ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପିବ

୧୧ ଦିନରେ ୧୬୩୬ ଆକ୍ରାନ୍ତ, ୭ମୃତ
ସବୁ ଦିନ ଶହେରୁ ଅଧିକ ଚିହ୍ନଟ
ସିବିଆଇ ଅଫିସ୍‌ରେ ୨ ଓ ୪ ପୁଲିସ୍‌ ପଜିଟିଭ୍‌

ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏପରି ବଢ଼ିବ, କିଏ କେବେ ଆକଳନ କରିନଥିଲେ। ୧୧ ଦିନରେ ରାଜଧାନୀରେ ୧୬୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏହି ସମୟରେ ୭ଜଣଙ୍କର ବି କରୋନା ଜନିତ ମୃତ୍ୟୁ ହୋଇସାରିଲାଣି। ବିଏମ୍‌ସି କର୍ତ୍ତୃପକ୍ଷ ଯେତେ ପ୍ରତିଷେଧମୂଳକ ପଦକ୍ଷେପ ନେଲେ ବି କୌଣସି ଦିନ ଶହେରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉ ନାହାନ୍ତି। ଗତ ୧୧ ଦିନ ହେଲା ଲଗାତାର ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏପରିକି ଦୁଇ ଥର ୨୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏବେ ଲକ୍‌ଡାଉନ୍ କଟକଣା ଉଠି ଯାଇଥିବାରୁ ରାଜଧାନୀରେ କରୋନା ନିୟନ୍ତ୍ରଣକୁ ଆସିବ ତ, ସେନେଇ ପ୍ରଶ୍ନ ଉଠିଲାଣି। ଆଜି ୧୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜଧାନୀରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୯ରେ ପହଞ୍ଚିଛି।

ବର୍ତ୍ତମାନ କରୋନା ଆକ୍ରାନ୍ତ ଯେଉଁ ଧାରାରେ ବଢ଼ୁଛନ୍ତି, ସେଥିରେ ସୋମବାର ଭୁବନେଶ୍ବରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ଟପିବା ଏକରକମ ନିଶ୍ଚିତ। ଦିନକୁ ଦିନ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଅଗଷ୍ଟରେ ଆକ୍ରାନ୍ତଙ୍କ ସଂଖ୍ୟା ଜୁଲାଇକୁ ମାତ୍‌ ଦେବନି ତ! ଏ ପ୍ରଶ୍ନ ଏବେ ସମସ୍ତଙ୍କୁ ଘାରିଲାଣି। ଆଜି ଯେଉଁ ୧୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେଥିରୁ ୬୯ଜଣ ସଙ୍ଗରୋଧରେ ଥିବା ବେଳେ ୪୯ଜଣ ସ୍ଥାନୀୟ ସଂକ୍ରମିତ। ସଙ୍ଗରୋଧ ଆକ୍ରାନ୍ତଙ୍କ ମଧ୍ୟରେ ୭ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ହୋଇଥିବା ବେଳେ ପଳାସପଲ୍ଲୀରୁ ୫ଜଣ, ପାଣ୍ଡରାରୁ ୩ଜଣ, ୩ଜଣ ପୁଲିସ କର୍ମଚାରୀ ଆକ୍ର‌ାନ୍ତ ହୋଇଛନ୍ତି। ବହୁ ସ୍ଥାନରୁ ଦୁଇ ଜଣିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ୟୁନିଟ୍‌-୮ ସିବିଆଇ କଲୋନିରେ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଦୁଇଜଣ ସିବିଆଇ କର୍ମଚାରୀ ଥିବା ଜଣାପଡ଼ିଛି। ଜଣେ ପୁଲିସ କର୍ମଚାରୀ, ନୂଆପଲ୍ଲୀରେ ଜଣେ ଗଣମାଧ୍ୟମ କର୍ମଚାରୀ ବି କରୋନା ଆକ୍ରାନ୍ତ ହୋଇଛନ୍ତି। ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଆଜି ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର