ଭୁବନେଶ୍ୱର: ଭୁବନେଶ୍ୱର ସହର ବାହାରକୁ ଉଠିଯିବ ପୂର୍ବାଞ୍ଚଳ କେନ୍ଦ୍ରୀୟ କୁକ୍କୁଟ ବିକାଶ ସଙ୍ଗଠନ(ସିପିଡିଓ)। କଳିଙ୍ଗ ଷ୍ଟାଡିୟମ ସମ୍ପ୍ରସାରଣରେ ପ୍ରତିବନ୍ଧକ ସାଜିଥିବା ଏହି ସଂସ୍ଥାକୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ସରକାରୀ ମୋହର ବାଜିଛି। ସିପିଡିଓର କେନ୍ଦ୍ରୀୟ ପ୍ରତିନିଧିଙ୍କ ସହ ଆଲୋଚନା କରାଯିବା ପରେ ଏହାକୁ ଭୁବନେଶ୍ୱର ଉପକଣ୍ଠ ତଥା କଟକ ଜିଲ୍ଲା ବାରଙ୍ଗ ବ୍ଲକର ନରାଜ-ତଳଗଡ଼ ନିକଟକୁ ସ୍ଥାନାନ୍ତର କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଏଥିପାଇଁ ସେଠାରେ ପ୍ରାୟ ୪୦ ଏକର ଜମି ଚିହ୍ନଟ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଯେଉଁ ସ୍ଥାନରେ ଜମି ଚିହ୍ନଟ ହୋଇଛି ସେଠାକୁ ପାନୀୟ ଜଳ ସୁବିଧା ରହିଛି, କୁକ୍କୁଟ ଗବେଷଣା ପାଇଁ ଏଠାକର ପରିବେଶ ଉପଯୋଗୀ ହେବ। ଏହା ନିକଟରେ ମହାନଦୀ ପ୍ରବାହିତ ହେଉଥିବାରୁ ଜଳବାୟୁ କୁକୁଡ଼ାଙ୍କ ବଂଶବୃଦ୍ଧିରେ ସହାୟକ ହେବ। ଏହି ସ୍ଥାନ ନିକଟରେ ବାରଙ୍ଗ ରେଲ୍େଓ୍ଵ ଷ୍ଟେସନ୍ ରହିଥିବାରୁ ବ୍ୟବସାୟ ଦୃଷ୍ଟିରୁ ମଧ୍ୟ ସହାୟକ ହୋଇପାରିବ। ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ରେ ହକି ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଥିବାରୁ ଏପରି ପଦକ୍ଷେପ ନିଆଯାଉଛି। ହେଲେ ହକି ପାଇଁ ଆଉ ମାତ୍ର ୪ ମାସ ସମୟ ଥିବାରୁ ଏତେ କମ୍ ସମୟ ମଧ୍ୟରେ କିଭଳି ସ୍ଥାନାନ୍ତର ହେବ ସେନେଇ ଆଶଙ୍କା ପ୍ରକାଶ ପାଇଛି। ସିପିଡିଓର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ ଏଠାରେ କୁକ୍କୁଟ ଗବେଷଣା ହେଉଛି। ନୂତନ ପ୍ରଜାତିର କୁକ୍କୁଟ ଆବିଷ୍କାର ହେବା ସହ ଚାଷୀଙ୍କୁ ବିଭିନ୍ନ ସମୟରେ ତାଲିମ ଦିଆଯାଉଛି। ଏବେ ସିପିଡିଓ ପରିସରରେ ଯାହା ରହିଛି ସେଠାରେ ମଧ୍ୟ ସେଭଳି କ୍ୟାମ୍ପସ କରାଯିବ। କୁକୁଡ଼ା ପ୍ରଜନନ ଘର ଓ ବସା, ବ୍ରୋଡର ହାଉସ, ଡବଲ ଷ୍ଟୋରେଡ୍ ଲେୟିଂ ହାଉସ, ବତକ ସେଡ୍ ଆଦି ରହିବ। ଏବେ ଏଠାରେ ୨୭ ହଜାର କୁକୁଡ଼ା ଓ ବତକ ରହିପାରିବା ଭଳି ସ୍ଥାନ ଥିବା ବେଳେ ଏହାକୁ ପରେ ସମ୍ପ୍ରସାରଣ କରାଯାଇପାରିବ। ଏହାବ୍ୟତୀତ ପ୍ରଶାସନିକ ବିଲ୍ଡିଂ, ହ୍ୟାଚିଂ ବିଲ୍ଡିଂ, ଲେବରାଟରି ବିଲ୍ଡିଂ, ଟ୍ରେନିଂ ସେଣ୍ଟର୍, ଖାଦ୍ୟ ଉତ୍ପାଦନ ୟୁନିଟ୍, ଫାର୍ମ ଅଫିସ୍, କୃଷକ ହଷ୍ଟେଲ, ଗ୍ୟାରେଜ ଆଦି ରହିବ। ଏବେ କର୍ମଚାରୀଙ୍କ ରହିବା ପାଇଁ କ୍ୟାମ୍ପସ ପରିସରରେ ୪୪ଟି କ୍ୱାର୍ଟର୍ସ ରହିଛି। ପ୍ରଥମ ଶ୍ରେଣୀ କର୍ମଚାରୀଙ୍କ ଲାଗି ୨୬ଟି କ୍ୱାର୍ଟର୍ସ ଥିବା ବେଳେ ୨ୟ ଶ୍ରେଣୀଙ୍କ ପାଇଁ ୧୨, ତୃତୀୟ ଶ୍ରେଣୀଙ୍କ ପାଇଁ ୩ଟି , ୫ମ ଶ୍ରେଣୀ କର୍ମଚାରୀଙ୍କ ପାଇଁ ୨ଟି କ୍ୱାର୍ଟର୍ସ ରହିଛି। କ୍ରୀଡ଼ା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ବିଶ୍ୱକପ୍ ହକି ସମୟରେ ସିପିଡିଓ କ୍ୟାମ୍ପସକୁ ପାର୍କିଂ ପାଇଁ ବ୍ୟବହାର କରାଯିବ। ସେଠାରେ ୧୦ ଏକର ଜଗା ମିଳିଲେ ଭିଆଇପିମାନଙ୍କ ଦୁଇ ହଜାରରୁ ଅଧିକ କାର୍ ପାର୍କିଂ କରାଯାଇପାରିବ। କଳିଙ୍ଗ ଷ୍ଟାଡିୟମ୍ର ପଶ୍ଚିମ ପାର୍ଶ୍ୱରେ ଏକ ଗେଟ୍ ନିର୍ମାଣ ହେବ। ଯାହାକି ସିପିଡିଓ କ୍ୟାମ୍ପସ ପାର୍ଶ୍ୱରେ ରହିବ। ବିଶ୍ୱକପ୍ ସମୟରେ ଏଠାରେ କୌଣସି ସ୍ଥାୟୀ ନିର୍ମାଣ ହେବ ନାହିଁ। ଏହି ଅଞ୍ଚଳକୁ ପରବର୍ତୀ ସମୟରେ ଫୁଟବଲ୍ ଷ୍ଟାଡିୟମ୍ରେ ପରିଣତ କରିବାକୁ ଯୋଜନା ହୋଇଛି।
ବାରଙ୍ଗକୁ ଉଠିଯିବ ସିପିଡିଓ
ନରାଜ-ତଳଗଡ଼ଠାରେ ୪୦ ଏକର ଜମି ଚିହ୍ନଟ, ଏବେ ପାର୍କିଂ ପାଇଁ ରହିବ, ପରେ ଫୁଟବଲ୍ ଷ୍ଟାଡିୟମ ହେବ
/sambad/media/post_attachments/wp-content/uploads/2018/07/keshab.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)