ନୂଆବର୍ଷ କାଉଣ୍ଟଡାଉନ୍‌: ଉଛୁଳୁଛି ପିକ୍‌ନିକ୍‌ ସ୍ପଟ୍‌

ଭୁବନେଶ୍ୱର: ନୂଆ ବର୍ଷକୁ ଆଉ କିଛି ଘଣ୍ଟାର ଅପେକ୍ଷା। ସାରା ସହର ଏବେ ସେଲିବ୍ରେସନ୍‌ ମୁଡ୍‌ରେ। ସବୁ ବର୍ଗର ଲୋକ ନିଜ ନିଜ ତରିକାରେ ନୂଆ ବର୍ଷ ପାଳନ କରିବାକୁ ପ୍ରସ୍ତୁତ। ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ଜିରୋ ଆଓ୍ଵାର୍‌କୁ ଅପେକ୍ଷା କରିବାକୁ ଆଉ ଧୈର୍ଯ୍ୟ ନାହିଁ। ଆଗୁଆ ବଣଭୋଜି ଆୟୋଜନ କରି ଏଇ ବର୍ଷର ଶେଷ ବନ୍ଧୁମିଳନ ଜୋର୍‌ସୋରରେ ଚାଲିଲାଣି। ରାଜଧାନୀବାସୀଙ୍କୁ ବଣଭୋଜି ପାଇଁ ବେଶି ଦୂର ଯିବା ଆବଶ୍ୟକ ପଡ଼୍‍ୁନି। ସହର ଭିତରେ ଓ ଉପକଣ୍ଠରେ କିଛି ପିକ୍‌ନିକ୍‌ ସ୍ପଟ୍‌ ଲୋକଙ୍କୁ ଏହି ସୁଯୋଗ ଦେଇଛି। କିଏ ପରିବାର ସହ ତ କିଏ ସାଙ୍ଗସାଥୀଙ୍କ ସହ ବଣଭୋଜିର ବେଶ୍‌ ମଜା ନେଉଛନ୍ତି। ସହରର ଭିତରେ ପ୍ରମୁଖ ପିକ୍‌ନିକ୍‌ ସ୍ପଟ୍‌ ରହିଛି ଜୟଦେବ ବାଟିକା ଓ ଶିଖରଚଣ୍ଡୀ। ପୁଣି ଉପକଣ୍ଠରେ ଅଛି ଧଉଳି, ଡେରାସ, ଝୁମୁକା, ଚଉଷଠି ଯୋଗିନୀ ଓ ନନ୍ଦନକାନନ ବଟାନିକାଲ୍‌ ଗାର୍ଡେନ୍‌। ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳ ପାଇଁ ଏଗୁଡ଼ିକ ସବୁଠାରୁ ଲୋକପ୍ରିୟ ପିକ୍‌ନିକ୍‌ ସ୍ପଟ୍‌ ହୋଇଥିବାରୁ ପିକ୍‌ନିକ୍‌ ଋତୁ ଚାରି ମାସ ଏଠାରେ ପ୍ରାୟତଃ ଭିଡ଼ ରହେ। କିନ୍ତୁ ନୂଆବର୍ଷ କାଉଣ୍ଟଡାଉନ୍‌ ଆରମ୍ଭ ହୋଇ ଯାଇଥିବାରୁ ଏବେ ଭିଡ଼ ଅସମ୍ଭାଳ ହୋଇଗଲାଣି। ଖାସ୍‌ ପୁରୁଣା ବର୍ଷକୁ ବିଦାୟ ଦେବା ପାଇଁ ସ୍ୱତନ୍ତ୍ର ଭାବେ ଆୟୋଜନ କରାଯାଉଛି ବଣଭୋଜି।

ଆଜି ସବୁ ପିକ୍‌ନିକ୍‌ ସ୍ପଟ୍‌ଗୁଡ଼ିକରେ ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଥିଲା। ସକାଳ ୮ଟାରୁ ଭୋଜି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ଏଥିପାଇଁ ଆଗୁଆ ପିଣ୍ଡି ବୁକିଂ କରିଦେଇଥିଲେ ଆୟୋଜକମାନେ। ଯେଉଁଠି ପିଣ୍ଡି ବ୍ୟବସ୍ଥା ନାହିଁ, ସେଠି ଭୋର୍‌ରୁ ଲୋକ ଆସି ସରଞ୍ଜାମ ରଖି ସ୍ଥାନକୁ ଜଗି ରହୁଥିଲେ। ପିକ୍‌ନିକ୍‌ ସ୍ପଟ୍‌ଗୁଡ଼ିକର ନିକଟସ୍ଥ ଅଞ୍ଚଳରେ ରୋଷେଇ ସରଞ୍ଜାମ, ଟେଣ୍ଟ୍‌ ସାମଗ୍ରୀ ବି ଅଭାବ ପଡ଼ିଥିଲା। ଯେହେତୁ ସନ୍ଧ୍ୟା ପରେ ସବୁଠି ବଣଭୋଜି ମନା, ସେଥିପାଇଁ ସନ୍ଧ୍ୟା ସୁଦ୍ଧା ସମସ୍ତେ ବଣଭୋଜି ଶେଷ କରିଥିଲେ। କେବଳ ଆଜି ନୁହେଁ, ଆସନ୍ତାକାଲି ଓ ରବିବାର ପାଇଁ ମଧ୍ୟ ସବୁଠି ପିଣ୍ଡି ବୁକିଂ ଶେଷ ହୋଇଛି। ଏବେ ଯିଏ ଆସୁଛନ୍ତି, ସେମାନଙ୍କୁ ନିରାଶ ହେବାକୁ ପଡ଼ୁଛି। ୨୦୧୮ର ପ୍ରଥମ ଦିନ ସୋମବାର ପଡ଼ୁଥିବାରୁ ସେହିଦିନ ଭୋଜି ଜମିବ ନାହିଁ ବୋଲି କୁହାଯାଉଛି। କିନ୍ତୁ ପିକ୍‌ନିକ୍‌ ସ୍ପଟ୍‌ଗୁଡ଼ିକ ଉପରେ ତାହାର ବିଶେଷ ପ୍ରଭାବ ନାହିଁ। ସେହିଦିନ ମଧ୍ୟ ବଣଭୋଜି ପାଇଁ ପିଣ୍ଡି ବୁକିଂ ସରିଛି।

ଜୟଦେବ ବାଟିକାରେ ଏବେ ୨୬ଟି ପିଣ୍ଡି, ୧୫୦ଟି ସ୍ପଟ୍‌ ଅଛି ଯେଉଁଠି ଲୋକ ଭୋଜି କରିପାରିବେ। ଏହା ସହିତ କ୍ୟାଫେଟେରିଆର ବ୍ୟବସ୍ଥା ରହିଛି, ଯେଉଁଠି ଆମିଷ ଓ ନିରାମିଷ ଉଭୟ ପ୍ରକାରର ଖାଦ୍ୟ ମିଳୁଛି। ଏବେ ଦିନକୁ ପ୍ରାୟ ସାତ ହଜାର ଲୋକ ଏଠାରେ ଭୋଜି କରୁଛନ୍ତି ବୋଲି କହିଛନ୍ତି ଏହାର ଫିଲ୍ଡ ଆସଷ୍ଟାଣ୍ଟ୍‌ ପ୍ରମୋଦ କୁମାର ସାହୁ। ସେହିପରି ବଟାନିକାଲ୍‌ ଗାର୍ଡେନ୍‌ରେ ବି ନାହିଁ ନ ଥିବା ଭିଡ଼। ଏଠାରେ ୯ଟି ରୋଷେଇଶାଳ ରହିଛି। ଏହା ସହ ୧୦୦ ପିଣ୍ଡି ବି ଅଛି। ନୂଆବର୍ଷରେ ୫୦୦୦ ହଜାରରୁ ଅଧିକ ଲୋକ ଏଠାରେ ଭୋଜି ପାଇଁ ବୁକିଂ କରିଛନ୍ତି।

ଧଉଳିରେ ମଧ୍ୟ ନୂଆବର୍ଷ ଭିଡ଼କୁ ଲକ୍ଷ୍ୟ ରଖି ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଲୋକଙ୍କ ସୁବିଧା ପାଇଁ ୬ଟି ଶୌଚାଳୟ ବ୍ୟବସ୍ଥା ହୋଇଛି। ଏଠାରେ ମାତ୍ର ୭ଟି ପିଣ୍ଡି ରହିଥିଲେ ବି ବିକ୍ଷିପ୍ତ ଭାବେ ବିଭିନ୍ନ ସ୍ଥାନରେ ଲୋକମାନେ ଭୋଜି ଆୟୋଜନ କରୁଛନ୍ତି। ପର୍ଯ୍ୟଟକଙ୍କ ପାଇଁ ଏଠାରେ ଥିବା ବୁଦ୍ଧପାର୍କକୁ ସଫା କରାଯାଇ ଅନେକ ପ୍ରକାରର ଫୁଲ ଗଛ ଲଗାଯାଇଛି। ଶିଖରଚଣ୍ଡୀରେ ମଧ୍ୟ ଭୋଜି ପାଇଁ ମନ୍ଦିର କମିଟି ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି। ଏଠାରେ ୩୨ଟି ପିଣ୍ଡିର ବ୍ୟବସ୍ଥା ରହିଛି। ରୋଷେଇ ପାଇଁ ପାଣିର ସୁବିଧା ରହିଛି। ପିଣ୍ଡି ବାଦ୍‌ ଖୋଲା ଜାଗାରେ ମଧ୍ୟ ଭୋଜି ଆୟୋଜନ କରାଯାଇପାରୁଛି। ସେହିପରି ସହରଠାରୁ ସାମାନ୍ୟ ଦୂର ଡେରାସ ଓ ଝୁମୁକାରେ ଚନ୍ଦକା ଜଙ୍ଗଲର ପ୍ରାକୃତିକ ଶୋଭାରାଜି ଭିତରେ ବି ବଣଭୋଜିର ନିଆରା ଅନୁଭବ ସାଉଁଟୁଛନ୍ତି ସହରବାସୀ।

ସମ୍ବନ୍ଧିତ ଖବର