ଭୁବନେଶ୍ୱର: ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ହସ୍ତଶିଳ୍ପ ଟେରାକୋଟା ‘ମୃତ୍ତିକା-୨୦୨୩’ ଉଦ୍ଘାଟିତ ହୋଇଯାଇଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଳା ପ୍ରତ୍ୟହ ପୂର୍ବାହ୍ନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ଚଳିତ ବର୍ଷ ପ୍ରଦର୍ଶନୀରେ ୧୬୨ଟି ଷ୍ଟଲ୍ରେ ୩୦୦ରୁ ଊର୍ଦ୍ଧ୍ୱ କାରିଗର ଯୋଗ ଦେଇଛନ୍ତି। ଉତ୍ସବରେ ଅତିଥି ଭାବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ, ଓଡ଼ିଆ ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ବିକାଶ ପରିଷଦର ଅଧ୍ୟକ୍ଷ ସୁଦର୍ଶନ ସାହୁ ପ୍ରମୁଖ ଯୋଗଦେଇଥିଲେ।
ଦୀପ କିଣିବାକୁ ଭିଡ଼
ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଏହାକୁ ଆଖିରେ ରଖି ଏଠାରେ ମାଟି ଦୀପର ପସରା ମେଲିଛି। ଭିନ୍ନ ଭିନ୍ନ ଡିଜାଇନ୍ ଓ ରଙ୍ଗିନ ଦୀପ ପ୍ରସ୍ତୁତ କରି ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି କାରିଗର। ଛୋଟ ଦୀପରୁ ଆରମ୍ଭ ଗଣେଶ ଦୀପ, ଲଣ୍ଠନ, ଫୁଲ ଦୀପ, କଳସ ଡିଜାଇନ୍ ଦୀପ ଆଦି ରହିଛି। ଡିଜାଇନ୍ ଅନୁୟାୟୀ ଦୀପଗୁଡ଼ିକ ମୂଲ୍ୟ ଏକ ଟଙ୍କାରୁ ଆରମ୍ଭ କରି ୩୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ପ୍ରମୁଖ ଆକର୍ଷଣର କେନ୍ଦ୍ରରେ ରହିଛି ଦେବଦେବୀଙ୍କ ମୂର୍ତ୍ତିରେ ଲାଗିଥିବା ଦୀପ। ବଲାଙ୍ଗୀରର ବ୍ୟବସାୟୀ କୁମାରୀ ରଣାଙ୍କ କହିବା ଅନୁଯାୟୀ ସଂଧ୍ୟା ସୁଦ୍ଧା ତାଙ୍କର ୩୦ଟି ଦେବଦେବୀଙ୍କ ଦୀପ ବିକ୍ରି ହୋଇଗଲାଣି।
ଆକର୍ଷଣ ସାଜିଛି ଚାଇନା ମାଟି ତିଆରି ଟେରାକୋଟା
ଖୋର୍ଦ୍ଧା ବ୍ୟବସାୟୀଙ୍କ ଚାଇନା ମାଟିରେ ତିଆରି ଅଟୋ, ଟେଲିଫୋନ, ଭଗବାନଙ୍କ ପ୍ରତିମୂର୍ତ୍ତି, ପ୍ଲେଟ୍ ମଧ୍ୟରେ ପ୍ରଭୁ ଜଗନ୍ନାଥ, ହସ୍ତୀ, ଆଦିବାସୀ ପୁରୁଷ ମହିଳାଙ୍କ ଡିଜାଇନର ଆଦିର ସୋ’ ପିସ୍ ଦେଖିବାକୁ ଭିଡ଼ ଜମିଛି। ଏସବୁର ମୂଲ୍ୟ ୧୦୦୦ଟଙ୍କାରୁ ଆରମ୍ଭ ହୋଇ ୧୬୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ଘରକରଣା ସାମଗ୍ରୀ ଯେପରିକି ମାଟି ହାଣ୍ଡି, କଡ଼େଇ, ଚୁଲି, କୁକର୍, ମାଟି ଦହି ହାଣ୍ଡି, ମାଟି କୁମ୍ପି, ମାଟି ପାଣି ବୋତଲ, ଦୀପଦାନୀ, ଦୀପ ଷ୍ଟାଣ୍ଡ, ୱାଲ୍ ହ୍ୟାଙ୍ଗିଙ୍ଗ୍, ଘଣ୍ଟି ଭଳି ଅନେକ ଘର ସଜା ସାମଗ୍ରୀ କିଣିବା ପାଇଁ ମଧ୍ୟ ଗ୍ରାହକ ଆସୁଛନ୍ତି ବୋଲି ବ୍ୟବସାୟୀ ଖୁସି ସାହୁ କହିଛନ୍ତି।
କାର୍ଟୁନ ଓ ଜୀବଜନ୍ତୁ ଟେରାକୋଟା ପାଖରେ କୁନି ପିଲାଙ୍କ ଗହଳି
ଢୋଲ ବଜାଉଥିବା କଳାକାର, ସାଧବ ବୋହୂ, କୁନି କୁନି ହାତୀ ଘୋଡ଼ା, ବେଙ୍ଗ, ବଗ ବଗୁଲି, ମୋଟୁ ପତଲୁ, ନଟିଆ ଓ ଗାଣ୍ଡୁ ପରି କାର୍ଟୁନ, ପଶୁପକ୍ଷୀ ଟୋରାକୋଟା କିଣିବାକୁ ଛୋଟ ଛୁଆ ଷ୍ଟଲ୍ ଆଗରେ ଭିଡ଼ ଜମାଇଛନ୍ତି। ଏହାର ଦାମ୍ ୫୦ ଟଙ୍କାରୁ ଆରମ୍ଭ ହୋଇ ୫୦୦ଟଙ୍କା ପର୍ଯ୍ୟନ୍ତ ରହିଛି।