ଭୁବନେଶ୍ୱର: ଡ୍ରାଇଭର ପ୍ରେମରେ ପାଗଳ ଜଣେ ମହିଳା ତାଙ୍କ ଇଂଜିନିୟର ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼୍ଯନ୍ତ୍ର ରଚନା କରି ସୁପାରି କିଲର୍ ନିୟୋଜିତ କରିବା ଘଟଣା ଆଜି ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ସୌଭାଗ୍ୟକୁ ପ୍ରାଣାନ୍ତକ ଆକ୍ରମଣରୁ ଇଂଜିନିୟର ସ୍ବାମୀ ବଞ୍ଚିଯାଇଥିବା ବେଳେ ପୁଲିସ ଷଡ଼୍ଯନ୍ତ୍ରରେ ସାମିଲ୍ ଡ୍ରାଇଭରକୁ ଗିରଫ କରିଛି। ଅଭିଯୁକ୍ତ ଡ୍ରାଇଭର ହେଲା ଅନୁଗୁଳ ହାଟତୋଟା ଅଞ୍ଚଳର ଅଶୋକ ସାହୁ(୩୦)। ତେବେ ଚଢ଼ଉ ପୂର୍ବରୁ ମାଷ୍ଟରମାଇଣ୍ଡ ଇଂଜିନିୟରଙ୍କ ସ୍ତ୍ରୀ ଓ ସୁପାରି କିଲର୍ ଫେରାର୍ ହୋଇଯାଇଛନ୍ତି।
ସୂଚନା ମୁତାବକ ଭୁବନେଶ୍ବର ରେଳଷ୍ଟେସନରେ ସିନିୟର୍ ଇଲେକ୍ଟ୍ରିକାଲ୍ ଇଂଜିନିୟର ଭାବେ କାର୍ଯ୍ୟରତ ବିନାୟକ ବେହେରା ୨୦୧୮ ମସିହାରେ ପୁରୀ ବଦଳି ହୋଇଯାଇଥିଲେ। କିନ୍ତୁ ମାଟ୍ରିକ୍ ପଢ଼ୁଥିବା ପୁଅ ପାଇଁ ବିନାୟକ ଏକାକୀ ପୁରୀ ଚାଲିଯାଇଥିବାବେଳେ ତାଙ୍କ ପରିବାର ଭୁବନେଶ୍ବରରେ ରହୁଥିଲେ। ତାଙ୍କ ଗାଡ଼ି ଚାଳକ ଅଶୋକ ପରିବାରର ଭଲମନ୍ଦ ବୁଝାସୁଝା କରୁଥିଲା। ଏହା ଭିତରେ ବିନାୟକଙ୍କ ସ୍ତ୍ରୀ ଟ୍ବିଙ୍କିଲ୍(ଛଦ୍ମନାମ) ଡ୍ରାଇଭର ଅଶୋକକୁ ଭଲ ପାଇବସିଥିଲେ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଦିନକୁ ଦିନ ନିବିଡ଼ ହୋଇଉଠିଥିଲା।
ହେଲେ ସେମାନଙ୍କ ଭିତରେ ଏହି ଅନୈତିକ ସମ୍ପର୍କ ବେଶି ଦିନ ଲୁଚି ରହିନଥିଲା। ବିନାୟକଙ୍କ କାନକୁ କଥା ଯାଇଥିଲା ଓ ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ବିନାୟକ ଅଶୋକକୁ ବାହାର କରି ଦେଇଥିଲେ। କିନ୍ତୁ ଡ୍ରାଇଭର ଅଶୋକ ପ୍ରେମରେ ପାଗଳ ହୋଇଯାଇଥିବା ଟ୍ବିଙ୍କିଲ୍ ଏହାକୁ ସହ୍ୟ କରିପାରିନଥିଲେ। ବିନାୟକଙ୍କୁ ରାସ୍ତାରୁ ହଟାଇବାକୁ ସେ ପ୍ରେମିକ ଅଶୋକ ସହ ମିଶି ଯୋଜନା କରିଥିଲେ। ବିନାୟକଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ସେମାନେ ଜିତୁ ନାମକ ଜଣେ ସୁପାରି କିଲର୍କୁ ଏକ ଲକ୍ଷ ଟଙ୍କା ଦେଇଥିଲେ।
ଯୋଜନା ଅନୁସାରେ ଜିତୁ ଓ ତା’ର ଜଣେ ସହଯୋଗୀ ଗତ ୧୬ ତାରିଖ ସନ୍ଧ୍ୟାରେ ବିନାୟକଙ୍କୁ ମଞ୍ଚେଶ୍ବର ଥାନା ଅନ୍ତର୍ଗତ ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିକଟରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏକ ଷ୍ଟିଲ୍ ପାଇପ୍ରେ ପିଟି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ। କିନ୍ତୁ ସୌଭାଗ୍ୟକୁ ଠିକ୍ ସେତିକିବେଳେ ସେହି ରାସ୍ତାରେ ଯାଉଥିବା କିଛି ଯୁବକ ସେଠାରେ ପହଞ୍ଚିଯିବାରୁ ଜିତୁ ଓ ସହଯୋଗୀ ସେଠାରୁ ଚମ୍ପଟ ମାରିଥିଲେ। ଯୁବକମାନେ ବିନାୟକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ।
ଏଣେ ବିନାୟକ ବର୍ତ୍ତିଯିବା ଖବର ପାଇବା ପରେ ଟ୍ବିଙ୍କିଲ୍ ଘର ଛାଡ଼ି ପଳାଇଥିଲେ ଓ ଡ୍ରାଇଭର ଅଶୋକ ସହ ସୁନ୍ଦରପଦାସ୍ଥିତ ଧଉଳି ଆପାର୍ଟମେଣ୍ଟରେ ଲୁଚି ରହିଥିଲେ। ଆକ୍ରମଣକୁ ନେଇ ମଞ୍ଚେଶ୍ବର ଥାନା ପୁଲିସ ତଦନ୍ତ କରୁଥିବା ବେଳେ ଟ୍ବିଙ୍କିଲ ଘର ଛାଡ଼ି ପଳାଇବା ଘଟଣା ଏହା ଏକ ହତ୍ୟା ଷଡ଼୍ଯନ୍ତ୍ର ବୋଲି ପ୍ରମାଣିତ କରିଥିଲା। ଟ୍ବିଙ୍କିଲ୍ ଓ ଅଶୋକ ଧଉଳି ଆପାର୍ଟମେଣ୍ଟରେ ଲୁଚିଥିବା ଖବର ପାଇ ପୁଲିସ ଗତକାଲି ସେଠାରେ ଚଢ଼ଉ କରିଥିଲା। କିନ୍ତୁ ସେଠାରୁ ପୁଲିସ ଅଶୋକକୁ ଧରିବାରେ ସଫଳ ହୋଇଥିବା ବେଳେ ଟ୍ବିଙ୍କିଲ୍ ଖସି ପଳାଇଥିଲେ। ଅଭିଯୁକ୍ତ ଅଶୋକ ପୁଲିସ ଆଗରେ ସବୁ ସତ ମାନିଯାଇଛି।