କରୋନା ସଙ୍କଟ : ମୂଲ ଲାଗୁଛନ୍ତି ଛାତ୍ରଛାତ୍ରୀ, ଦିନରେ କୋଡ଼ି କୋଦାଳ, ରାତିରେ କଲମ

ଭୁବନେଶ୍ୱର : କରୋନା କେବଳ ମନରେ କୋକୁଆ ଭୟ ସୃ‌ଷ୍ଟି କରିନାହିଁ, ଆର୍ଥିକ ମେରୁଦଣ୍ଡକୁ ବି ଦୋହଲାଇ ଦେଇଛି। ସଙ୍କଟ କାଳରେ ଅନେକ ନିଜର କାମ ହରାଇ ଘରେ ବସି ରହିଛନ୍ତି। ଯାହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିଛି। ଫଳରେ କରୋନା ପୂର୍ବରୁ ଖାତା ବହିରେ ଲୟ ରଖୁଥିବା ଛାତ୍ରଛାତ୍ରୀ ଏବେ କୋଡ଼ି କୋଦାଳ ଧରି ମୂଲ ଲାଗୁଛନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଆସିଥିବା କିଛି ଯୁବକ ମୂଲ ଲାଗି ନିଜର ଖର୍ଚ୍ଚ ଉଠାଇବାକୁ ସଂଘର୍ଷ କରୁଥିବା ବେ‌ଳେ କଲେଜ୍‌ ଛାତ୍ରୀମାନେ ବି ରାସ୍ତା ଖୋଳା କାମ‌ରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି।

ରାଜଧାନୀର ଏକ କଲେଜ୍‌ରେ +୨ରେ ପଢ଼ୁଥିବା ଦୁଇ ଛାତ୍ରୀ ଫାୟାର ଷ୍ଟେସନ୍‌ ଛକରେ କେବୁଲ ବିଛାଇବା ପାଇଁ ରାସ୍ତା ଖୋଳା କାମରେ ନିୟୋଜିତ ହୋଇଥିଲେ। ‌ମାତ୍ର ସେମାନେ ନିଜ ପରିଚୟକୁ ଗଣମାଧ୍ୟମ ଆଗରେ ପ୍ରକାଶ କରିବାକୁ ମନା କରି ଦେଇଥିଲେ। ତେବେ ସଂପ୍ରତି କରୋନାର ସଙ୍କଟମୟ ଚିତ୍ର ଦେଖାଇବା ପାଇଁ ସେମାନଙ୍କ ବାବଦରେ ଅଧିକ ଜାଣିବାକୁ ଚେଷ୍ଟା କରିଥିଲୁ। ତାଙ୍କ ସହ କାମ କରୁଥିବା ଜଣେ ବ୍ୟକ୍ତି କହିଥିଲେ, ପରିବାର ସଦସ୍ୟ ଚାକିରି କରିଥିଲେ ହେଁ ସେମାନେ କାମ ହରାଇ ଘରକୁ ଚାଲି ଆସିଛନ୍ତି। ତେଣୁ ପରିବାର ଚଳିବା କଷ୍ଟକର। ଏଭଳି ସ୍ଥିତିରେ ନିଜ ପରିବାରକୁ ସାହା ହେବା ପାଇଁ ସେମାନେ କର୍ମ ‌କ୍ଷେତ୍ରକୁ ଓହ୍ଲାଇ ଆସିଛନ୍ତି। ଛାତ୍ରୀଦ୍ବୟ କହିଥିଲେ, ଏଣୁତେଣୁ କଥା ତ ଅନେକ କହିବେ, କିନ୍ତୁ ଏ ସମୟରେ ଖାଇବାକୁ କିଏ ଦେବ? ଏହା ଦ୍ବାରା ଯେ ପଢ଼ାରେ ବାଧା ଉପୁଜୁଛି ଏକଥା ଅସ୍ବୀକାର କରିହେବ ନାହିଁ। ମାତ୍ର ସେମାନଙ୍କ ପାଇଁ ଯେମିତି ବିକଳ୍ପ ପନ୍ଥା କିଛି ନାହିଁ।

ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ସନ୍ତୋଷ ସାହୁ କହିଛନ୍ତି, ଏଠି ନିଜର କ୍ୟାରିୟର ଗଢ଼ିବାକୁ ପଡ଼ି ରହିଥିବା ବହୁ ପିଲା ବିଭିନ୍ନ ଛୋଟବଡ଼ କୋଚିଂ ସେଣ୍ଟର୍‌ ଓ ଘରୋଇ ଟ୍ୟୁସନ୍‌ କରି ନିଜର ଘରଭଡ଼ା ଓ ରହିବା ଖର୍ଚ୍ଚ ତୁଲାଇ ଦିଅନ୍ତି। ପଢ଼ିବାକୁ ଆସିଥିବା ବହୁ ପିଲାଙ୍କ ପାରିବାରିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ସେମାନେ କିଛି ବିକଳ୍ପ ବ୍ୟବସ୍ଥା କରି ରହିବାକୁ ପଡ଼େ। ମାତ୍ର ଏବେ କୋଚିଂ ଓ ବିଭିନ୍ନ ବ୍ୟବସାୟସ୍ଥଳ ବନ୍ଦ ଥିବାରୁ ଅନେକ ମୂଲ ଲାଗିବାକୁ ପଛାଉ ନାହାନ୍ତି। ଏଣେ ନିଯୁକ୍ତି ପ୍ରକ୍ରିୟା ବି ବନ୍ଦ ହୋଇଯାଇଛି। ତେଣୁ ନିର୍ମାଣ କାମ ପାଇଁ ସମୟ ନିର୍ଧାରିତ ଥିବାରୁ ସେଠାରେ କାମ କରି ରାତିରେ ପିଲାମାନେ ପଢ଼ାପଢ଼ି କରୁଛନ୍ତି।

ଜାଗମରା ଗାଁ ଭିତରେ ୪ଟି ପରିବା ବ୍ୟାଗ୍‌ ସାଇକେଲ୍‌ରେ ଝୁଲାଇ ବିକ୍ରି ପାଇଁ ଘୂରି ବୁଲୁଥିବା ଜଣେ ୯ମ ଶ୍ରେଣୀ ଛାତ୍ରକୁ ଅଟକାଇ ପଚାରିଥିଲୁ, ତମେ କାହିଁକି ପରିବା ବିକୁଛ? ଉତ୍ତରରେ ସେ କହିଥିଲା, ମୋ ବାପା ଦ୍ବାର ମୁହଁରେ ପରିବା ବିକ୍ରି କରୁଛନ୍ତି। କିନ୍ତୁ ‌ଏତେ ବିକ୍ରିବଟା ହେଉନାହିଁ। ତେଣୁ ସ୍କୁଲ୍‌ ବନ୍ଦ ଥିବାରୁ ମୁଁ କିଛି ପରିବା ଧରି ବାହାରକୁ ଯିବାକୁ ମୋ ବାପା କହିଛନ୍ତି। ଏହା ମଧ୍ୟରେ ତା’ର ଆଉ ପାଠ ପଢ଼ିବାକୁ ବି ଇଚ୍ଛା ହେଉନାହିଁ ବୋଲି ସେ କଥା ଛଳରେ କହିଥିଲା। ତେଣୁ କରୋନା କେବଳ ଅନେକଙ୍କୁ ବେରୋଜଗାର କରି ଦେଇନାହିଁ ବରଂ ଅନେକ କୋମଳମତି ପିଲାଙ୍କଠୁ ପାଠ ଛଡ଼ାଇ ନେଉଥିବା ଜଳଜଳ ବାରି ହେଉଛି।

ସମ୍ବନ୍ଧିତ ଖବର