ଭୁବନେଶ୍ବର: ହକି ବିଶ୍ବକପ୍‌ ସମୟରେ ଯେଉଁ ସଂସ୍ଥାଙ୍କ ଜରିଆରେ ବିଏମ୍‌ସି ବୁଲାଗୋରୁଙ୍କୁ ଉଠାଉଥିଲା ସେମାନଙ୍କୁ ବିଦା କରିଦେଇଛି। ଏବେ ବିଏମ୍‌ସିର ଦୁଇଟି ଗାଡ଼ି ଓ ୨୦ କର୍ମଚାରୀ ବୁଲାଗୋରୁଙ୍କୁ ଉଠାଉଛନ୍ତି। କିନ୍ତୁ ସେମାନେ ଅଭ୍ୟସ୍ତ ନଥିବାରୁ ଦିନକୁ ମାତ୍ର ଦୁଇଟି କିମ୍ବା ତିନିଟି ଉଠାଉଛନ୍ତି। ତାହା ପୁଣି ଅଭିଯୋଗ ହେଲେ। ଏଣୁ ସହରସାରା ବୁଲାଗୋରୁ ଉତ୍ପାତ କଲେଣି। ଅଭିଯୋଗ ହେଲେ ସହରର ବୁଲାଗୋରୁଙ୍କୁ ଉପକଣ୍ଠ ଆଡ଼କୁ ଘଉଡ଼ାଇ ଦିଆଯାଉଛି। ଫଳରେ ସହରର ବୁଲାଗୋରୁ ଏବେ ଉପକଣ୍ଠରେ ଆଡ଼ା ଜମାଇଛନ୍ତି। ବୁଲାଗୋରୁଙ୍କ ଉତ୍ପାତ ଯୋଗୁ ସବୁଠାରୁ ଦୁର୍ଗମ ହୋଇଛି ସୁନ୍ଦରପଦା-ଜଟଣୀ ରାସ୍ତା। ହଜାର ହଜାର ଗୋରୁ ରାସ୍ତା ଉପରେ ଶୋଇ ରହୁଛନ୍ତି। ସନ୍ଧ୍ୟା ହେଲେ ସମସ୍ୟା ବଢ଼ୁଛି। କଳା ଗାଈ ବା ଷଣ୍ଢ ରାତିରେ ଦେଖାଯାଉ ନଥିବାରୁ ଦୁର୍ଘଟଣା ଘଟୁଛି। ହର୍ଣ୍ଣ ମାରିଲେ ବି ଉଠୁ ନାହାନ୍ତି। ସାଧାରଣ ଲୋକଙ୍କ କଥା ନ କହିବା ଭଲ, ଅନେକ ସମୟରେ ଆମ୍ବୁଲାନ୍ସ ମଧ୍ୟ ଫସି ରହୁଛି।

Advertisment

ବିଏମ୍‌ସି ଗୋଶାଳାରେ ରଖିଥିବା ପ୍ରାୟ ୨ ହଜାର ଗୋରୁଙ୍କ ପାଇଁ ଦିନକୁ ୨ଶହ ହିସାବରେ ମାସିକ ୧.୨କୋଟି ଖର୍ଚ୍ଚ କରୁଥିଲେ ମଧ୍ୟ ବୁଲାଗୋରୁଙ୍କ ଉତ୍ପାତ କମୁନାହିଁ। ଗତ ବର୍ଷ ଡିସେମ୍ବର ୩୦ ସୁଦ୍ଧା ସହରକୁ ବୁଲା ଗୋରୁ ମୁକ୍ତ କରିବା ପାଇଁ ବିଏମ୍‌ସି ଘୋଷଣା କରିଥିଲା। ପ୍ରଥମେ ବୁଲାଷଣ୍ଢମାନଙ୍କୁ ଉଠାଇ ନେବା ପରେ ଗୃହପାଳିତ ପଶୁ (ଗୋରୁଗାଈ) ବାହାରେ ବୁଲିଲେ ବିଏମ୍‌ସି ଉଠାଇ ନେବ ଓ ମୋଟା ଅଙ୍କର ଜରିମାନା ଦେଇ ମାଲିକ ଗାଈଙ୍କୁ ମୁକାଳିବ ‌ବୋଲି  ବିଏମ୍‌ସି ଘୋଷଣା କଲା। ଏତେ ସଂଖ୍ୟାରେ ବୁଲାଗୋରୁ ଥିଲେ ଯେ, ବିଏମ୍‌ସି ୩ଟି ସଂସ୍ଥା- ବିଶାଲ୍, ଆର୍‌କେ ଏଜେନ୍‌ସି ଓ ଜେକେ ଏଜେନ୍‌ସିକୁ ନିୟୋଜିତ କରିଥିଲା। ଏହି ସଂସ୍ଥାମାନେ ଦିନକୁ ୨୦ ଗାଈଗୋରୁ ଉଠାଇ ନେଉଥିଲେ। ଏମାନଙ୍କୁ ଉଠାଇ ନେଇ ଖୋର୍ଦ୍ଧା, ପୁରୀ ଓ ବ୍ରହ୍ମଗିରି ଓ ଭୁବନେଶ୍ବର ଜାମୁକୋଳିରେ ଥିବା ଗୋ’ଶାଳାରେ ରଖିଥିଲା। ଗାଈ ପିଛା ବିଏମ୍‌ସି ଗୋଶାଳା ପରିଚାଳନା କରୁଥିବା ଏଜେନ୍‌ସିଙ୍କୁ ଦେଉଥିଲା। ଏଭଳି ମାସକୁ ଗାଈ ପିଛା ବିଏମ୍‌ସି ୧.୨୦କୋଟି ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ଏଣେ ରାସ୍ତାରେ ବୁଲା ଗୋରୁଙ୍କ ଉତ୍ପାତ କମୁନାହିଁ। 

୨ ହଜାର ଗାଈ ଉଠାଇ ନେବା ପରେ ବିଏମ୍‌ସି ଗୋରୁ ଉଠାଉଥିବା ତିନି ଏଜେନ୍‌ସିଙ୍କୁ ବିଦା କରି ଦେଇଥିଲା। ଏବେ ନିଜସ୍ବ ଦୁଇଟି ଗାଡ଼ି ଓ ୩୦ ନିଜ କର୍ମଚାରୀଙ୍କ ଜରିଆରେ ଗୋରୁ ଉଠାଉଛି। କିନ୍ତୁ କର୍ମଚାରୀମାନେ ଅଭ୍ୟସ୍ତ ନଥିବାରୁ ଗୋରୁ ଧରି ପାରୁ ନାହାନ୍ତି। ଫଳରେ ଦିନକୁ ମାତ୍ର ଦୁଇଟି କିମ୍ବା ତିନିଟି ଉଠାଇ ଗୋଶାଳା ପଠାଉଛନ୍ତି। ଫଳରେ ବୁଲା ଗୋରୁଙ୍କ ସଂଖ୍ୟା କମୁନାହିଁ। ରାସ୍ତା ଉପରେ ଶୋଇ ରହିବା ଫଳରେ ମାରଣା ବଳଦ, ଷଣ୍ଢ ଗାଡ଼ି ଚାଳକ ଓ ପଥଚାରୀଙ୍କୁ ଆକ୍ରମଣ କରୁଛନ୍ତି। ଗତ ସପ୍ତାହରେ ସୁନ୍ଦରପଦା-ଜଟଣୀ ରାସ୍ତାରେ ଦୁର୍ଘଟଣା ଘଟି ଜଟଣୀ ଅଞ୍ଚଳର ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। କେବଳ ଏହି ଗୋଟିଏ ଉଦାହରଣ ନୁହେଁ, ଏଭଳି ଏକାଧିକ ଦୁର୍ଘଟଣା ଘଟିବା ନଜିର ରହିଛି। କେବଳ ଏହି ରାସ୍ତା ନୁହେଁ, ବରଂ ନନ୍ଦନକାନନ-ତ୍ରିଶୁଳିଆ ରାସ୍ତା ଅବସ୍ଥା ମଧ୍ୟ ତଦ୍‌ରୂପ ରହିଛି। ଶହଶହ ବୁଲା ଗାଈ ରସ୍ତାରେ ଶୋଇ ରହୁଛନ୍ତି। ସହରରୁ ଗୋରୁ ନ ଉଠାଇ ଏମାନଙ୍କୁ ଉପକଣ୍ଠ ଆଡ଼କ ଘଉଡ଼ାଇ ଦିଆଯାଉଥିବାରୁ ଏଭଳି ସମସ୍ୟା ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କିନ୍ତୁ ଏହାକୁ ବିଏମ୍‌ସି ଖଣ୍ଡନ କରିବା ସହ ବୁଲାଗୋରୁ ଉଠାଇ ଗୋଶାଳାରେ ଛାଡ଼ିବା ନିୟମିତ ଚାଲିଥିବା କହିଛି। ତେବେ ଏଜେନ୍‌ସିଙ୍କ ତୁଳନାରେ ବିଏମ୍‌ସି କର୍ମଚାରୀ ଉଠାଉଥିବା ଗୋରୁଙ୍କ ସଂଖ୍ୟା କମ୍‌ ରହିଛି। 

ସୂଚନାଯୋଗ୍ୟ, ଏଜେନ୍‌ସିମାନଙ୍କୁ ବିଏମ୍‌ସି ଗୋରୁ ପିଛା ୨,୨୮୬ ଟଙ୍କା ଦେଉଥିଲା। ୨ ହଜାର ଗୋରୁ ଉଠାଇବା ପାଇଁ ବିଏମ୍‌ସି ପ୍ରାୟ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଏବେ ରକ୍ଷଣାବେକ୍ଷଣ ପାଇଁ ମାସକୁ ୧.୨୦ କୋଟି ଖର୍ଚ୍ଚ ହେଉଛି। ଏଣେ ଜାମୁକୋଳି ଗୋଶଳାର କଳେବର ବୃଦ୍ଧି ପାଇଁ ଅତିରିକ୍ତ ୨୦ ଏକର ଜାଗା ଯୋଗାଇ ଦିଆଯାଇଥିଲେ ମଧ୍ୟ କାମ ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଏହି ଅତିରିକ୍ତ ଜାଗାରେ ବୁଲା ଗୋରୁ ରହିବା ଆରମ୍ଭ କଲେ ସହର ତଥା ଉପକଣ୍ଠ ରାସ୍ତାରୁ ଗୋରୁଙ୍କ ସଂଖ୍ୟା କମିବ ବୋଲି ମତ ପ୍ରକାଶ ପାଇଛି।