ଏନ୍‌ପିଆର ଗଣନା ବନ୍ଦ କରିବାକୁ ସିପିଆଇଏମ୍‌ର ଦାବି

ଭୁବନେଶ୍ବର : ରାଜ୍ୟରେ ଏନ୍‌ପିଆର ପାଇଁ ଗଣନା ବନ୍ଦ କରିବାକୁ ସିପିଆଇଏମ୍‌ ରାଜ୍ୟ କମିଟି ପକ୍ଷରୁ ଦାବି ହୋଇଛି। ଦୁଇଦିନ ଧରି ଭୁବନେଶ୍ବରରେ ରାଜ୍ୟ କମିଟିର ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦେଶର ୧୩ଟି ରାଜ୍ୟ ଏନ୍‌ଆରସିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କେରଳ, ପଞ୍ଜାବ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ଭଳି ୪ଟି ରାଜ୍ୟ ବିଧାନସଭାରେ ସିଏଏ, ଏନ୍‌ଆରସି ଓ ଏନ୍‌ପିଆର ବିରୋଧରେ ପ୍ରସ୍ତାବ ଆଣିଛନ୍ତି। ତେଣୁ ରାଜ୍ୟରେ ମଧ୍ୟ ଅନୁରୂପ ସଂକଳ୍ପ ପାରିତ କରାଯାଉ। ଏହି ପରିପ୍ରେକ୍ଷୀରେ ଆସନ୍ତା ୧୩ତାରିଖରେ ଭୁବନେଶ୍ବରରେ ସିଏଏ, ଏନ୍‌ଆରସି ଓ ଏନ୍‌ପିଆର ବିରୋଧରେ ଏକ ରାଜ୍ୟସ୍ତରୀୟ ସମାବେଶ ଅନୁଷ୍ଠିତ ହେବ। ଏହି ସମାବେଶରେ ଦଳର ସର୍ବଭାରୀତୟ ସାଧାରଣ ସଂପାଦକ ସୀତାରାମ ୟେଚୁରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ସିପିଆଇଏମ୍‌ ରାଜ୍ୟ କମିଟି ସଂପାଦକ ଅଳି କିଶୋର ପଟ୍ଟନାୟକ କହିଛନ୍ତି, ଚଳିତମାସ ୧୫ତାରିଖରୁ ସିପିଆଇଏମ୍‌ କର୍ମୀମାନେ ରାଜ୍ୟବ୍ୟାପୀ ଘରକୁ ଘର ଯାଇ ଏନ୍‌ପିଆର ଉଲ୍ଲିଖିତ କୌଣସି ପ୍ରଶ୍ନର ଜବାବ ନ ଦେବାକୁ ପ୍ରଚାର କରିବେ। ବିଶିଷ୍ଟ ଆଦିବାସୀ ନେତା ଲକ୍ଷ୍ମଣ ନାଏକଙ୍କ ଫାଶୀ ଦିବସ ପର୍ଯ୍ୟନ୍ତ ଏହା ଚାଲୁ ରହିବ। ମାର୍ଚ ୨୩ରେ ଭଗତ ସିଂଙ୍କ ସହିଦ ଦିବସ ପାଳନ କରାଯାଇ ଏକ ଶୋଷଣହୀନ ଭାରତ ଗଠନ ପାଇଁ ଲୋକଙ୍କୁ ଅବଗତ କରାଯିବ। ରାଜ୍ୟର ବିଜେଡି ଦଳ ସିଏଏକୁ ସମର୍ଥନ କରିଥିବା ବେଳେ ପରବର୍ତୀ ସମୟରେ ଏନ୍‌ଆରସିକୁ ବିରୋଧ କରିଛନ୍ତି। ଏହାସହ ଏନ୍‌ପିଆରକୁ ରାଜ୍ୟରେ ସହଯୋଗ କରିବାକୁ ଘୋଷଣା ଲୋକଙ୍କୁ ବିଭ୍ରାନ୍ତି କରିବା ଉଦ୍ଦେଶ୍ୟରେ ହୋଇଛି। ଏନ୍‌ପିଆର ଭିତ୍ତିରେ ହିଁ ଏନ୍‌ଆରସି ପ୍ରସ୍ତୁତ ହେବ। ଏନ୍‌ଆରସି ପାଇଁ ସ୍ବତନ୍ତ୍ର ଗଣନା ହେବନାହିଁ। ତେଣୁ ଏନ୍‌ପିଆରକୁ ସମର୍ଥନ କରି ଏନ୍‌ଆରସିକୁ ବିରୋଧ କରିବା ଅର୍ଥହୀନ। ବିଜେପିର ମୂଳ ଉଦ୍ଦେଶ୍ୟ ହେଉଛି ଧର୍ମ ଭିତ୍ତିରେ ନାଗରିକତା ପରିଚୟ ପ୍ରଦାନ କରି ଦେଶର ଧର୍ମଭିତ୍ତିକ ଧ୍ରୁବୀକରଣ କରିବା। କେବଳ କେନ୍ଦ୍ରର ବିଜେପି ନେତା ଓ ସରକାରଙ୍କୁ ସନ୍ତୁଷ୍ଟ କରିବା ଲାଗି ରାଜ୍ୟରେ ଏନ୍‌ପିଆର ପାଇଁ ବିଜେଡି ସରକାର ଘୋଷଣା କରିବା ଦୁଭାର୍ଗ୍ୟଜନକ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର