ଭୁବନେଶ୍ୱର : ଜାନୁଆରି ୨୬ରେ ସାଧାରଣତନ୍ତ୍ର ଦିବସକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପକ୍ଷରୁ ଦେଶବ୍ୟାପୀ ସମ୍ବିଧାନ ସୁରକ୍ଷା ଦିବସ ରୂପେ ପାଳନ କରାଯିବ ବୋଲି ସିପିଆଇର ଜାତୀୟ ସମ୍ପାଦକ ଡ. କେ. ନାରାୟଣା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦୁଇଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ଭଗବତୀ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାରାୟଣା କହିଲେ, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ସରକାର କେନ୍ଦ୍ରରେ ୩ ବର୍ଷ ଶାସନ କରିବା ପରେ କେନ୍ଦ୍ର ଓ ବିଜେପି ଶାସିତ ରାଜ୍ୟ ସରକାରଙ୍କ ଛତ୍ରଛାୟା ତଳେ ସାମ୍ପ୍ରଦାୟିକ ଫାସିବାଦୀ ଶକ୍ତିମାନେ ଦେଶରେ ଧର୍ମୀୟ ଅସହିଷ୍ଣୁତାର ଏକ ବାତାବରଣ ସୃଷ୍ଟି କରିଛନ୍ତି। ଦେଶରେ ଧର୍ମ ନିରପେକ୍ଷତା ପ୍ରତିଦିନ ବିପନ୍ନ ହେଉଛି। ସଂଖ୍ୟାଲଘୁ ଓ ଦଳିତଙ୍କୁ ହତ୍ୟା ଓ ଆକ୍ରମଣ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଗଣତନ୍ତ୍ର ପରିବର୍ତେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ବ୍ୟବସ୍ଥା ଢାଞ୍ଚାରେ ଶାସନ ଚଳାଉଛନ୍ତି। ଗୋଆ ଓ ମଣିପୁର ପରି ରାଜ୍ୟରେ ରାଜ୍ୟପାଳଙ୍କୁ ବ୍ୟବହାର କରି ଜନାଦେଶକୁ ମୂଲ୍ୟହୀନ କରିଦେଇଛନ୍ତି। ଏହା ବିରୋଧରେ ସିପିଆଇ ପକ୍ଷରୁ ସାଧାରଣତନ୍ତ୍ର ଦିବସକୁ ସମ୍ବିଧାନ ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତିି ହୋଇଛି ବୋଲି ସେ କହିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ସିପିଆଇର ରାଜ୍ୟ ସାମ୍ପାଦକ ଦିବାକର ନାୟକ, ସହ ସମ୍ପାଦକ ଆଶିଷ କାନୁନ୍ଗୋ ଯୋଗଦେଇ ଦଳର ରାଜ୍ୟ ସମ୍ମିଳନୀ ୨୦୧୮ ମାର୍ଚ୍ଚ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାର ବଡବିଲ୍ଠାରେ ଅନୁଷ୍ଠିତ ହେବ ବୋଲି କହିଥିଲେ। ଏହାପୂର୍ବରୁ ଫେବ୍ରୁଆରି ୨୮ ସୁଦ୍ଧା ସମସ୍ତ ଜିଲ୍ଲା ସମ୍ମିଳନୀ ଶେଷ କରିବା ଲାଗି ନିଷ୍ପତ୍ତି ହୋଇଛି।