ଜଟଣୀରେ ପୁଣି ଗାଈ ଚୋର ସକ୍ରିୟ, ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଆରମ୍ଭ

ଜଟଣୀ: ଜଟଣୀର କୁଦିଆରୀ ମହତାବନଗରରେ ପୁରୀ ଗୋରୁ ଚୋର ମାତିଛନ୍ତି। ଗତ ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡ଼ିରେ ଗୁହାଳରୁ ଗାଈ ଚୋରି କରୁଥିବା ବେଳେ ଘରମାଲିକଙ୍କ ଡାକଶୁଣି ଚୋରମାନେ ଫେରାର ହୋଇଯାଇଛନ୍ତି । ତେବେ ଗାଈ ଚୋରିର ସମ୍ପୂର୍ଣ୍ଣ ଭିଡିଓଟି ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ଏନେଇ ତଦନ୍ତ ଆରମ୍ଭ ହୋଇଛି । ଜଟଣୀ ସହରରେ ପୁଣି ଗାଈ ଚୋରମାନେ ସକ୍ରିୟ ହୋଇଛନ୍ତି। ଗତ କିଛିଦିନ ହେବ ଲଗାତାର ଭାବେ ଜଟଣୀ ଓ ଆଖପାଖ ଅଞ୍ଚଳରେ ଚୋରି ହେଉଥିଲା। ତେବେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଫଳରେ ଏହା କିଛିଦିନ ପାଇଁ ଥମିଯାଇଥିଲା । ମାତ୍ର ଲଗାତାରଭାବେ ଲୋକମାନଙ୍କ ଗୁହାଳରୁ ଗାଈ ଚୋରି ବନ୍ଦ ହୋଇ ନାହିଁ । ତେଣୁ ଲୋକମାନେ ସଂଯମତା ଓ ସାବଧାନତା ମଧ୍ୟରେ ସେମାନଙ୍କ ଗୃହପାଳିତ ପଶୁମାନଙ୍କୁ ସୁରକ୍ଷା ମଧ୍ୟରେ ରଖୁଥିଲେ । ମାତ୍ର ଲକ୍‌ଡାଉନ୍‌ ଆରମ୍ଭ ହେବାପରେ ଲୋକମାନେ ନିଜ ସୁରକ୍ଷା ପାଇଁ ଘରେ ରହୁଛନ୍ତି।

ଏହାର ସୁଯୋଗରେ ଗତକାଲି ବିଳମ୍ବିତ ରାତିରେ କୁଦିଆରୀ ମହତାବନଗର ଅଞ୍ଚଳ ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ ଥିବା ଏକ ଘରେ ଦୁଇଟି ଗାଈ ଭର୍ତ୍ତି ଏକ ବୋଲେରୋ ଗାଡ଼ି ଆସିଲାଗିଥିଲା। ଏଥିରୁ ୨ଜଣ ବ୍ୟକ୍ତି ବାହାରି ନିକଟରେ ଥିବା ଗୁହାଳ ମଧ୍ୟକୁ ଯାଇ ଗାଈ ଖୋଲୁଥିବା ବେଳେ ପରିବାର ଲୋକେ ଚୋରଚୋର ବୋଲି ଡାକ ପକାଇଥିଲେ । ଲୋକଙ୍କ ପାଟି ଶୁଣି ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ। ଏହି ଘଟଣାଟି ଘର ସମ୍ମୁଖରେ ଥିବା ଜଣେ ବ୍ୟକ୍ତିଙ୍କ ସିସିଟିଭିରେ ରେକର୍ଡ ହୋଇଥିଲା । ଏହିପରି ଘଟଣା ଗତବର୍ଷ କୁଦିଆରୀ ନିକଟ ପେଟ୍ରୋଲ ପମ୍ପ‌୍ଠାରେ ଘଟିଥିବା ବେଳେ ପମ୍ପରେ ଥିବା ସିସିଟିଭି ଫୁଟେଜ୍‌ରୁ ସମସ୍ତ ଘଟଣା ଜଣାପଡ଼ିଥିଲା । ଏହି କ୍ରମରେ ଜଟଣୀ ବ୍ଲକ୍‌ ବେଣାପଞ୍ଜରୀ, ତରାବୋଇ, ପଦନପୁର, ବଡ଼ତୋଟା ପ୍ରଭୃତି ଗ୍ରାମରେ ଗାଈ, ବଳଦ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିବା ବେଳେ ଛେଳି ଓ ମେଣ୍ଢା ପ୍ରଭୃତି ଚୋରି ହେଉଥିବା ଘଟଣା ଏବେ ମଧ୍ୟ ଥାନାରେ ତଦନ୍ତରେ ରହିଛି ।

ସମ୍ବନ୍ଧିତ ଖବର