ଭୁବନେଶ୍ୱର : ଆରଏମ୍‌ଆରସି ଭୁବନେଶ୍ବରର ଭିଆରଡିଏଲ୍‌ ପରୀକ୍ଷାଗାରରେ ୧ଲକ୍ଷ କୋଭିଡ୍ ନମୁନା ପରୀକ୍ଷା ପାର୍ କରିଛି। ଆରଏମ୍‌ଆରସିରେ ଏ ପର୍ଯ୍ୟନ୍ତ ୧ଲକ୍ଷ ୮୩ହଜାର ୮୦୭ ନମୁନା ପରୀକ୍ଷା କରାଯାଇଥିବା ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଅପରପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୬ଲକ୍ଷ ୧୨ହଜାର ୯୭ ନମୁନା ପରୀକ୍ଷା ହୋଇ ସାରିଲାଣି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୮ହଜାର ୮୪୦ ନମୁନା ପରୀକ୍ଷା କରାଯାଇଛି। ରାଜ୍ୟରେ ୩୧ଟି ଲ୍ୟାବ୍‌ରେ କୋଭିଡ୍ ନମୁନା ପରୀକ୍ଷା କରାଯାଉଛି। ଏଥିରେ ୧୭ ଆରଟି-ପିସିଆର, ୧୩ ଟ୍ରୁନାଟ୍‌ ଓ ଗୋଟିଏ ସିବିନାଟ୍‌ ମେସିନ୍‌ରେ ପରୀକ୍ଷା କରାଯାଉଛି। ଏଥିରେ ୭ଟି ଘରୋଇ ଲ୍ୟାବ୍ ରହିଛି।

Advertisment

ଦାଢ଼ା ପଞ୍ଚାୟତରୁ ୨ ପଜିଟିଭ୍‌
ବାରଙ୍ଗ : ଭୁବନେଶ୍ୱର ବ୍ଲକ ଦାଢ଼ା ପଞ୍ଚାୟତରୁ ଦୁଇଜଣ ମହିଳା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କଣ୍ଟୁଣିଆ ଭୋଇସାହିର ଓ ଅନ୍ୟ ଜଣେ ପଦାସାହି ବିଶିକାଣ୍ଡୀପାଟଣାର ବୋଲି ଜଣାପଡ଼ିଛି। ଦୁଇ ସଂକ୍ରମିତଙ୍କୁ ବ୍ଲକ ପ୍ରଶାସନ ଓ ମେଣ୍ଢାଶାଳ ସ୍ବାସ୍ଥ୍ୟ ବିଭାଗ ତରଫରୁ ଚିକିତ୍ସା ପାଇଁ କୋଭିଡ୍‌ ଚିକିତ୍ସା କେନ୍ଦ୍ରକୁ ପଠାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କଣ୍ଟୁଣିଆ ଭୋଇସାହିକୁ ଶନିବାର ରାତି ୭ଟା ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ସଂକ୍ରମିତଙ୍କ ପରିବାର ଲୋକ ଓ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରି ଆସନ୍ତା ୩୦ ତାରିଖରେ ସେମାନଙ୍କର ଦାଢ଼ା ପଞ୍ଚାୟତ କାର୍ଯ୍ୟାଳୟରେ କୋଭିଡ୍‌ ପରୀକ୍ଷା କରିବାକୁ ସ୍ଥିର ହୋଇଛି। କଣ୍ଟୁଣିଆ ଭୋଇସାହି, ଝିଙ୍କରଡିହି, ପଦାସାହିର କାଣ୍ଡୀସାହିକୁ ସାନିଟାଇଜ୍ କରାଯିବ ବୋଲି ସରପଞ୍ଚ କୁସୁମ ମଞ୍ଜରୀ ସେନାପତି ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦାଢା ପଞ୍ଚାୟତରୁ ମୋଟ ୧୦ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣ ସୁସ୍ଥ ହୋଇ ଫେରିଛନ୍ତି।

କ୍ୟାପିଟାଲ ହସ୍ପିଟାଲର କର୍ମଚାରୀ ସଂକ୍ରମିତ
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ଆଉ ଜଣେ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗରେ କାର୍ଯ୍ୟରତ ଜଣେ ଆଟେଣ୍ଡାଣ୍ଟ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ତେବେ ତାଙ୍କ ସଂସ୍ପର୍ଶରେ କେତେ ଜଣ ଆସିଛନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ। କ୍ୟାପିଟାଲ ହସ୍ପିଟାଲରେ ଏବେ ୧୨ରୁ ଅଧିକ ବିଭାଗରେ କରୋନା ପଶି ସାରିଲାଣି। ପ୍ରତ୍ୟେକ ଦିନ ବିଭିନ୍ନ ବିଭାଗରୁ ଏକାଧିକ ରୋଗୀ ଚିହ୍ନଟ ହେଉଛନ୍ତି।