ଦୈନିକ ପରୀକ୍ଷା ୫ହଜାର ଟପିଲା, ୫ଦିନରେ ୨୨୬୭୪ ପରୀକ୍ଷା

୧୭ ଦିନରେ ବଢ଼ିଲେଣି ୬୮୮୮ ରୋଗୀ

ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ଏବେ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଅଧିକରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ବିଏମ୍‌ସି ପକ୍ଷରୁ ଦୈନିକ ପରୀକ୍ଷା ସଂଖ୍ୟା ବଢ଼ାଇ ଦିଆଯାଇଛି। ଦିନକୁ ୫ ହଜାରରୁ ଅଧିକ ଲୋକଙ୍କର କରୋନା ପରୀକ୍ଷା କରାଯାଉଛି। ସେପ୍ଟେମ୍ବର ୧୫ ଓ ୧୬ ତାରିଖରେ ଦୈନିକ ପରୀକ୍ଷା ୫ ହଜାରରୁ ଅଧିକ ହୋଇଛି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୨ରୁ ୧୬ମଧ୍ୟରେ ୫ଦିନରେ ୨୨୬୭୪ ଜଣଙ୍କ କରୋନା ପରୀକ୍ଷା ହୋଇଛି। ଏଥିରୁ ୩୦୦୩ଜଣଙ୍କର ଆର୍‌ଟି-ପିସିଆରରେ ନମୁନା ସଂଗ୍ରହ ହୋଇଥିବା ବେଳେ ୧୯୬୭୧ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷା ହୋଇଥିଲା। ସେପ୍ଟେମ୍ବର ୧୬ରେ ୫୦୧୨ଜଣଙ୍କ ପରୀକ୍ଷା ହୋଇଥିବା ବେଳେ ଏଥିରୁ ସରକାରୀ ବ୍ୟବସ୍ଥାରେ ୨୯୩୨ଜଣଙ୍କ ଏବଂ ଘରୋଇ ହସ୍ପିଟାଲରେ ୨୦୮୦ଜଣଙ୍କ ପରୀକ୍ଷା ହୋଇଛି। ସେପ୍ଟେମ୍ବର ୧୫ରେ ୫୩୧୭ଜଣଙ୍କର ପରୀକ୍ଷା ହୋଇଛି। ସରକାରୀ ବ୍ୟବସ୍ଥାରେ ୩୧୭୪ଜଣଙ୍କ ଏବଂ ଘରୋଇ ହସ୍ପିଟାଲରେ ୨୧୪୩ଜଣଙ୍କ, ସେପ୍ଟେମ୍ବର ୧୪ରେ ୪୪୫୨ଜଣଙ୍କ ପରୀକ୍ଷା ହୋଇଥିବାବେଳେ ୩୧୦୦ ଜଣଙ୍କ ସରକାରୀ ବ୍ୟବସ୍ଥାରେ ଏବଂ ୧୩୫୨ଜଣଙ୍କ ଘରୋଇ ହସ୍ପିଟାଲରେ ପରୀକ୍ଷା ହୋଇଛି। ସେପ୍ଟେମ୍ବର ୧୩ରେ ୩୩୪୫ଜଣଙ୍କର କରୋନା ପରୀକ୍ଷା ହୋଇଛି। ୧୮୬୦ଜଣଙ୍କର ସରକାରୀ ବ୍ୟବସ୍ଥାରେ ଓ ୧୪୮୫ଜଣ ଘରୋଇ ହସ୍ପିଟାଲରେ ପରୀକ୍ଷା କରାଇଥିଲେ। ସେହିପରି ସେପ୍ଟେମ୍ବର ୧୨ରେ ୪୫୪୮ଜଣ ପରୀକ୍ଷା କରିଥିବା ବେଳେ ଏଥିରୁ ୨୮୦୮ଜଣ ସରକାରୀ ବ୍ୟବସ୍ଥାରେ ଏବଂ ୧୭୪୦ଜଣ ଘରୋଇ ହସ୍ପିଟାଲରେ ପରୀକ୍ଷା କରିଛନ୍ତି।

୧୭ ଦିନରେ ବଢ଼ିଲେଣି ୬୮୮୮ ରୋଗୀ
ଦିନକରେ ୩୨୫ ଆକ୍ରାନ୍ତ, ୩ ମୃତ

ଭୁବନେଶ୍ୱର : ରାଜଧାନୀରେ କରୋନାର ଦ୍ରୁତ ସଂକ୍ରମଣ ଜାରି ରହିଛି। ଗତ ୧୭ ଦିନରେ ଭୁବନେଶ୍ବରରେ ୬୮୮୮ କରୋନା ରୋଗୀ ଚିହ୍ନଟ ହୋଇ ସାରିଲେଣି। ଏଥିରେ ଦୁଇଗୁଣା ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୩୨୫ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୩ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇଛି। ଦିନକରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୦୧ଜଣ ସଙ୍ଗରୋଧରୁ ଓ ୨୨୪ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସଙ୍ଗରୋଧରୁ ଆଚାର୍ଯ୍ୟ ବିହାର, ଭରତପୁର, ବୁଦ୍ଧେଶ୍ବରୀ କଲୋନି, ଡମଣା, ଖଣ୍ଡଗିରି, ଜାଗମରା, ଜିଜିପି କଲୋନି, ନୂଆପଲ୍ଲୀ, ଟଙ୍କପାଣି ରୋଡ୍, ୟୁନିଟ୍‌-୧, ନୀଳାଦ୍ରିବିହାର, ରସୁଲଗଡ଼ ଶିଳ୍ପାଞ୍ଚଳ, ଫରେଷ୍ଟ ପାର୍କ ଷ୍ଟ୍ରିଟ୍‌, ରସୁଲଗଡ଼, ପ୍ରାଚୀ ଏନକ୍ଲେଭ୍, ପାଣ୍ଡବ ନଗର, ପାଇକ ନଗର, ଲକ୍ଷ୍ମୀବିହାର ଆଦି ଅଞ୍ଚଳରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ସ୍ଥାନୀୟ ସଂକ୍ରମିତରେ ରସୁଲଗଡ଼ ଅଞ୍ଚଳରୁ ୧୧, ନୀଳାଦ୍ରି ବିହାରରୁ ୬, ଜାମଝରୀରୁ ୭, ବାପୁଜୀନଗର ଓ ବରମୁଣ୍ଡା ହାଉସିଂ ବୋର୍ଡ କଲୋନିରୁ ୪ଜଣ ଲେଖାଏଁ, ଜୟଦେବ ବିହାରରୁ ୭, ଝାରପଡ଼ା ୬, ଏକ ଘରୋଇ ହସ୍ପିଟାଲରୁ ୮ଜଣ କର୍ମଚାରୀ, ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ ଓ ଅନ୍ୟ ଅଞ୍ଚଳରୁ ପୁଳାପୁଳା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୬୨୦ରେ ପହଞ୍ଚିଛି। ତେବେ ଏ ପର୍ଯ୍ୟନ୍ତ ୧୩,୧୧୪ ରୋଗୀ ସୁସ୍ଥ ହୋଇସାରିଲେଣି। ଏବେ ୪୪୨୬ ଚିକିତ୍ସିତ ରୋଗୀ ହେଉଛନ୍ତି। ଅପରପକ୍ଷରେ ଆଜି ୩ଜଣ କରୋନାରେ ପ୍ରାଣ ହରାଇଥିବା ସରକାରୀ ଭାବେ ଘୋଷଣା ହୋଇଛି। ଏଥିରେ ୬୮, ୭୦ବର୍ଷର ପୁରୁଷ ଥିବା ବେଳେ ୭୫ବର୍ଷର ଜଣେ ମହିଳା ରହିଛନ୍ତି।

ସମ୍ବନ୍ଧିତ ଖବର