୯୦ ଆକ୍ରାନ୍ତଙ୍କ ମଧ୍ୟରୁ କଣ୍ଟାକ୍ଟ କେସ୍ ୫୫
୧୫ ଦିନରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଟପିଲା
ଖୋର୍ଧା ଜିଲ୍ଲା ସୁସ୍ଥ ହାର ୬୫%, ରାଜଧାନୀରେ ୪୯%
ଭୁବନେଶ୍ବର : ଭୁବନେଶ୍ବରରେ କରୋନା ଏବେ ନିୟନ୍ତ୍ରଣ ବାହାରେ। ସଂଖ୍ୟା ଏବେ ହଜାରେ ମୁହାଁ। ଗତ ୨୪ଘଣ୍ଟାରେ ରାଜଧାନୀରେ ରେକର୍ଡ ସଂଖ୍ୟକ ୯୦ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଖୁବଶୀଘ୍ର ଏହି ସଂଖ୍ୟା ଛୁଇଁବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏବେ କେବଳ ଗଞ୍ଜାମ, କଟକ ଜିଲ୍ଲା ହଜାରେ ସଂଖ୍ୟାକୁ ଅତିକ୍ରମ କରିଥିବା ବେଳେ ଭୁବନେଶ୍ବରକୁ ମିଶାଇ ଖୋର୍ଧା ଜିଲ୍ଲା ମଧ୍ୟ ଏହି ସଂଖ୍ୟା ପାର୍ କରିଛି। ବିଶେଷକରି ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଓ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିବା ସମୟରେ ବହୁ ସଂଖ୍ୟାରେ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ରାଜଧାନୀର ସରକାରୀ ଓ ବେସରକାରୀ ହସ୍ପିଟାଲଗୁଡ଼ିକ ଏବେ ଗୋଟିଏ ଗୋଟିଏ ହଟସ୍ପଟ୍ ପାଲଟିବାକୁ ବସିଲାଣି।
/sambad/media/post_attachments/wp-content/uploads/2020/07/covid-testing-300x200.jpg)
ଅପରପକ୍ଷରେ ଭୁବନେଶ୍ବର ଗତ ଜୁଲାଇ ମାସ ଆରମ୍ଭରୁ ରାଜ୍ୟକୁ କରୋନା ବୃଦ୍ଧି ଓ ସ୍ଥାନୀୟ ସଂକ୍ରମଣରେ ପଛରେ ପକାଇ ଦେଇଛି। ଖୋର୍ଧା ଜିଲ୍ଲାରେ ରୋଗୀଙ୍କ ସୁସ୍ଥ ହାର ୬୫ ପ୍ରତିଶତ ଥିବା ବେଳେ ରାଜଧାନୀରେ ପ୍ରାୟ ୪୯ ପ୍ରତିଶତ ରହିଛି। ଯେଉଁଭଳି ଭାବେ ରାଜଧାନୀରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି, ସେଥିପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଦିନକରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୩ଜଣ ସଙ୍ଗରୋଧ ଓ ୨୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ୯୦ ରୋଗୀଙ୍କ ମଧ୍ୟରୁ ୩୦ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଜୁଲାଇ ୧ତାରିଖ ବେଳକୁ ରାଜଧାନୀରେ ରୋଗୀଙ୍କ ସଂଖ୍ୟା ୩୩୨ ଥିବା ବେଳେ ୧୫ଦିନରେ ଏହି ସଂଖ୍ୟାରେ ୫୨୭ଜଣ ସାମିଲ ହୋଇଛନ୍ତି। ଏଥିରେ କେବଳ ୨୦୨ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି। ସ୍ଥାନୀୟ ଆକ୍ରାନ୍ତଙ୍କ ହାର ଗତ ୧୫ଦିନରେ ୩୮ ପ୍ରତିଶତ ରହିଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୫୫ଟି କଣ୍ଟାକ୍ଟ କେସ୍ ସାମିଲ ରହିଛି। ଏଥିରେ ପାହାଳ ନିଟକସ୍ଥ ପୁଲିସ ଫାଣ୍ଡି ନିକଟରୁ ସର୍ବାଧିକ ୧୦ଜଣ, ସରକାରୀ ସଙ୍ଗରୋଧରୁ ୯ଜଣ, ୭ଜଣ ସାଲିଆସାହି ଶ୍ରୀକୃଷ୍ଣ ନଗର ଓ ୫ଜଣ ସରକାରୀ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ସେହିପରି ୨୭ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୬ଟି କେସ୍ ହସ୍ପିଟାଲ ସମ୍ବନ୍ଧରେ ରହିଛନ୍ତି। ଏଥିରେ ହସ୍ପିଟାଲର କର୍ମଚାରୀଙ୍କ ସହିତ ଚିକିତ୍ସା ପାଇଁ ଯାଇଥିବା ରୋଗୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ୮ଜଣ ରୋଗୀ ରାଜ୍ୟର ହଟସ୍ପଟ୍ ଜିଲ୍ଲାକୁ ଯାଇ ଆକ୍ରାନ୍ତ ହୋଇଛନ୍ତି। ତେବେ ୧୨ଜଣ ରୋଗୀଙ୍କ ବିଷୟରେ ବିଏମ୍ସି ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ସେମାନେ ପୂର୍ବରୁ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି କି ନାହିଁ ସ୍ପଷ୍ଟ ହୋଇନାହିଁ। ଯାହାକି ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଆଶଙ୍କା ବଢ଼ାଇଛି। ରାଜଧାନୀରେ ଆଜି ସୁଦ୍ଧା ୮୫୯ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୮୫ଜଣ ସୁସ୍ଥ ହୋଇଛନ୍ତି। ତେବେ ୪୬୨ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି। ରାଜଧାନୀରେ ୧୧ଜଣଙ୍କର କରୋନା ପାଇଁ ମୃତ୍ୟୁ ହୋଇଛି।