ବାଲିପାଟଣା ଅଞ୍ଚଳରେ ବ୍ୟାପୁଛି ଲମ୍ପି, ହଜାରେ ଗୋରୁ ଆକ୍ରାନ୍ତ

ବାଲିପାଟଣା: ସମ୍ପ୍ରତି ବାଲିପାଟଣାର ବିଭିନ୍ନ ପଞ୍ଚାୟତରେ ଗାଈଗୋରୁଙ୍କ ଚର୍ମ ବିଣ୍ଡି ବା ଲମ୍ପି ରୋଗ ବ୍ୟାପିବାରେ ଲାଗିଛି। ମାତ୍ର କିଛି ଦିନ ଭିତରେ ପ୍ରାୟ ୧ ହଜାରରୁ ଅଧିକ ଗୋରୁ ଏହି ରୋଗରେ ଆକ୍ରାନ୍ତ ହେଲେଣି। ଏହା ଏକ ଡିଆଁ ରୋଗ ହୋଇଥିବାରୁ ଏହା ଖୁବ୍‌ ଶୀଘ୍ର ବ୍ୟାପୁଥିବା ଦେଖିବାକୁ ମିଳୁଛି। ଏହି ରୋଗ ପାଇଁ କୌଣସି ଔଷଧ ନଥିବାରୁ ଦେଶୀ ଚିକିତ୍ସା କରିବାକୁ ପରାମର୍ଶ ଦିଆଯାଉଛି। ନିମ୍ବ ପତ୍ରକୁ ପାଣିରେ ଫୁଟାଇ ଗୋରୁଙ୍କୁ ଗାଧୋଇବା ସହ ଆକ୍ରାନ୍ତ ଗୋରୁଙ୍କୁ ଅଲଗା ରଖିବାକୁ କୁହାଯାଉଛି।

ଏହି ରୋଗରେ ଆକ୍ରାନ୍ତ ଗୋରୁଙ୍କ ଶରୀରରେ ପୁଳାପୁଳା ବିଣ୍ଡି ବାହାରିଯାଉଛି। ପରେ ସେହି ବିଣ୍ଡି ସବୁ ଘା’ରେ ପରିଣତ ହେଉଛି। ତେଣୁ ସେମାନେ ଅସୁସ୍ଥ ହୋଇ ଖାଦ୍ୟପେୟ ଛାଡ଼ିଦେଉଛନ୍ତି। ଏମିତିକି ବିଭିନ୍ନ ସ୍ଥାନର ଗଣ୍ଠି ଫୁଲି ଯାଉଛି ଏବଂ ଦେହରେ ଜ୍ବର ଲାଗିରହୁଛି। ବାଲିପାଟଣା ଗୋଷ୍ଠୀ ପଶୁ ଚିକିତ୍ସାଧିକାରୀ ଦୁର୍ମନ ଚରଣ ବେହେରାଙ୍କ କହିବା କଥା ଏହି ରୋଗ ପାଇଁ କୌଣସି ଔଷଧ ନ ଥିବାରୁ ଛେଳିକୁ ଦିଆଯାଉଥିବା ଗୋଟ୍ ପକ୍ସ ଆକ୍ରାନ୍ତ ଗାଈଗୋରୁଙ୍କୁ ଦିଆଯାଉଛି। ଭ୍ୟାକ୍‌ସିନ ପାଇଁ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟକୁ ଅବଗତ କରାଯାଇଛି।

ସମ୍ବନ୍ଧିତ ଖବର