ବାଲିଅନ୍ତା : ବାଲିଅନ୍ତାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ବ୍ଲକ ପ୍ରଶାସନ ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ଲକ ପ୍ରଶାସନ ଓ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କର୍ତୃପକ୍ଷଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଛି। ଏଣିକି ଗାଁ ଗାଁରେ କୋଭିଡ୍ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଦିକନ୍ଦ ବେହେରାଙ୍କ ସୂଚନା ମୁତାବକ କରୋନା ପଜିଟିଭ୍ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଲାଗି ସବୁ ଗ୍ରାମରେ ସଚେତନତା ପ୍ରକ୍ରିୟା ବ୍ୟାପକ ହେବ। ଲୋକମାନଙ୍କର କୋଭିଡ୍ ପରୀକ୍ଷା ଉପରେ ଗୁରୁତ୍ବ ଦିଆଯିବ। ପଜିଟିଭ୍ ଚିହ୍ନଟ ଲୋକଙ୍କୁ ଗୃହ ସଂଗରୋଧରେ ରଖାଯିବ ଏବଂ ଗାଁ ସିଲ୍ କରାଯିବ। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀଙ୍କ ସୂଚନାନୁସାରେ ଏନେଇ ଦୁଇଟି ଡାକ୍ତରୀ ଟିମ୍ ଗଠନ ହୋଇଛି। ପ୍ରତି ଟିମ୍ରେ ଜଣେ ଡାକ୍ତରଙ୍କ ସମେତ ୩ ଜଣ କୋଭିଡ୍ ଏଏନ୍ଏମ୍ଙ୍କୁ ନିଯୁକ୍ତ କରାଯାଇଛି। ଗୋଟିଏ ଟିମ୍ ଦିନକୁ ଦୁଇଟି ଗ୍ରାମରେ କୋଭିଡ୍ ପରୀକ୍ଷା କରାଇବେ। ଜନପ୍ରତିନିଧିଙ୍କ ରିପୋର୍ଟ ଆଧାରରେ ବିଡିଓଙ୍କ ନିର୍ଦ୍ଦେଶକ୍ରମେ କେଉଁ ଗ୍ରାମରେ କୋଭିଡ୍ କେନ୍ଦ୍ର କରାଯିବ, ତାହା ଚୟନ ହେବ ବୋଲି ସୂଚନା ମିଳିଛି।
ଉମାଦେଇ ବ୍ରହ୍ମପୁରରୁ ୬ ପଜିଟିଭ୍ ଚିହ୍ନଟ, ମୁଖ୍ୟ ରାସ୍ତା ସିଲ୍ ନେଇ ଅସନ୍ତୋଷ
ବାଲିଅନ୍ତା : ସ୍ଥାନୀୟ ଉମାଦେଇ ବ୍ରହ୍ମପୁର ପଞ୍ଚାୟତରୁ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ଗତ ୧୦ ତାରିଖରେ ପଞ୍ଚାୟତ ପକ୍ଷରୁ ଯଶୁଆପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା କୋଭିଡ୍ ପରୀକ୍ଷା କେନ୍ଦ୍ରରେ ସେମାନେ ସ୍ବାବ୍ ପରୀକ୍ଷା କରାଇଥିଲେ। ୧୧ ତାରିଖରେ ସ୍ବାବ୍ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା। ଏକାଥରକେ ଏତେ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହେବାରୁ ସ୍ଥାନୀୟ ଲୋକମାନେ ବାଲିଅନ୍ତା ପଞ୍ଚାୟତ ସମିତି ପାଖ ମୁଖ୍ୟ ରାସ୍ତା ଉଭୟ ପାର୍ଶ୍ବରେ ବାଉଁଶ ବାନ୍ଧି ସିଲ୍ କରି ଦେଇଛନ୍ତି। ଫଳରେ ଯାତାୟାତରେ ଲୋକେ ବହୁ ସମସ୍ୟାରେ ପଡ଼ୁଛନ୍ତି। ଉକ୍ତ ରାସ୍ତାରେ ପ୍ରତିଦିନ ଶହ ଶହ ଲୋକ ବାଲିଅନ୍ତା ତହସିଲ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟଏବଂ ଭୁବନେଶ୍ବରକୁ ଯାତାୟତ କରିଥାନ୍ତି। ଏହି ରାସ୍ତା ସିଲ୍ ହେବା ଦ୍ବାରା ଲୋକମାନେ ଏହି ସବୁ କାର୍ଯ୍ୟାଳୟକୁ ଯାତାୟାତ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ବନ୍ଦ ହୋଇଥିବା ଜାଣିନପାରି ଲୋକମାନେ ଏହି ରାସ୍ତାରେ ଆସି ପୁଣି ଅଧାବାଟରୁ ଫେରି ଅନ୍ୟ ରାସ୍ତାରେ ଯିବାକୁ ବାଧ୍ୟ ହେଉଛନ୍ତି। ଏହି ରାସ୍ତା ଖୋଲିବା ଦିଗରେ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।