ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର କାରଣ ହେଲା ହଟସ୍ପଟ୍ ଜିଲ୍ଲାରୁ ବହୁ ଲୋକ ଭୁବନେଶ୍ବର ପଳାଇଆସିଛନ୍ତି। କିଏ ବିଭିନ୍ନ କାମ ପାଇଁ ଆସିଛନ୍ତି ତ କିଏ ଚିକିତ୍ସା ପାଇଁ ଆସିଛନ୍ତି ବୋଲି ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି।
ବିଏମ୍ସି କମିସନର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜୁଲାଇ ୧ରୁ ୧୦ ତାରିଖ ମଧ୍ୟରେ ୩୧୭ଜଣ ଆକ୍ରାନ୍ତ ରାଜଧାନୀରେ ଚିହ୍ନଟ ହୋଇସାରିଲେଣି। ଏଥିରୁ ୨୧୨ ଜଣ ହଟସ୍ପଟ୍ ଜିଲ୍ଲା ଓ ବିଭିନ୍ନ ଅଞ୍ଚଳରୁ ଆସିଛନ୍ତି। ୬୧ଜଣ ବିଭିନ୍ନ ହସ୍ପିଟାଲରୁ ସଂକ୍ରମିତ ହୋଇଥିବାବେଳେ ୩୭ଜଣ ସ୍ଥାନୀୟ ସଂକ୍ରମିତ। ଏବେ ଗଞ୍ଜାମ, ଗଜପତି, ଭଦ୍ରକ, ବାଲେଶ୍ବର, କଟକ ଜିଲ୍ଲାକୁ ହଟ୍ସ୍ପଟ୍ ଜିଲ୍ଲା ଘୋଷଣା କରାଯାଇଥିବାବେଳେ ଏଠାରୁ ଭୁବନେଶ୍ବରକୁ ଆସୁଥିବା ଲୋକଙ୍କୁ ୧୪ଦିନ ସଙ୍ଗରୋଧ ରହିବାକୁ କୁହାଯାଇଛି। ବସ୍ତି ଅଞ୍ଚଳକୁ ଆସୁଥିବା ଲୋକଙ୍କୁ ବିଏମ୍ସି ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଲୋକମାନେ ଏହାକୁ ମାନୁନଥିବାରୁ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ରାଜଧାନୀ ପାଇଁ ଚିନ୍ତାର ବିଷୟ ବୋଲି କମିସନର କହିଛନ୍ତି। ଏହାସହ କମିସନର କହିଛନ୍ତି ଯେ, ଲୋକମାନେ ସଟ୍ଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରନ୍ତୁ। ଅନ୍ୟ ଦିନରେ ବି କାମ ନଥିଲେ ଘରୁ ବାହାରନ୍ତୁ ନାହିଁ। ଅନଲାଇନ୍ ସପିଂ କରିବା ସହ ଅନ୍ଲାଇନ୍ରେ ବିଭିନ୍ନ ଦେୟ ପୈଠ କରିବା ଏବଂ ବ୍ୟାଙ୍କ କାମ କରନ୍ତୁ।
ସେହିପରି କେବଳ ଗୁରୁତର ରୋଗୀ ହସ୍ପିଟାଲକୁ ଯାଆନ୍ତୁ। ନଚେତ୍ ବିଏମ୍ସି ଏବଂ ବିଭିନ୍ନ ହସ୍ପିଟାଲର ଟେଲି ମେଡିକାଲ୍ ସେବାର ସୁବିଧା ନିଅନ୍ତୁ। ଯାହାର ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ୧୦୪ ନମ୍ବରରେ ଫୋନ୍ କରିବାକୁ କମିସନର ଅନୁରୋଧ କରିଛନ୍ତି।
ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ଯେଉଁଠି କରୋନା ଆକ୍ରାନ୍ତ ବାହାରୁଛନ୍ତି ତାଙ୍କୁ ତୁରନ୍ତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ସହ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଏହାପରେ ଉକ୍ତ ଅଞ୍ଚଳକୁ ବିଶୋଧନ କରାଯାଉଛି। ଯେଉଁଠି କରୋନା ସଂକ୍ରମଣର କାରଣ ଜଣାପଡ଼ୁନି ସେଠାରେ ୧୪ଦିନ ପର୍ଯ୍ୟନ୍ତ ଆକ୍ଟିଭ୍ ସର୍ଭେଲାନ୍ସ କରାଯାଉଛି। ୫୦ରୁ ୧୦୦ ପରିବାରକୁ ସଙ୍ଗରୋଧରେ ରଖିବା ସହ ପ୍ରତ୍ୟେକ୍ଷ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କର କୋଭିଡ୍ ପରୀକ୍ଷା କରାଯାଉଛି। ଆବଶ୍ୟକସ୍ଥଳେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
ବିଏମ୍ସି ପକ୍ଷରୁ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ବସ୍ତି ଅଞ୍ଚଳକୁ ମୁଖ୍ୟତଃ ଅଧିକ ଧ୍ୟାନ ଦିଆଯାଉଛି। ସେଠାରେ ହଟ୍ସ୍ପଟ୍ ଜିଲ୍ଲାରୁ ଆସିଥିବା ଲୋକଙ୍କୁ ପୂରାଇ ଦିଆଯାଉନି। ସେମାନଙ୍କୁ ପ୍ରଥମେ ୧୪ଦିନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଉଛି। ସଙ୍ଗରୋଧ ଅବଧି ସରିଲେ ବସ୍ତିରେ ରହିବାକୁ ଦିଆଯାଉଛି। ବସ୍ତି କମିଟି ଦ୍ବାରା ବିଭିନ୍ନ ପ୍ରକାରର ସର୍ଭେ କରିବା ସହ ଲୋକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ସଚେତକ କମିଟି ଦ୍ବାରା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହେଉଛି।