କରୋନା ପଜିଟିଭ୍ ସଂଖ୍ୟା ୩ରେ ପହଞ୍ଚିଛି। ତେବେ ପୂର୍ବର ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୨୮ ବର୍ଷ ବୟସର ଯୁବକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇସାରିଛି। ଆଜି କରୋନା ଆକ୍ରାନ୍ତ ଚିହ୍ନଟ ବ୍ୟକ୍ତି ଜଣେ ବ୍ୟବସାୟୀ ବୋଲି ଜଣାପଡ଼ିଛି। ତାଙ୍କର କରୋନା ଲକ୍ଷଣ ଜଣାପଡ଼ିବାରୁ ସେ ନିଜ ତରଫରୁ ସ୍ବାବ୍ ପରୀକ୍ଷା କରାଇଥିଲେ। ଆଜି ରିପୋର୍ଟ ମିଳିବା ପରେ ତାଙ୍କୁ ଅଶ୍ବିନୀ କୋଭିଡ୍ ଚିକିତ୍ସା କେନ୍ଦ୍ରକୁ ପଠାଯାଇଛି।
ବଙ୍ଗାଳି ବସ୍ତିରେ ୩ ଆକ୍ରାନ୍ତ ପରେ ଲୋକ ଛାନିଆ
ଭୁବନେଶ୍ବର : ପୁରୁଣା ବୁଦ୍ଧେଶ୍ବରୀ ପୋଷ୍ଟ ଅଫିସ ନିକଟସ୍ଥ ବଙ୍ଗାଳି ବସ୍ତିରେ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଲକ୍ଷ୍ମୀସାଗର ଓ ଚିନ୍ତାମଣିଶ୍ବର ଅଞ୍ଚଳରେ ଲୋକ ଆତଙ୍କିତ ହୋଇଯାଇଛନ୍ତି। ଏହି ବସ୍ତିରେ ପ୍ରାୟ ୬୪ ପରିବାର ରହୁଥିବାବେଳେ ଏଠାକାର ମହିଳାମାନେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଘରେ କାମ କରି ଗୁଜୁରାଣ ମେଣ୍ଟାନ୍ତି। କାମ କରାଉଥିବା ଲୋକମାନେ ଏବେ ଭୟଭୀତ ହୋଇଯାଇଛନ୍ତି। ଅପରପେକ୍ଷ ସୋମବାର ଓ ମଙ୍ଗଳବାର ମଧ୍ୟରେ ବସ୍ତିରୁ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ସେମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇନି।
ଫଟୋ ସାମ୍ବାଦିକଙ୍କୁ କରୋନା
ଭୁବନେଶ୍ବର : ରାଜଧାନୀର ଜଣେ ଫଟୋ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂପୃକ୍ତ ଯୁବକଙ୍କ କିଛିଦିନ ଧରି ଜ୍ବର ହେଉଥିଲା। ଗତ ସୋମବାର ସେ ନିଜର ସ୍ବାବ୍ ପରୀକ୍ଷା କରାଇଥିଲେ। ଗତକାଲି ରାତିରେ ତାଙ୍କର ରିପୋର୍ଟ ପଜିଟିଭ୍ ରହିଥିବା ସୂଚନା ଦିଆଯାଇଥିଲା। ଆଜି ସଂଧ୍ୟାରେ ତାଙ୍କୁ କୋଭିଡ୍ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
କ୍ୟାପିଟାଲ ହସ୍ପିଟାଲରୁ ୯ ପଜିଟିଭ୍
ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରୁ ଆଜି ୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ହସ୍ପିଟାଲ ବାହାରର ବୋଲି ଜଣାପଡ଼ିଛି। ଗତ କିଛିଦିନ ଭିତରେ ହସ୍ପିଟାଲରେ ୪୦ରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ହସ୍ପିଟାଲରେ ଏବେ ଆରଟି-ପିସିଆର ପାଇଁ ସ୍ବାବ୍ ସଂଗ୍ରହ କରାଯିବା ସହିତ ଟ୍ରୁନାଟ୍ ଓ ରାପିଡ୍ ଆଣ୍ଟିଜେନ୍ କିଟ୍ରେ ପରୀକ୍ଷା ଜାରି ରହିଛି।