ରାସ୍ତାରେ ଗା‌ଈଗୋରୁ କାଞ୍ଜିଆହୁଦା ଖାଲି

ଭୁବନେଶ୍ବର: ରାଜଧାନୀ ରାସ୍ତାରୁ ହଟିବେ ବୁଲା ଗାଈଗୋରୁ ଓ ଷଣ୍ଢ। ସେମାନଙ୍କୁ କାଞ୍ଜିଆ ହୁଦାରେ ରଖାଯିବ। ଗୋଈଗୋରୁଙ୍କ କାନରେ ଟ୍ୟାଗ୍‌ ଲାଗିବ। ଏହି ଟ୍ୟାଗରେ ମାଲିକଙ୍କ ମୋବାଇଲ ନମ୍ବରଠାରୁ ଆରମ୍ଭ କରି ସମସ୍ତ ତଥ୍ୟ ରହିବ। ରାସ୍ତାରେ ବୁଲୁଥିବା ଗାଈ ଓ ମଇଁଷିଙ୍କୁ ଉଠାଇ ନିଆଯାଇ ୟୁନିଟ-୩ସ୍ଥିତ କାଞ୍ଜିଆ ହୁଦାରେ ରଖାଯିବ। ଏଥିପାଇଁ ଗାଈଗୋରୁ ମାଲିକଙ୍କୁ ଜରିମାନା ଦେବାକୁ ପଡ଼ିବ। ଗାଈଗୋରୁ ଯେତେ ଦିନ କାଞ୍ଜିଆ ହୁଦାରେ ରହି‌ବେ ଦିନକୁ ସେମାନଙ୍କଠାରୁ ହଜାରେ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯିବ। ଯଦି ୩ ଦିନ ଭିତରେ କେହି ନଆସିବେ ‌ତେବେ ଗାଈ, ମଇଁଷିଙ୍କୁ ନିଲାମ କରିବା ଦିଗରେ ପଦକ୍ଷେପ ନେବାକୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। କିଛି ମାସ ତଳେ ବିଏମ୍‌ସି ନେଇଥିବା ନିଷ୍ପତ୍ତି କେତେ କାର୍ଯ୍ୟକାରୀ ହୋଇଛି ତାହା ଏବେ ରାଜଧାନୀ ରାସ୍ତାରେ ଦେଖିବାକୁ ମିଳୁଛି। ପୁରୁଣା ଭୁବନେଶ୍ବରରୁ ଆରମ୍ଭ କରି ନନ୍ଦନକାନନ ହେଉ ଅଥବା ରସୁଲଗଡ଼ରୁ ଖଣ୍ଡଗିରି; ସବୁଠି ଏବେ ବୁଲା ଗାଈଗୋରୁଙ୍କ କବ୍‌ଜାରେ। ଗୋଟିଏ ପଟେ ବୁଲା ଗୋଈଗୋରୁଙ୍କ ଦ୍ବାରା ଲୋକେ ନାହିଁ ନ ଥିବା ଯନ୍ତ୍ରଣାରେ ପେଶି ହେଉଥିବା ବେଳେ ଅନ୍ୟପଟେ ରାସ୍ତା ଉପରେ ଷଣ୍ଢଙ୍କ ଉତ୍ପାତ ବଢ଼ୁଛି। ଲୋକେ ଆହତ ହେଉଛନ୍ତି। ତଥାପି ଷଣ୍ଢ ହଟାଇବା ଦିଗରେ କାଣିଚାଏ ବି ପଦକ୍ଷେପ ନେଉନି ବିଏମ୍‌ସି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସବୁଠାରୁ ଚିନ୍ତାର ବିଷୟ ପାଲଟିଛି ଲିଙ୍ଗରାଜ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ଓ ଗଳିକନ୍ଦିରେ ଷଣ୍ଢଙ୍କ ଉତ୍ପାତ। ତା’ ସାଙ୍ଗକୁ ପ୍ରତି ରାସ୍ତା ଗାଈଗୋରୁଙ୍କ ଚରାଭୂଇଁ ପାଲଟିଛି। ସନ୍ଧ୍ୟା ସମୟରେ ରାସ୍ତା ଉପରେ ଗାଈଗୋରୁ ଶୋଉଥିବା ଦେଖିବାକୁ ମିଳୁଛି। ଏପଟେ ଜୟଦେବ ବିହାରରୁ ମ୍ୟାଗନେଟ୍‌ ଛକ ପର୍ଯ୍ୟନ୍ତ ରାସ୍ତାରେ ଷଣ୍ଢଙ୍କ ଉତ୍ପାତ ଦିନକୁ ଦିନ ବଢ଼ୁଛି। ଦିନ ସାରା ରାସ୍ତା ଉପରେ ଷଣ୍ଢ ଚଳପ୍ରଚଳ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ଷଣ୍ଢ ଲଢ଼େଇ ଯୋଗୁଁ ଗତ ୬ ମାସରେ ଏହି ରାସ୍ତାରେ ୮ ଥର ଦୁର୍ଘଟଣା ହୋଇଛି। ୫ରୁ ଅଧିକ ଗାଡ଼ି ଚାଳକ ଆହତ ହୋଇଛନ୍ତି।

ଅନ୍ୟପକ୍ଷରେ ବିଏମ୍‌ସି ପକ୍ଷରୁ ବୁଲା ଗାଈଗୋରୁଙ୍କ ଧରିବା କାର୍ଯ୍ୟ ଏବେ ଏକପ୍ରକାର ବନ୍ଦ ହୋଇଯାଇଛି। ୩ ଦିନ ହେଲା ୟୁନିଟ୍‌-୩ରେ ଥିବା କାଞ୍ଜିଆ ହୁଦାକୁ ଗୋଟିଏ ବି ଗାଈ ଆସି ନାହାନ୍ତି। ଖାଲିପଡ଼ିଛି କାଞ୍ଜିଆ ହୁଦା। ‌ଯେତେବେଳେ କି କାଞ୍ଜିଆ ହୁଦାଠାରୁ ମାତ୍ର ୫୦୦ ମିଟର ଦୂରରେ ଗାଈଗୋରୁ ବୁଲୁଥିବା ଆଜି ଦେଖିବାକୁ ମିଳିଥିଲା। ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ସବୁ କିଛି ଠିକ୍‌ ଚାଲିଛି। କୌଣସି ଅସୁବିଧା ନାହିଁ। ଗାଈଗୋରୁ ଧରାଯାଇ କାଞ୍ଜିଆ ହୁଦାରେ ରଖାଯାଉଛି।

ସବୁ ଗାଈଙ୍କ କାନରେ ଲାଗିପାରିନି ଟ୍ୟାଗ୍‌
ଗାଈଗୋରୁଙ୍କ କାନରେ ଟ୍ୟାଗ୍‌ ଲଗାଇବାକୁ ବିଏମ୍‌ସି ନିଷ୍ପତ୍ତି ନେଇଥିଲା। ମାଗଣାରେ ଟ୍ୟାଗ୍‌ ଲଗାଯିବ। ପଶୁ ଚିକିତ୍ସାଳୟର କର୍ମଚାରୀ ଘର ଘର ବୁଲି ଟ୍ୟାଗ୍‌ ଲଗାଇବାକୁ ସ୍ଥିର ହୋଇଥିଲା। ହେଲେ ଆଜି ରାସ୍ତାରେ ବୁଲୁଥିବା ଗାଈଙ୍କ କାନରେ ଟ୍ୟାଗ୍‌ ଦେଖିବାକୁ ମିଳି ନଥିଲା। କିଭଳି ଓ କେଉଁ ଗାଈଙ୍କ କାନରେ ଏହି ଟ୍ୟାଗ୍‌ ଲାଗିଛି ତାହା ଜଣାପଡ଼ୁ ନାହିଁ। ବିଏମ୍‌ସିର ଆଉ ଏକ ଯୋଜନା ଫେଲ୍‌ ମାରିଥିବା ଆଲୋଚନା ହେଉଛି।

ଜାମୁକୋଳିକୁ ଯାଉନାହାନ୍ତି ଷଣ୍ଢ
ହକି ବିଶ୍ବକପ୍‌ ସମୟରେ ରାଜଧାନୀରେ ଯେପରି ଷଣ୍ଢଙ୍କ ଦୌରାତ୍ମ୍ୟ କମିବ ସେଥିପାଇଁ ଜାମୁକୋଳିରେ ନିର୍ମାଣ ହୋଇଥିଲା ଗୋ ମଙ୍ଗଳ କେନ୍ଦ୍ର। ରାଜଧାନୀ ରାସ୍ତାରେ ବୁଲୁଥିବା ଷଣ୍ଢଙ୍କୁ ବିଏମ୍‌ସିର ସ୍ବତନ୍ତ୍ର ସ୍କ୍ବାଡ୍ ଉଠାଇ ନେଇ କେନ୍ଦ୍ରରେ ଛାଡ଼ିବାକୁ ସ୍ଥିର ହୋଇଥିଲା। ଏଠାରେ ୩୦୦ ଷଣ୍ଢ ରହିବାର ବ୍ୟବସ୍ଥା ହୋଇଛି। ସେଠାରେ ଖାଇବା, ପିଇବାକୁ ଦିଆଯିବ। ଆଜକୁ ଠିକ୍‌ ଗୋଟିଏ ମାସ ତଳେ ଉଦ୍‌ଘାଟିତ ହୋଇଥିବା ଏହି କେନ୍ଦ୍ରକୁ ଯାଇପାରୁ ନାହାନ୍ତି ଷଣ୍ଢ। ସହରର ରାସ୍ତା ଉପରେ ଏବେ ବି ଷଣ୍ଢ ବୁଲୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର