ଦିନକରେ ୩୭୩ ସୁସ୍ଥ, ଆଜି ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଟପିବ

ନୀଳାଚଳ କୋଭିଡ୍‌ ହସ୍ପିଟାଲରେ ପୁଣି ୩ ମୃତ, ୧୩ ଆୟୁଷ ଡାକ୍ତରଙ୍କୁକରୋନା

ଭୁବନେଶ୍ୱର : ରାଜଧାନୀରେ ଆଜି ୩୪୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୩ଜଣ ସୁସ୍ଥ ହୋଇଛନ୍ତି। ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ ହୋଇଥିବାରୁ ରାଜଧାନୀବାସୀ ଆଶ୍ବସ୍ତ ହୋଇଛନ୍ତି। ଏପରିକି ଏବେ କିଛି ଦିନ ହେଲା ସୁସ୍ଥହାର ବଢ଼ି ଚାଲିଛି। ଆଜି ସୁଦ୍ଧା ରାଜଧାନୀରେ ୧୯,୮୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬,୧୧୯ଜଣ ସୁସ୍ଥ ହୋଇସାରିଲେଣି। ଏବେ ୩୬୮୩ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୭୬ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଦିନକୁ ପ୍ରାୟ ୩୦୦ରୁ ୩୫୦ ଆକ୍ରାନ୍ତ ବାହାରୁଥିବା ବେଳେ ଶୁକ୍ରବାର ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଟପିବାର ସମ୍ଭାବନା ଅଛି। ଆଉ ୧୦୭ଜଣ ଆକ୍ରାନ୍ତ ଚିହ୍ନଟ ହେଲେ ରାଜଧାନୀ ଏହି ରେକର୍ଡ କରିବ।

ଅପରପକ୍ଷେ ଏବେ ସ୍ଥାନୀୟ ସଂକ୍ରମଣ ବଢ଼ି ଚାଲିବା ଚିନ୍ତାର ବିଷୟ ପାଲଟିଛି। ପ୍ରତିଦିନ ସଙ୍ଗରୋଧରେ ରହୁଥିବା ଲୋକ ଯେତିକି ଆକ୍ରାନ୍ତ ବାହାରୁଛନ୍ତି, ତା’ର ପ୍ରାୟ ଦୁଇଗୁଣା ସ୍ଥାନୀୟ ସଂକ୍ରମିତ ବାହାରୁଛନ୍ତି। ଆଜି ୩୪୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୨୦ଜଣ ସଙ୍ଗରୋଧ ଏବଂ ୨୨୦ଜଣ ସ୍ଥାନୀୟ ସଂକ୍ରମିତ। ଆଜି ନୂଆପଲ୍ଲୀରୁ ୨୦ଜଣ, ରସୁଲଗଡ଼ରୁ ୧୨ଜଣ, ଝାରପଡ଼ାରୁ ୯ଜଣ, ପୁରୁଣା ଭୁବନେଶ୍ବରରୁ ୧୧ଜଣ, ଶୈଳଶ୍ରୀ ବିହାର ଓ ୟୁନିଟ-୮ରୁ ୧୯ଜଣ ଲେଖାଏଁ ଆକ୍ରାନ୍ତ ବାହାରିଛନ୍ତି। ଏହାବାଦ୍‌ ମଞ୍ଚେଶ୍ବର, ବରମୁଣ୍ଡା, ଚନ୍ଦ୍ରଶେଖରପୁର, ବିଜେବିନଗର ପ୍ରଭୃତି ଅଞ୍ଚଳରୁ ବହୁ ଆକ୍ରାନ୍ତ ବାହାରିଛନ୍ତି।

ନୀଳାଚଳ କୋଭିଡ୍‌ ହସ୍ପିଟାଲରେ ପୁଣି ୩ ମୃତ
ବାଲିଅନ୍ତା : ବାଳକାଟି ନିକଟ ନୀଳାଚଳ କୋଭିଡ୍‌ ହସ୍ପିଟାଲରେ ଆଜି ପୁଣି ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ୩ ଜଣଯାକ ପୁରୁଷ ଓ ସମସ୍ତଙ୍କ ବୟସ ୫୫ରୁ ୫୮ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି। ଦୁଇଜଣଙ୍କ ଘର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟଜଣଙ୍କ ଘର କଣାସ ଅଞ୍ଚଳ ବୋଲି ଜଣାପଡ଼ିଛି। ଦୀର୍ଘ ୧୨ ଦିନ ହେଲା ସେମାନେ ଉକ୍ତ ହସ୍ପିଟାଲରେ ସାଧାରଣ ଶଯ୍ୟାରେ ଚିକିତ୍ସାଧୀନ ଥିଲେ। ଅବସ୍ଥା ସଂକଟାପନ୍ନ ହୋଇପଡ଼ିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତି କରାଯାଇଥିଲା। ଆଜି ବିଏମ୍‌ସି ୩ ଜଣଙ୍କ ମୃତଦେହକୁ ଠିକ୍‌ ସମୟରେ ସତ୍ୟନଗର ଶ୍ମଶାନରେ ସତ୍କାର କରାଇଛି।

୧୩ ଆୟୁଷ ଡାକ୍ତରଙ୍କୁକରୋନା
ଭୁବନେଶ୍ୱର : ବିଏମ୍‌ସିରେ କରୋନା ପରିଚାଳନା ପାଇଁ ପ୍ରାୟ ୧୦୦ ଆୟୁଷ ଡାକ୍ତର ନିୟୋଜିତ ହୋଇଛନ୍ତି। ସେମାନେ ରାପିଡ୍ ରେସ୍‌ପନ୍ସ ଟିମ୍‌ରେ ରହି ଆକ୍ରାନ୍ତଙ୍କ ଘରକୁ ଯାଉଛନ୍ତି। ସେଠାରେ ଔଷଧ ଦେବା ସହ ବିଭିନ୍ନ ପ୍ରକାରର ପରାମର୍ଶ ଦେଉଛନ୍ତି। ସେହିପରି ଆକ୍ରାନ୍ତଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ତା’ର କଣ୍ଟାକ୍ଟ ଟ୍ରେସିଂ କରୁଛନ୍ତି। ବିଏମ୍‌ସିର ଆଗଧାଡ଼ିରେ ଏହି ଡାକ୍ତରମାନେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏଥିରୁ ୧୩ଜଣ ଡାକ୍ତର ଏବେ କରୋନା ଆକ୍ରାନ୍ତ ହୋଇସାରିଲେଣି। ନିକଟରେ ୮ଜଣ ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ବେଳେ ଆଜି ୫ଜଣ ଆକ୍ରାନ୍ତ ହୋଇଛନ୍ତି। ଫଳରେ ବାକି ଡାକ୍ତରମାନେ ଟିକେ ଭୟଭୀତ ହୋଇଯାଇଛନ୍ତି। ଆୟୁଷ ଡାକ୍ତରମାନଙ୍କର ରହିବାରେ ଅବ୍ୟବସ୍ଥା ହୋଇଥିବା ନେଇ ଡାକ୍ତରମାନେ କିଛି ଦିନ ତଳେ ଅଭିଯୋଗ କରିଥିଲେ। ଆକ୍ରାନ୍ତଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିଲେ ହେଁ ସେମାନଙ୍କ ବିଶ୍ରାମ ବ୍ୟବସ୍ଥା ଠିକ୍ ଭାବେ କରାଯାଉନି, ବହୁ ଲୋକ ଗୋଟିଏ ଶୌଚାଳୟକୁ ବ୍ୟବହାର କରୁଛନ୍ତି। ସ୍ଥିତି ଏପରି ହେଉଛି ଯେ ଜଣେ ଆକ୍ରାନ୍ତ ହେଲେ ଏକସଙ୍ଗେ ୧୫ରୁ ୨୦ଜଣ ଆକ୍ରାନ୍ତ ବାହାରିବେ।

ସମ୍ବନ୍ଧିତ ଖବର