ମୁକୁଳା ଡ୍ରେନ୍‌ରେ ଖସିପଡ଼ିଲା ବାଛୁରୀ

ମରୁମରୁ ବଞ୍ଚିଗଲା

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ବିଏମ୍‌ସି ୪୫ ନମ୍ବର ୱାର୍ଡ ଚିନ୍ତାମଣିଶ୍ବର ମନ୍ଦିର ପାଚେରି କଡ଼ରେ ଥିବା ମୁକୁଳା ଡ୍ରେନ୍‌ରେ ଖସିପଡ଼ିଥିବା ଏକ ବାଛୁରୀ ମରୁମରୁ ବଞ୍ଚିଯାଇଛି। ବଞ୍ଚିବାକୁ ସଂଘର୍ଷ କରୁଥିବା ବାଛୁରୀଟି ସୌଭାଗ୍ୟକୁ ଠିକଣା ସମୟରେ ଅଗ୍ନିଶମ ବା‌ହିନୀ ଦ୍ବାରା ଉଦ୍ଧାର ହେବାରୁ ବଞ୍ଚିଯାଇଥିଲା। ତେବେ ବାରମ୍ବାର ଅଭିଯୋଗ ପରେ ବି ଏହି ମୁକୁଳା ଡ୍ରେନ୍‌ ଉପରେ ସ୍ଲାବ୍‌ ପଡ଼ୁନଥିବାରୁ ଏଭଳି ଅଘଟଣ ଘଟୁଥିବା ନେଇ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ ଏହି ଡ୍ରେନ୍‌ ଦୀର୍ଘ ଦିନ ହେବ ମୁକୁଳା ପଡ଼ିଛି। ସ୍ଥାନୀୟ ଲୋକମାନେ ରାତିରେ ଏଠାରେ ଅଳିଆ ଆବର୍ଜନା ସମେତ ଘରର ବଳକା ଖାଦ୍ୟ ପକାଇ ଦେଉଛନ୍ତି। ଏହି ଖାଦ୍ୟ ଖାଇବାକୁ ଯାଇ ବୁଲା ଗୋରୁଗାଈ ମୁକୁଳା ଡ୍ରେନ୍‌ରେ ଗଳିପଡ଼ୁଛନ୍ତି। ଗତକାଲି ରାତିରେ ବାଛୁରୀଟି ଡ୍ରେନ୍‌ ଭିତରକୁ ଗଳିପଡ଼ିଥିଲା। ଜଣେ ସ୍ଥାନୀୟ ବାସିନ୍ଦା ବାଛୁରୀକୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ସେତିକିବେଳେ ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା ଦେବପ୍ରସାଦ ପରିଜା ଘରକୁ ଫେରୁଥିଲେ। ସେ ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀକୁ ଯୋଗଯୋଗ କରିଥିଲେ ଓ ସେମାନେ ଆସି ବାଛୁରୀକୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର