ଭୁବନେଶ୍ୱର : ଟିକାକରଣରେ ପୂରା ରାଜ୍ୟରେ ଭୁବନେଶ୍ବର ଆଗରେ ରହିଛି। ଆଜି ସୁଦ୍ଧା ୧୩ ଲକ୍ଷ ଲୋକଙ୍କୁ କରୋନାର ଉଭୟ ଡୋଜ୍‌ ଦିଆଯାଇଛି। ଟିକାକରଣରେ ସହଯୋଗ ପାଇଁ ବିଏମ୍‌ସି ଜନସାଧାରଣଙ୍କ କୃତଜ୍ଞତା ଜ୍ଞାପନ କରିଛି। ଶନିବାର ଦିନ ବିଏମ୍‌ସିର ଟ୍ବିଟର୍‌ ହାଣ୍ଡେଲ୍‌ରେ ଏଭଳି ସୂଚନା ଦିଆଯାଇଛି। ଗତ ଅଗଷ୍ଟରେ ଶତପ୍ରତିଶତ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଥିଲା ବିଏମ୍‌ସି। କିନ୍ତୁ ଧାର୍ଯ୍ୟ ସମୟ ପୂର୍ବରୁ ଏହି ଲକ୍ଷ୍ୟ ପୂରଣ ହୋଇଥିଲା। ଜୁଲାଇ ମାସର ଶେଷ ଦିନରେ ଭୁବନେଶ୍ବରରେ ଶତ ପ୍ରତିଶତ ଦ୍ବିତୀୟ ଡୋଜ୍‌ ଟିକାକରଣ ହୋଇଥିବା ନେଇ ଆନୁଷ୍ଠାନିକ ଭାବରେ ବିଏମ୍‌ସି ଘୋଷଣା କରିଥିଲା। ଶତପ୍ରତିଶତ ଦ୍ବିତୀୟ ଡୋଜ୍‌ ଟିକାକରଣରେ ଭୁବନେଶ୍ବର ଦେଶରେ ପ୍ରଥମ ସହର ଭାବରେ ଉଭା ହୋଇ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲା।

Advertisment

ପର୍ଯ୍ୟାୟକ୍ରମେ ସମ୍ମୁଖ ଯୋଦ୍ଧା, ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀ, ୧୮ରୁ ୪୪ ବୟସ ବର୍ଗ, ୪୫ରୁ ଊର୍ଦ୍ଧ୍ବ ଓ ୬୦ରୁ ଊର୍ଦ୍ଧ୍ବ ବୟସବର୍ଗର ବ୍ୟକ୍ତିଙ୍କୁ ଟିକାକରଣ କରାଯାଇଛି। ଶେଷ ପର୍ଯ୍ୟାୟରେ ଗର୍ଭବତୀଙ୍କୁ ଟିକା ଦିଆଯାଇଛି। ଅଦ୍ୟାବଧି ସ୍ବାସ୍ଥ୍ୟସେବାରେ ଥିବା ୩୬ ହଜାର ୧୦୯ଜଣଙ୍କୁ ପ୍ରଥମ ଡୋଜ୍‌ ଦିଆସରିଥିବା ବେଳେ ୩୩ ହଜାର ୩୯୮ ଜଣଙ୍କୁ ଦ୍ବିତୀୟ ଡୋଜ୍‌, ୫୬ ହଜାର ୩୨୮ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍‌ ଓ ୫୦ ହଜାର ୮୮୦ଜଣଙ୍କୁ ଦ୍ବିତୀୟ ଡୋଜ୍‌, ୧୮ରୁ ୪୪ ବୟସ ବର୍ଗରେ ୮ଲକ୍ଷ ୪୫ ହଜାର ୪୯୧ ଜଣଙ୍କୁ ପ୍ରଥମ ଡୋଜ୍‌ ଓ ୭ଲକ୍ଷ ୭୫ ହଜାର ୮୫୮ ଜଣଙ୍କୁ ଦ୍ବିତୀୟ ଡୋଜ୍‌, ୪୫ରୁ ୫୯ ବର୍ଷ ମଧ୍ୟରେ ୩ ଲକ୍ଷ ୧୯ ହଜାର ୨୯୭ ଜଣଙ୍କୁ ପ୍ରଥମ ଓ ୨ ଲକ୍ଷ ୯୧ହଜାର ୩୧୫ ଜଣଙ୍କୁ ଦ୍ବିତୀୟ ଡୋଜ୍‌, ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ ବର୍ଗରେ ୧ ଲକ୍ଷ ୯୮ ହଜାର ୪୯୬ ଜଣଙ୍କୁ ପ୍ରଥମ ଓ ୧ ଲକ୍ଷ ୪୩ ହଜାର ୪୭ ଜଣଙ୍କୁ ଦ୍ବିତୀୟ ଡୋଜ୍‌ ଟିକା ଦିଆଯାଇଛି।