ରାଜଧାନୀରେ ବଢ଼ୁଛି ଗୋରୁ ଚୋରି, ଖୋର୍ଧା ଓ ବେଗୁନିଆ ବେପାରୀ ସକ୍ରିୟ

ରାତିରେ ଟାଟା ଏସ୍‌ରେ ଉଠାଇ ନେଉଛନ୍ତି, ଅଭିଯୋଗ ନ ଥିବାରୁ ପୁଲିସ ଗ୍ରହଣ କରି ପାରୁନାହିଁ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଗତ କିଛି ଦିନ ହେବ ରାଜଧାନୀ ଓ ଏହାର ଉପକଣ୍ଠରେ ଗୋରୁ ଚୋରି ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରୁ ଗୋରୁ ଚୋରି ହେ‌ଉଥିବା ଖବର ମିଳୁଛି। ପରିସ୍ଥିତି ଏପରି ହେଲାଣି କି ଗୁହାଳରୁ ମଧ୍ୟ ଗାଈ, ବଳଦ ନେଇ ଯାଉଛନ୍ତି। ଖୋର୍ଧା ଓ ବେଗୁନିଆ ଅଞ୍ଚଳର ଗୋରୁ ବେପାରୀ ଏବେ ରାଜଧାନୀରେ ସକ୍ରିୟ ହୋଇ ଉଠିଛନ୍ତି। ରାତିରେ ଟାଟା ଏସ୍‌ ଲଗାଇ ରାଜଧାନୀର ବିଭିନ୍ନ ସ୍ଥାନରେ ବୁଲା ବୁଲି କରୁଥିବା ଗୋରୁଙ୍କୁ ଉଠାଇ ନେଉଛନ୍ତି। ବଡ଼ କଥା ହେଉଛି ଏ ନେଇ କେହି ଥାନାରେ ଅଭିଯୋଗ କରୁ ନ ଥିବାରୁ ପୁଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରୁନାହିଁ। ଫଳରେ ଏଭଳି ରୢାକେଟ ଏବେ ରାଜଧାନୀରେ କାୟା ବିସ୍ତାର କରିବା ଆରମ୍ଭ କଲାଣି। ଯାହା କି ଆଗାମୀ ଦିନରେ ଭିନ୍ନ ପରିସ୍ଥିତି ସୃଷ୍ଟି କରିବ। ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ତଳେ ଜଟଣୀ ଅଞ୍ଚଳରେ ଗୋରୁମାନଙ୍କୁ ଏକ ଟାଟା ଏସ୍‌ ଗାଡ଼ିରେ କେତେକ ଦୁର୍ବୃତ୍ତ ଗୋରୁମାନଙ୍କୁ ଉଠାଇ ନେଉଥିବାର ଭିଡିଓ ସିସିଟିଭିରେ ଭାଇରାଲ ହୋଇଥିଲା। ଗୋଟିଏ କିମ୍ବା ଦୁଇଟି ଗୋରୁ ନୁହଁନ୍ତି ବରଂ ଟାଟା ଏସ୍‌ ଭର୍ତି କରି ଗୋରୁଗୁଡିକୁ ନେଇ ଯାଇଥିଲେ ଦୁର୍ବୃତ୍ତ। ଏ ନେଇ କେହି ଥାନାରେ ଅଭିଯୋଗ ନ କରିବାରୁ ପୁଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। କେବଳ ଜଟଣୀ କାହିଁକି ପୁରୁଣା ଭୁବନେଶ୍ବର ଅଞ୍ଚଳରୁ ମଧ୍ୟ ବିଭିନ୍ନ ସମୟରେ ଷଣ୍ଢ ଓ ବାଛୁରିମାନଙ୍କୁ ଚୋରି କରାଯାଉଛି। ସେହିପରି ବାଲିଅନ୍ତା, ବାଲିପାଟଣା, ନଖରା, ଧଉଳି ଅଞ୍ଚଳରୁ ପ୍ରତ୍ୟେକ ଦିନ ଗୋରୁ ଚୋରି ହେଉଛନ୍ତି।

ଏ ସମ୍ପର୍କରେ ଓୟୁଏଟିର ଜଣେ ବିଶେଷଜ୍ଞ କହୁଛନ୍ତି, ରାଜଧାନୀର କଳେବର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଉପକଣ୍ଠରେ ଥିବା ଗୋଚର ଜମି, ଶ୍ମଶାନରେ ଲୋକେ ଘର ନିର୍ମାଣ କରି ସାରିଲେଣି। ଗୋରୁ ଚରିବା ପାଇଁ ଜମି ନାହିଁ। ଫଳରେ ଗୋରୁ ରଖୁଥିବା ବ୍ୟକ୍ତିମାନେ ଗୋରୁମାନଙ୍କୁ ଚରିବା ପାଇଁ ଫିଟାଇ ଦେଉଛନ୍ତି। ଗୋରୁମାନେ ରାସ୍ତାରେ ବୁଲୁଛନ୍ତି। ଅନେକ ସମୟରେ ସେମାନେ ରାସ୍ତା ଓ ଗଳିକନ୍ଦିରେ ଶୋଇ ରହୁଛନ୍ତି। ଏହାର ଫାଇଦା ନେଉଛନ୍ତି ଗୋରୁ ଚୋର। ଦିନରେ ଚୋରମାନେ ଆସି ସେମାନଙ୍କୁ କିଛି ଖାଇବା ଦେବା ବାହାନାରେ ନିଶା ବଟିକା ମିଶାଇ ଖାଦ୍ୟ ଦେଉଛନ୍ତି। ବିଳମ୍ବିତ ରାତିରେ ସେହି ଅଞ୍ଚଳରେ ବୁଲାବୁଲି କରି ଶୋଇ ପଡ଼ିଥିବା ଗୋରୁମାନଙ୍କୁ ଗାଡ଼ିରେ ଉଠାଇ ନେଉଛନ୍ତି। ପରେ ସେମାନଙ୍କୁ ଖୋର୍ଧା ଓ ବେଗୁନିଆ ଅଞ୍ଚଳରେ ଥିବା ଗୋରୁ ବେପାରୀମାନଙ୍କୁ ବିକ୍ରି କରାଯାଉଛି। ସେଠାରୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଛି। ଏଭଳି ଗୋରୁ ଚୋରି ବଢ଼ି ଯିବା ପରେ ଏବେ ରାଜଧାନୀ ଉପକଣ୍ଠରେ ଥିବା ଗୋପାଳକମାନଙ୍କ ଚିନ୍ତା ବଢ଼ିଯାଇଛି।

ତେବେ ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ପୂର୍ବରୁ ନନ୍ଦନକାନନ ଓ ଜଟଣୀ ଥାନାରେ ଏଭଳି ଗୋରୁ ଚୋରି ସମ୍ପର୍କରେ ଅଭିଯୋଗ ହେବା ପରେ ପୁଲିସ କେତେକ ଗୋରୁ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏବେ ହେଉଥିବା ଗୋରୁ ଚୋରି ସମ୍ପର୍କରେ କୌଣସି ଥାନାରେ ଅଭିଯୋଗ ହୋଇନାହିଁ। ଅଭିଯୋଗ ହେଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର