ରାଜଧାନୀରେ କରୋନା ପରୀକ୍ଷା ଲକ୍ଷେ ଟପିଲା

ଅଧିକ ପରୀକ୍ଷା ହେଉଥିବାରୁ ଅଧିକ ପଜିଟିଭ୍ ବାହାରୁଛି: ବିଏମ୍‌ସି
ବିଧାୟକଙ୍କ ସଂସ୍ପର୍ଶରେ ଆସି ୯ ପଜିଟିଭ୍, ସୁସ୍ଥ ରୋଗୀଙ୍କ ସଂଖ୍ୟା ୪ ହଜାର ପାର୍‌

ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୨୦ ଛୁଇଁଛି। ୩୩ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଏବେ ବି ବିଭିନ୍ନ କୋଭିଡ ହସ୍ପିଟାଲ, କୋଭିଡ୍‌ କେୟାର ସେଣ୍ଟର, କୋଭିଡ୍‌ କେୟାର ହୋମ୍‌ ଏବଂ ଗୃହ ସଙ୍ଗରୋଧରେ ୨୬୧୮ ଜଣ ଚିକିତ୍ସାଧୀନ ଅଛନ୍ତି। ଏବେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜଧାନୀବାସୀ ଆତଙ୍କିତ ହୋଇଗଲେଣି। ଗଞ୍ଜାମ ଜିଲ୍ଲାରେ ଯେତିକି ଆକ୍ରାନ୍ତ ବାହାରୁଛନ୍ତି, ତାହାଠାରୁ ବହୁ ଅଧିକ ଆକ୍ରାନ୍ତ ଏଠାରେ ବାହାରୁଛନ୍ତି। ତେଣୁ ଭୁବନେଶ୍ବର ଏବେ ହଟ୍‌ସ୍ପଟ୍‌ ପାଲଟି ଯାଇଛି। ଅଗଷ୍ଟ ମାସ ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଛି। ପ୍ରତିଦିନ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଅଗଷ୍ଟରେ ଲଗାତାର ୨୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ପ୍ରତିଦିନ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ବିଏମ୍‌ସି କମିସନର୍‌ କହିଛନ୍ତି ଯେ ଏବେ ଆମେ ଦିନକୁ ୨୫୦୦ରୁ ୩ହଜାର ଭିତରେ କରୋନା ପରୀକ୍ଷା କରୁଥିବାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏପରିକି ସବୁ ଅଫିସ, ଦୋକାନ, ମଲ୍‌, କଳକାରଖାନା ଆଦି ଖୋଲି ଦିଆଯାଇଛି। ଅର୍ଥନୈତିକ ଅଭିବୃଦ୍ଧିକୁ ନଜରରେ ରଖି ସବୁ ଖୋଲା ଯାଇଥିବାରୁ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ହେଲେ ଲୋକ ଭୟଭୀତ ହେବାର କୌଣସି କାରଣ ନାହିଁ।

ରାଜଧାନୀବାସୀଙ୍କ ପାଇଁ କୋଭିଡ ହସ୍ପିଟାଲ, କୋଭିଡ କେୟାର ସେଣ୍ଟର, କୋଭିଡ କେୟାର ହୋମରେ ଆବଶ୍ୟକ ଶଯ୍ୟା ଅଛି। ଆଇସିୟୁ ଓ ଭେଣ୍ଟିଲେଟର୍‌ ବି ଅଧିକ ଅଛି। ସମସ୍ତଙ୍କୁ ଗୁଣାତ୍ମକ ଚିକିତ୍ସା ମିଳିବ। ବିଏମ୍‌ସିର ସୂଚନା ଅନୁଯାୟୀ, ଅଗଷ୍ଟ ୨୦ ସୁଦ୍ଧା ରାଜଧାନୀରେ ୧ଲକ୍ଷ ୪ହଜାର ୩୯୦ଟି ପରୀକ୍ଷା ହୋଇଛି। ଏଥିରେ ଆର୍‌ଟିପିସିଆର୍ ୫୨,୨୦୫ଟି, ରୢାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ୨୧,୪୪୫ଟି ଏବଂ ଟ୍ରୁନାଟ୍‌ ୩୫୩ଟି ହୋଇଛି। ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସରେ ୫୦୪୨ଜଣଙ୍କର ଆଣ୍ଟିବଡ଼ି ପରୀକ୍ଷା ହୋଇଛି। ଅପରପକ୍ଷେ ବର୍ତ୍ତମାନ ସୁଦ୍ଧା ୭୯୦୪୨ଟି ପରୀକ୍ଷା ସରକାରୀ ବ୍ୟବସ୍ଥାରେ ହୋଇଥିବା ବେଳେ ୨୫୩୪୮ଟି ଘରୋଇ ହସ୍ପିଟାଲ, କ୍ଲିନିକରେ ହୋଇଛି। ଅପରପକ୍ଷେ ଅଗଷ୍ଟ ୧୫ରେ ୨୨୮୫ଟି, ୧୬ରେ ୧୫୯୬ଟି, ୧୭ରେ ୨୩୪୫ଟି, ୧୮ରେ ୨୮୧୬ଟି, ୧୯ରେ ୨୬୪୨ଟି ଏବଂ ୨୦ରେ ୨୮୧୭ଟି ପରୀକ୍ଷା ହୋଇଥିବା ଜଣାପଡ଼ିଛି।

ବିଧାୟକଙ୍କ ସଂସ୍ପର୍ଶରେ ଆସି ୯ ପଜିଟିଭ୍, ସୁସ୍ଥ ରୋଗୀଙ୍କ ସଂଖ୍ୟା ୪ ହଜାର ପାର୍‌
ଭୁବନେଶ୍ବର : ରାଜଧାନୀରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୪ ହଜାର ପାର୍ କରିଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୧୦୮ଜଣ ରୋଗୀ ସୁସ୍ଥ ହେବା ଫଳରେ ସମୁଦାୟ ସଂଖ୍ୟା ୪୦୬୧ରେ ପହଞ୍ଚିଛି। ତେବେ ୨୬୧୮ ରୋଗୀ ଏବେ ବି ଚିକିତ୍ସିତ ହେଉଛନ୍ତି। ରାଜଧାନୀରେ ସୁସ୍ଥ ହାର ୬୦ ପ୍ରତିଶତ ରହିଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ୩୨୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୭୩ଜଣ ସଙ୍ଗରୋଧରୁ ଓ ୧୫୧ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ସଙ୍ଗରୋଧରୁ ଚିହ୍ନଟ ୧୭୩ଜଣଙ୍କ ମଧ୍ୟରୁ ୪ଜଣଙ୍କ ଅନ୍ୟ ରାଜ୍ୟକୁ ଯାତ୍ରା କରିଛନ୍ତି। ତେବେ ପୂର୍ବରୁ ମଧ୍ୟ ବିଧାୟକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସି ୯ଜଣ ପଜିଟିଭ୍ ହୋଇଛନ୍ତି। ଏହାବାଦ୍ ଟ୍ରାଫିକ୍‌ର ମଧ୍ୟ ୮ଜଣ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ରିଜର୍ଭ ପୁଲିସ କଲୋନିରୁ ୪, ଶିଖରଚଣ୍ଡୀ ଅଞ୍ଚଳରୁ ୬, ପଥର ବନ୍ଧ ବସ୍ତିରୁ ପୁଣି ୪ଜଣ, ନୂଆପଲ୍ଲୀ ଅଞ୍ଚଳରେ ଥିବା କେନ୍ଦ୍ର ସରକାରୀ କାର୍ଯ୍ୟାଳୟର ୫, ସ୍ବାସ୍ଥ୍ୟ ବିଭାଗର ୬ଜଣ କର୍ମଚାରୀ, ନୀଳାଦ୍ରି ବିହାରର ୮ଜଣ, ଡୁମୁଡୁମା ସୁକ ବିହାରରୁ ୪, ଖଣ୍ଡଗିରି ତପବନ ବସ୍ତିରୁ ୩ ଓ ଲକ୍ଷ୍ମୀସାଗରର ୩ଜଣଙ୍କୁ ବାଦ୍ ଦେଲେ ଅନ୍ୟ ଅଞ୍ଚଳରୁ ଏକାଧିକ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ସେହିପରି ୧୫୧ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ସହିଦ ନଗର ଓ ପଟିଆରୁ ୬ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର