ଗତ ମାର୍ଚ୍ଚ ମାସରେ ରାଜଧାନୀରେ କରୋନା ସଂକ୍ରମଣ ବ୍ୟାପିବା ପରେ ସମସ୍ତଙ୍କ ନଜର ଟିକା ଉପରେ ଥିଲା। କେବେ ଟିକା ଆସିବ, କେମିତି ଟିକା ନେବେ, କେତେ ଟଙ୍କା ପଡ଼ିବ, କେମିତି ଆଗ ଟିକା ନେବେ ସେଇ ଚିନ୍ତାରେ ସମସ୍ତେ ଥିଲେ। ଟିକା ନେଇଗଲେ କରୋନା ହେବନି ବୋଲି ବହୁ ଲୋକ ଭାବିଥିଲେ। ତେଣୁ ଯିଏ ଟିକା ନେବାକୁ ଚାହୁଁଥିଲେ ସେମାନେ କେବେ ଟିକା ଆସିବ ସମସ୍ତଙ୍କୁ ପଚାରୁଥିଲେ। କରୋନା ପ୍ରଭାବ ଯେତେ ବଢ଼ୁଥିଲା, ଟିକା କେବେ ଆସିବ ସେ ଚର୍ଚ୍ଚା ସେତେ ବଢ଼ୁଥିଲା। ହେଲେ ଟିକା ଆସୁନଥିଲା। ୧୦ମାସ ପରେ ରାଜଧାନୀରେ ଟିକା ପହଞ୍ଚିଲା। ଆଉ ପ୍ରଥମ ଟିକା ଦିଆଗଲା ବେଳକୁ କରୋନା ଘରେଘରେ ପଶିଯାଇଛି। ରାଜଧାନୀରେ ୩୧,୭୮୪ଜଣ ଆକ୍ରାନ୍ତ ହୋଇସାରିଛନ୍ତି। ଏଥିରୁ ୨୪୪ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ତେବେ ଲମ୍ବା ପ୍ରତୀକ୍ଷାର ଅନ୍ତ ହୋଇଛି। ଟିକା ଲୋକଙ୍କ ମନରେ ଆଶ୍ବସ୍ତି ଓ ଉତ୍ସାହ ସୃଷ୍ଟି କରିଛି। ପ୍ରଥମ ଦିନରେ କରୋନା ଯୋଦ୍ଧାମାନେ ଟିକା ନେଇଛନ୍ତି।
କ୍ୟାପିଟାଲ ହସ୍ପିଟାଲରୁ ଆରମ୍ଭ; ଟାର୍ଗେଟ୍ ଥିଲା ୧୦୦, ନେେଲ ୧୫୬
ଭୁବନେଶ୍ବର : ଶନିବାର, ପୂର୍ବାହ୍ନ ୧୧ଟା ୫ମିନିଟ୍। କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀ ବିରଞ୍ଚି ନାୟକଙ୍କୁ ଦିଆଗଲା ରାଜ୍ୟର ପ୍ରଥମ କରୋନା ଟିକା। ବିରଞ୍ଚି କରୋନା ଟିକା ନେଉଥିବାରୁ ବହୁତ ଉତ୍ସାହିତ ଓ କମ୍ ଭୟଭୀତ ଥିବା ଲାଗୁଥିଲା। କିନ୍ତୁ ବିରଞ୍ଚିଙ୍କୁ ଟିକା ଦିଆଯିବା ପରେ କ୍ୟାପିଟାଲ ହସ୍ପିଟାଲରେ କରୋନା ଟିକାକରଣ ନେଇ ଏକ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଯାଇଥିଲା। କରୋନା ଟିକାର ପାର୍ଶ୍ବ ପ୍ରତିକ୍ରିୟା ନେଇ ବହୁତ ଚର୍ଚ୍ଚା ହେଉଥିଲେ ହେଁ ବିରଞ୍ଚି ଟିକା ନେବା ପରେ ସୁସ୍ଥ ଅବସ୍ଥାରେ ଟିକାକରଣ କେନ୍ଦ୍ରରୁ ବାହାରିବା ଅନ୍ୟମାନଙ୍କ ମନରେ ଉତ୍ସାହ ଭରି ଦେଇଥିଲା। ଆମ ଦେଶରେ ପ୍ରସ୍ତୁତ କରୋନା ଟିକା ‘କୋଭାକ୍ସିନ୍’ ନେବାକୁ ବହୁତ ଲୋକ ପଛଘୁଞ୍ଚା ଦେଉଥିବା ବେଳେ ବିରଞ୍ଚିଙ୍କୁ ଦେଖି ଅନ୍ୟମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢ଼ିଥିଲା। ସ୍ଥିତି ଏମିତି ହୋଇଥିଲା ଯେ ରାଜଧାନୀର ୬ଟି ହସ୍ପିଟାଲରେ ଆଜି ଟିକାଦାନ ଆରମ୍ଭ ହୋଇଥିବା ବେଳେ ସବୁଠୁ ଅଧିକ ଲୋକ କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଥିଲେ। ପ୍ରଥମ ଦିନରେ ୧୦୦ଜଣଙ୍କୁ ଟିକା ଦେବାକୁ ଟାର୍ଗେଟ୍ ରଖାଯାଇଥିଲେ ହେଁ ୧୫୬ଜଣ ଏହି ଅଭିଯାନରେ ସାମିଲ୍ ହୋଇଥିଲେ। ଏଥିରୁ ସବୁଠୁ ଅଧିକ ଏଏନ୍ଏମ୍ ସ୍ବାସ୍ଥ୍ୟକର୍ମୀ ଥିଲେ। ୧୫୬ ଜଣଙ୍କ ମଧ୍ୟରୁ ମୋଟ୍ ୮୯ଜଣ ଏଏନ୍ଏମ୍ ସ୍ବାସ୍ଥକର୍ମୀ ଟିକା ନେଇଥିଲେ।
ଶନିବାର ରାଜଧାନୀରେ ଅପରାହ୍ଣ ୨ଟା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକାକରଣ ଶେଷ କରିବାକୁ ଯୋଜନା ହୋଇଥିଲେ ହେଁ ଏହା ରାତି ୭ଟା ଯାଏ ଚାଲିଥିଲା। ୬ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ୬୦୦ଜଣ ଟିକା ନେବାକୁ ଥିବା ବେଳେ ସ୍ବଇଚ୍ଛାରେ ୬୧୨ଜଣ ଟିକା ନେଇଥିଲେ। ଟାର୍ଗେଟ୍ଠାରୁ ୨ ପ୍ରତିଶତ ଅଧିକ ଲୋକ ଟିକା ନେଇଥିଲେ। ଏଥିରେ ୧୩୯ଜଣ ଡାକ୍ତର, ୨୩୦ଜଣ ପାରାମେଡିକାଲ୍ କର୍ମଚାରୀ, ୧୪୭ଜଣ ସହାୟକ କର୍ମଚାରୀ, ୮୯ଜଣ ଏଏନ୍ଏମ୍ ଏବଂ ୭ଜଣ ଅନ୍ୟ କରୋନା ଯୋଦ୍ଧା ଅଛନ୍ତି।
ଶନିବାର କିମ୍ସ, ସମ୍, ବିଏମ୍ସି ହସ୍ପିଟାଲ, ୟୁନିଟ-୪ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, କ୍ୟାପିଟାଲ ହସ୍ପିଟାଲ, ଏମ୍ସରେ ଟିକାଦାନ କାର୍ଯ୍ୟକ୍ରମ ହୋଇଥିଲା।
କେଉଁଠି କିଏ ପ୍ରଥମ ଟିକା ନେଲେ
୬ଟି ସ୍ବାସ୍ଥ୍ୟକେନ୍ଦ୍ରରେ କୋଭାକ୍ସିନ୍ ଟିକା ଦିଆଯାଇଥିବାବେଳେ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ ବିରଞ୍ଚି ନାୟକ, ୟୁନିଟ-୪ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡିଏମ୍ଇଟି ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଉମାକାନ୍ତ ଶତପଥୀ, ଏମ୍ସରେ ଏମ୍ସ ନିର୍ଦ୍ଦେଶକ ଗୀତାଞ୍ଜଳି ବାତମାନବାନେ, ବିଏମ୍ସି ହସ୍ପିଟାଲରେ ଭେଷଜ ବିଶେଷଜ୍ଞ ଡାକ୍ତର ନିରଞ୍ଜନ ପାଢ଼ୀ, ସମ୍ ହସ୍ପିଟାଲରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କୁଳପତି ଡାକ୍ତର ଅଶୋକ ମହାପାତ୍ର, କିମ୍ସ ହସ୍ପିଟାଲରେ କିମ୍ସର ଡାଇରେକ୍ଟର ଜେନେରାଲ ଏବଂ ପ୍ରିନସିପାଲ୍ ଡାକ୍ତର ପ୍ରଦୀପ କୁମାର ପଟ୍ଟନାୟକ ପ୍ରଥମ ଟିକା ନେଇଥିଲେ।