କରୋନା ହେଲେ କରିବେ କ’ଣ? ପୂର୍ବ ଭଳି ପ୍ରଶାସନକୁ ଯୋଗାଯୋଗ କରିବାକୁ କହିଲେ ବିଏମସି କମିସନର

ଭୁବନେଶ୍ବର: ବୁଧବାର ରାଜ୍ୟରେ ୨୨୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରେ ସର୍ବାଧିକ ୪୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ୩୪୮ ସଂକ୍ରମିତ । ତେବେ କେବଳ ଭୁବନେଶ୍ୱରରେ ଗୋଟିଏ ଦିନରେ ଆକ୍ରାନ୍ତ ହୋଇଛନ୍ତି ୩୦୭ । ଭୁବନେଶ୍ୱରରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମ (ବିଏମସି) କମିସନର କହିଛନ୍ତି କରୋନା ମୁକାବିଲା ପାଇଁ ପୂର୍ବରୁ ଯେଉଁ ପଦକ୍ଷେପ ନିଆଯାଇଥିଲା ଓ ଯେଉଁ ବ୍ୟବସ୍ଥା ଥିଲା ତାକୁ ପୁଣିଥରେ କାର୍ଯ୍ୟକ୍ଷମ କରାଯାଉଛି।

ପଜିଟିଭ୍ ମାମଲାର କଣ୍ଟାକ୍ଟ ଟ୍ରେସିଂ କରିବା ପାଇଁ ୧୦ଟି ରାପିଡ୍ ରେସପୋନ୍ସ ଟିମ୍ ବିଏମସି କଂଟ୍ରୋଲ ରୁମରେ ପ୍ରସ୍ତୁତ ରଖାଯାଇଛି । ବାକି ୧୬ଟି ଟିମ୍ ଫିଲ୍ଡରେ କାମ କରୁଛନ୍ତି । ଯେଉଁ ରୋଗୀମାନେ ଘରେ ସଙ୍ଗରୋଧରେ ରହିଛନ୍ତି, ସେମାନଙ୍କ ଘରକୁ ଯାଇ କିମ୍ବା ଫୋନ କଲ୍ ମାଧ୍ୟମରେ ଚିକିତ୍ସା କରାଯିବ।  ଘରୋଇ ସଙ୍ଗରୋଧରେ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ୍ କିଟ୍ ଦିଆଯାଉଛି।

ତେବେ ବିଶେଷ ଅସୁବିଧା ହେଲେ ସଂକ୍ରମିତ ଟୋଲ୍ ଫି ନମ୍ବର ୧୯୨୯କୁ ଫୋନ କରିପାରିବେ । ରିଜର୍ଭ ଟିମ୍ ସେମାନଙ୍କୁ ସହାୟତା ଦେବେ । ସେପଟେ ସମ୍ କୋଭିଡ୍ ହସପିଟାଲକୁ ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ କରାଯାଇଛି ବୋଲି କହିଛନ୍ତି ବିଏମସି କମିସନର । ସେହିପରି ଆଦିତ୍ୟ ଅଶ୍ୱିନୀ ହସପିଟାଲରେ ମଧ୍ୟ ୧୦୦ ବେଡ୍ କରାଯାଇଛି । ତାହା ଆଜିଠାରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର