ଭୁବନେଶ୍ବର: ରାଜଧାନୀକୁ ବୁଲାଗୋରୁ ମୁକ୍ତ କରିବା ପାଇଁ ବିଏମ୍‌ସି ମିସନ ଆରମ୍ଭ କରିଛି। ଏଥିପାଇଁ ବିଏମ୍‌ସିରେ ସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତି ସହ ବୁଲାଗୋରୁ ଉଠାଇବାକୁ ଠିକାସଂସ୍ଥା ଓ ବୁଲାଗୋରୁଙ୍କୁ ରଖିବା ପାଇଁ ବିଭିନ୍ନ ଗୋ’ଶାଳାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ସେହିଭଳି ବୁଲାକୁକୁରଙ୍କ ସଂଖ୍ୟା କମାଇବା ସହ ସେମାନଙ୍କ ଆଚରଣରେ ପରିବର୍ତ୍ତନ ଆଣିବା ପାଇଁ ଏବିସି (ଆନିମଲ୍‌ ବାର୍ଥ କଣ୍ଟ୍ରୋଲ୍‌) କାର୍ଯ୍ୟକ୍ରମ ଚାଲିଛି। ଏଥିରେ କୁକୁର ନେବା ଆଣିବା ଓ ଅପରେସନ ପାଇଁ ଡାକ୍ତର, ଓଟି ବାବଦରେ ମଧ୍ୟ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଏସବୁ ବର୍ତ୍ତମାନ କେବଳ କାଗଜପତ୍ରରେ ଚାଲିଛି। ଏବିସି କାର୍ଯ୍ୟକ୍ରମ ଓ ଗୋ’ଶାଳା ଦାୟିତ୍ବରେ ଥିବା ଅଧିକାରୀଙ୍କ ବଦଳି ହେବାପରେ ନୂଆ ଅଧିକାରୀମାନେ ସେ ଫାଇଲ୍‌ରେ ହାତ ମାରୁନାହାନ୍ତି। ଫଳରେ ଗୋ’ଶାଳା ପରିଚାଳନା କରୁଥିବା ସଂସ୍ଥାମାନଙ୍କର ପ୍ରାପ୍ୟ ବାକି ପଡ଼ିଛି। ସେମାନେ ଆଉ ବୁଲାଗୋରୁ ଉଠାଉ ନାହାନ୍ତି। ଏଣେ ଗ୍ରୀଷ୍ମ ପ୍ରବାହ ଆଳରେ ଏବିସି ବା କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରଖିଛି ବିଏମ୍‌ସି। ଫଳରେ ବୁଲାଗୋରୁ ଓ କୁକୁରଙ୍କ ଉପଦ୍ରବ ଏବେ ରାଜଧାନୀବାସୀଙ୍କ ପାଇଁ କାଳ ହୋଇଛି। ସହରର ଅନେକ ସ୍ଥାନରେ ସ୍ଥିତି ସାଂଘାତିକ ରୂପ ଧାରଣ କରିଛି।

Advertisment

ସଞ୍ଜ ନଇଁଲେ ବୁଲାଗୋରୁ ଓ କୁକୁର ରାଜଧାନୀରାସ୍ତାକୁ କବ୍‌ଜା କରୁଛନ୍ତି। ରାତି ଯେତେ ବଢ଼ୁଛି ବିଶେଷକରି କୁକୁରମାନେ ସେତେ ଆକ୍ରମଣାତ୍ମକ ହୋଇପଡ଼ୁଛନ୍ତି। ଗାଡ଼ିକୁ ପିଛା କରି ଗୋଡ଼ାଉଥିବା ବେଳେ ନିଜ ନିଜ ଭିତରେ ଆକ୍ରମଣ ପ୍ରତିଆକ୍ରମଣ ଯୋଗୁ ଗାଡ଼ି ଚାଳକ ଦୁର୍ଘଟଣାର ଶିକାର ହେଉଛନ୍ତି। ସହରର କେତେଟି ରାସ୍ତାରେ ତ ଲୋକେ ରାତି ହେଲେ ଯିବାକୁ ଭୟ କରୁଛନ୍ତି। ସେହିଭଳି ବୁଲାଗୋରୁ ମଧ୍ୟ ଦୁର୍ଘଟଣାର କାରଣ ସାଜୁଛନ୍ତି। କଳାରଙ୍ଗର ଷଣ୍ଢ କିମ୍ବା ଗାଈ ରାସ୍ତା ଉପରେ ଶୋଇ ରହିବା ଯୋଗୁ ଚାଳକ ଦେଖି ନପାରି ଦୁର୍ଘଟଣା ଘଟାଉଛନ୍ତି। ସରକାରୀ ଡାକ୍ତରଖାନାରେ ଗତ ୧୫ ଦିନର ତଥ୍ୟକୁ ବିଚାରକୁ ନେଲେ ଏଭଳି ଦୁର୍ଘଟଣାରେ ଶିକାର ହୋଇ ଦିନକୁ ୪ ଜଣ ଲୋକ ଚିକିତ୍ସା ପାଇଁ ଆସୁଛନ୍ତି। ଅନ୍ୟାନ୍ୟ ଘ‌ରୋଇ ଚିକିତ୍ସାଳୟକୁ ହିସାବକୁ ନେଲେ ଏହି ସଂଖ୍ୟା ଅନେକ ବଢ଼ିଯିବ କୁହାଯାଉଛି।

ପୂର୍ବରୁ ଏଭଳି ନିୟମିତ ଘଟିବାରୁ ବିଏମ୍‌ସି ଏବିସି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ସହିଦନଗରରେ ଦିନକୁ ୩୦ କୁକୁରଙ୍କର ଅସ୍ତ୍ରୋପଚାର କରାଯାଉଥିଲା। ହେଲେ ତାହା ସଫଳ ହେଲାନାହିଁ। ଏଣୁ ମଞ୍ଚେଶ୍ବରରେ ଥିବା କର୍ମଜୀବୀ ମହିଳା ହଷ୍ଟେଲ୍‌ରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ବିଏମ୍‌ସି ହସ୍‌ପିଟାଲ୍‌ ପ୍ରସ୍ତୁତ କଲା। ଏଠାରେ ଭେଟ୍‌ସ୍‌ ଫର ଆନିମଲ୍ସ ସଂସ୍ଥା କୁକୁର ଧରିବା, ଅସ୍ତ୍ରୋପଚାର, ଟିକାକରଣ ଓ ତା’ପରେ କୁକୁରଙ୍କୁ ନିର୍ଦ୍ଦିଷ୍ଟ ଜାଗାରେ ଛାଡ଼ିବା ପାଇଁ କୁକୁର ପିଛା ୧,୬୫୦ ଟଙ୍କା ନେଉଛି। ଉକ୍ତ ହସ୍ପିଟାଲରେ ମାସକୁ ୨୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଏହା ଏବେ ଖରା ଯୋଗୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି। ଫଳରେ ଗୋଟିଏ ବର୍ଷ ଭିତରେ ସହରର ସମସ୍ତ କୁକୁରଙ୍କୁ ବନ୍ଧ୍ୟାକରଣ କରାଯିବାକୁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା, ତାହା ସଂପୂର୍ଣ୍ଣ ଲକ୍ଷ୍ୟଚ୍ୟୁତ ହୋଇଛି।

ସେହିଭଳି ସହରକୁ ବୁଲାଗୋରୁ ମୁକ୍ତ କରିବା ପାଇଁ ବିଏମ୍‌ସି ମିସନ୍‌ ମୋଡ୍‌ରେ କାମ ଆରମ୍ଭ କରିଥିଲା। ୫ଟି ଗୋ'ଶାଳାର ପରିସର ବୃଦ୍ଧି କରିବା ସହ ସହରରୁ ବୁଲାଗୋରୁଙ୍କୁ ଉଠାଇବା ପାଇଁ ୩ଟି ସଂସ୍ଥା- ବିଶାଲ୍‌, ଆର୍‌କେ ଏଜେନ୍‌ସି ଓ ଜେକେ ଏଜେନ୍‌ସିକୁ ନିୟୋଜିତ କରିଛି। ଭୁବନେଶ୍ବରର ଜାମୁକୋଳି, ଜଟଣୀ, ଖୋର୍ଦ୍ଧା, ପୁରୀ ଓ ବ୍ରହ୍ମଗିରି ଗୋ’ଶାଳାରେ ୨,୦୦୦ରୁ ଊର୍ଦ୍ଧ୍ବ ବୁଲାଗୋରୁ ରହିଛନ୍ତି। ଜାମୁକୋଳି ଗୋ’ଶାଳାର କଳେବର ବୃଦ୍ଧି ପାଇଁ ଅତିରିକ୍ତ ୨୦ ଏକର ଜାଗାର ଉନ୍ନତୀକରଣ ଚାଲିଛି। ସହରରୁ ଗୋରୁ ଉଠାଇ ନେବାକୁ ଠିକା ନେଇଥିବା ସଂସ୍ଥାମାନଙ୍କୁ ଗୋରୁ ପିଛା ୨,୨୮୬ ଟଙ୍କା ଓ ଗୋ'ଶାଳାରେ ରକ୍ଷଣାବେକ୍ଷଣ କରୁଥିବା ସଂସ୍ଥାକୁ ଗୋରୁ ପିଛା ଦିନକୁ ୨୦୦ ଟଙ୍କା ଦିଆଯାଉଛି। ଏହି ଗୋରୁଙ୍କୁ ଉଠାଇ ନେଇ ଗୋ'ଶାଳାରେ ରଖିବା ପାଇଁ ମାସକୁ ବିଏମ୍‌ସି ପାଣ୍ଠିରୁ ୧ କୋଟି ୮୦ ଲକ୍ଷଟଙ୍କା ଖର୍ଚ୍ଚ ହେଉଛି। ଏଣେ ବୁଲାଗୋରୁ ରାସ୍ତାରୁ ଉଠାଇବା ପାଇଁ ବିଏମ୍‌ସିରେ ମଧ୍ୟ ୨୦ ଜଣ କର୍ମଚାରୀ କାମ କରୁଛନ୍ତି। ଦୁଇଟି ଗାଡ଼ି ମଧ୍ୟ ଏହି କାମରେ ନିୟୋଜିତ ହୋଇଛି। କିନ୍ତୁ ଗତ ୩ମାସରୁ ଊର୍ଦ୍ଧ୍ବ ହେବ ସଂସ୍ଥାମାନଙ୍କୁ ସେମାନଙ୍କର ପ୍ରାପ୍ୟ ଦିଆଯାଉ ନଥିବାରୁ ସେମାନେ ସହରରୁ ଆଉ ବୁଲାଗୋରୁ ଉଠାଉନାହାନ୍ତି। ‘ହାତରୁ ଖାଇ କେତେ ଆଉ ଘୋଡ଼ା ଆଗରେ ଡେଇଁବୁ!’ ବୋଲି ଏଜେନ୍‌ସିର ଜଣେ କର୍ମଚାରୀ କହିଥିବା ବେଳେ ହାତରୁ କୁଣ୍ଡା ତୋରାଣି ଦେଇ ଗାଈଗୋରୁଙ୍କୁ ସେମାନେ ବାଧ୍ୟ ହୋଇ ରଖିଛନ୍ତି ବୋଲି କେତେକ ଗୋ'ଶାଳା ପରିଚାଳକ କହିଛନ୍ତି। ଏଣେ ବିଏମ୍‌ସି ଚିରାଚରିତ ଶୈଳୀରେ କହୁଛି, ‘ପ୍ରାପ୍ୟ ପ୍ରଦାନ ପାଇଁ ଫାଇଲ୍‌ ପ୍ରୋସେସିଂ ହେଉଛି।’