ଚନ୍ଦ୍ରଶେଖରପୁର: ଗାଈ ହେବ କନ୍ୟା। ଆଉ ଷଣ୍ଢ ହେବ ବର। ଶତାଧିକ ବାଛୁରି, ଗାଈ, ଷଣ୍ଢଙ୍କୁ ନେଇ ବରଯାତ୍ରୀଙ୍କ ଲମ୍ବା ପ୍ରୋସେସନ୍ ଚାଲିବ। ନୀଳାଦ୍ରିବିହାରସ୍ଥିତି ଈଶାନେଶ୍ବର ମନ୍ଦିରରୁ ବର ସହ ବରଯାତ୍ରୀଙ୍କ ଏକ ଶୋଭାଯାତ୍ରା ବାହାରିବ। ବର ସାଜିଥିବା ଷଣ୍ଢକୁ ଏକ ସୁସଜ୍ଜିତ ଟାଟା ଏସି ଗାଡ଼ିରେ ନିଆଯିବ। ଡିଜେ ତାଳେତାଳେ ବରଯାତ୍ରୀମାନେ ଆଗକୁ ବଢ଼ିବେ। ବରଯାତ୍ରୀ ପାଖାପାଖି ୫ କିମି ପ୍ରୋସେସନ୍ରେ ଯାଇ କଳାରାହାଙ୍ଗସ୍ଥିତ ଜଳେଶ୍ବର ମନ୍ଦିରରେ ପହଞ୍ଚିବା ପରେ ସେଠାରେ ଭବ୍ୟ ସ୍ବାଗତ କରାଯିବ। ପାଖାପାଖି ୬୦୦ ବରଯାତ୍ରୀଙ୍କ ପାଇଁ ସେଠାରେ ସାତ୍ବିକ ଖାଦ୍ୟର ବ୍ୟବସ୍ଥା କରାଯାଇଛି। ବର ପହଞ୍ଚିବା ସହ ବୈଦିକ ନୀତି ଅନୁଯାୟୀ ସେଠାରେ ବିବାହ ଉତ୍ସବ ସମ୍ପନ୍ନ ହେବ। ବରକନ୍ୟାଙ୍କ ହାତଗଣ୍ଠି ପଡ଼ିବ। ବିବାହ ପରେ ବରକନ୍ୟା ପଟିଆ ଗୋ’ଶାଳାକୁ ରହିବା ପାଇଁ ଯିବେ ବୋଲି ସ୍ଥିର ହୋଇଛି।
ବାହାଘର ପୂର୍ବରୁ ଏକ ଶୁଭ ଲଗ୍ନରେ ଉଭୟଙ୍କ ନିର୍ବନ୍ଧ କରାଯିବ। ଜୁଲାଇ ୧୪ରେ ପାଣି ଗ୍ରହଣ ଓ ମଙ୍ଗନ କାର୍ଯ୍ୟ ସମ୍ପନ୍ନ ହେବ। ପରଦିନ ଅର୍ଥାତ୍ ୧୫ ତାରିଖରେ ଉଭୟଙ୍କ ବାହାଘର କରାଯିବ। ବ୍ରାହ୍ମଣଙ୍କ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେବ ସାରା ପରିବେଶ। ପୁରୀ ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରିବାକୁ ପ୍ରସ୍ତୁତି ଚାଲିଛି। ବାହାଘର ପୂର୍ବରୁ ଉଭୟ ବର ଓ କନ୍ୟାଙ୍କୁ ନେଇ ଏକ ପ୍ରି-ୱେଡିଂ ଭିଡିଓ ମଧ୍ୟ ସୁଟିଂ ସରିଛି। ଏବେ ନିମନ୍ତ୍ରଣପତ୍ର ଛପା ଚାଲିଛି। କେଉଁମାନଙ୍କୁ ବରଯାତ୍ରୀ ଭାବେ ନିମନ୍ତ୍ରଣ କରାଯିବ ତାହାର ଲମ୍ବା ତାଲିକା ପ୍ରସ୍ତୁତ କରାଯାଉଛି। ଏଥିରେ ଏହି ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିବିଶେଷ ରହିଛନ୍ତି। ଗୋ-ସେବକମାନଙ୍କୁ ତାଲିକାରେ ପ୍ରାଥମିକତା ଦିଆଯାଇଛି। ସେମାନଙ୍କ ନିକଟକୁ ଖୁବ୍ଶୀଘ୍ର ନିୟନ୍ତ୍ରଣପତ୍ର ପଠାଯିବ ବୋଲି ଜଣାପଡ଼ିଛି। ବରଯାତ୍ରୀ ଯିବା ସମୟରେ ଡିଜେ ବାଜିବାକୁ ଥିବାରୁ ଗାଈ, ଷଣ୍ଢ, ବାଛୁରିମାନେ ଏଣେତେଣେ ଦୌଡ଼ି ପଳାଇ ଯାଇଥା’ନ୍ତି। ତାହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ବର ସହିତ ମାର୍କୁଣ୍ଡିରେ ଏକ ବାଛୁରି ମଧ୍ୟ ଯିବ। ଏଭଳି ଏକ ନିଆରା ବାହାଘର ପ୍ରସ୍ତୁତିକୁ ନେଇ ରାଜଧାନୀରେ ଜୋରଦାର ଚର୍ଚ୍ଚା ଚାଲିଛି।
କଳିଙ୍ଗ ଗୋ’ସେବାର ସଭ୍ୟ କ୍ରିଷ୍ଣା ନାୟକ କହିବା ଅନୁଯାୟୀ ଶୈଳଶ୍ରୀବିହାରର ଗୋବିନ୍ଦ ସାହୁ ବର ପିତା ହେବେ। ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ଠିକାଦାର କନ୍ୟା ପିତା ଭାବେ କନ୍ୟାଦାନ କରିବେ। ଆଜିର ସମାଜରେ ଗୋ’ ମାତାଙ୍କ ପ୍ରତି ଅନ୍ୟାୟ ବଢ଼ିଚାଲିଛି। ଗାଈଗୋରୁଙ୍କୁ ଲୋକେ ଆଉ ନିଜ ଘରେ ରଖୁ ନାହାନ୍ତି। ରାସ୍ତାରେ ଭୋକ ଉପାସରେ ମରିବା ପାଇଁ ଛାଡ଼ି ଦେଉଛନ୍ତି। ଗୋ ବଂଶ ବଢ଼ାଇବା ଓ ସେମାନଙ୍କ ପ୍ରତି ଭଲପାଇବା ନେଇ ସାଧାରଣ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବାକୁ ଏଭଳି ଆଡ଼ମ୍ବର ବିବାହ କରାଯିବାକୁ ନିଷ୍ପତ୍ତି ହୋଇଛି। ଗାଈ, ଗୋରୁ, ଷଣ୍ଢ, ବାଛୁରିଙ୍କୁ କାଞ୍ଜିଆହୁଦାରେ ନରଖି ଅଭୟାରଣ୍ୟ ଭଳି ସେମାନଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଗୋ’ଅଭୟାରଣ୍ୟ ପ୍ରସ୍ତୁତ କଲେ ସେମାନଙ୍କ ବଂଶ ବଢ଼ିବା ସହ ଉଚିତ ସମ୍ମାନ ମିଳିପାରିବ।