ରାଜଧାନୀରେ ଦିନକରେ ୨୨୮୫ ପରୀକ୍ଷା, ଶହେ ନମୁନାରେ ୭ ପଜିଟିଭ୍

ଭୁବ‌େନଶ୍ୱର : ରାଜଧାନୀରେ ଗତ ୧୦ଦିନ ଭିତରେ ୧୭୬୩୪ଟି ନମୁନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୧୨୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍ ପ୍ରତି ୧୦୦ ନମୁନାରେ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଅନ୍ୟ ଜିଲ୍ଲା ଓ ସହର ତୁଳନାରେ ଅଧିକ। ରାଜଧାନୀରେ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ବିଏମ୍‌ସି ପକ୍ଷରୁ ପରୀକ୍ଷା ବଢ଼ାଇ ଦିଆଯାଇଥିବାବେଳେ ଗତ ଦୁଇ ଦିନ ହେଲା ୨ହଜାରରୁ ଅଧିକ ପରୀକ୍ଷା ହୋଇଛି। ଏଥିରେ ଶୁକ୍ରବାର ସର୍ବାଧିକ ୨୨୮୫ଜଣଙ୍କର ପରୀକ୍ଷା ହୋଇଥିବା ଜଣାପଡ଼ିଛି। ବିଏମ୍‌ସି କର୍ତ୍ତୃପକ୍ଷ ଦିନକୁ ୧୪୦୦ ଜଣଙ୍କର ପରୀକ୍ଷା କରିବାକୁ ଟାର୍ଗେଟ ରଖିଥିବାବେଳେ ଏବେ ଏହାଠାରୁ ବହୁତ ଅଧିକ ପରୀକ୍ଷା ହେଉଛି।

ବିଏମ୍‌ସିର ସୂଚନା ଅନୁଯାୟୀ, ଜୁଲାଇ ୨୯ରୁ ଅଗଷ୍ଟ ୭ ମଧ୍ୟରେ ଦିନକୁ ଯଥାକ୍ରମେ ୧୭୪୯, ୧୮୭୮, ୧୭୭୮, ୧୬୯୮, ୧୫୧୮, ୧୫୬୦, ୧୬୧୯, ୧୫୩୯, ୨୦୧୦ ଏବଂ ୨୨୮୫ଜଣଙ୍କର ପରୀକ୍ଷା ହୋଇଛି। ଏଥିରୁ ଯଥାକ୍ରମେ ୧୦୫, ୧୨୮, ୧୨୬, ୧୧୯, ୮୯, ୧୪୯, ୧୩୭, ୧୧୮, ୧୦୧ ଏବଂ ୧୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ରାଜଧାନୀରେ ୭୦,୧୧୪ଜଣଙ୍କର ପରୀକ୍ଷା ହୋଇଛି। ଏବେ ୭ଟି ହସ୍ପିଟାଲ ଓ ଲାବ୍‌ରେ ପରୀକ୍ଷା ହେଉଥିବାବେଳେ ବିଏମ୍‌ସି ପକ୍ଷରୁ ୧୪ଟି ଟିମ୍‌ ବିଭିନ୍ନ ସ୍ଥାନକୁ ଯାଇ ନମୁନା ସଂଗ୍ରହ କରୁଛନ୍ତି।

ସମ୍ବନ୍ଧିତ ଖବର