ଭୁବନେଶ୍ବର: ଜିଜିପି କଲୋନିରେ ସ୍ବେରେଜ୍ କାମ ପାଇଁ ୱାଟ୍କୋ ଠିକାଦାର ଭଲ ରାସ୍ତାକୁ ଖୋଳିଦେଲେ। ଦୟାୱେଷ୍ଟ କେନାଲଠାରୁ ଜିଜିପି ହାଇସ୍କୁଲ୍ ପଡ଼ିଆ ପର୍ଯ୍ୟନ୍ତ ମାତ୍ର ୫ ଶହ ମିଟର କାମ ସାରିବାକୁ ବର୍ଷ ବର୍ଷ ସମୟ ଲାଗିଗଲା। କାମ ସରିବା ପରେ ପୂର୍ବଭଳି ରାସ୍ତା ନିର୍ମାଣ ହେଲା ନାହିଁ। ପ୍ରାୟ ଦୁଇ ବର୍ଷ ଯନ୍ତ୍ରଣା ଭୋଗିବା ପରେ ଗତ ସପ୍ତାହରେ ୱାଟ୍କୋର ଠିକାଦାର ଉକ୍ତ ରାସ୍ତାର ର-ଠ କରି କଂକ୍ରିଟ୍ କାମ କରି ସାରିବାରେ ସକ୍ଷମ ହୋଇଛି। ହେଲେ ଏବେ ଆଉ ଏକ ସମସ୍ୟା ଗାଡ଼ିଚାଳକଙ୍କୁ ଚିନ୍ତାରେ ପକାଉଛି।
ଏହି କଂକ୍ରିଟ୍ ରାସ୍ତାକୁ ଅତ୍ୟନ୍ତ ବେପରୁଆ ଭାବେ ନିର୍ମାଣ କରାଯାଇଛି। ଆରମ୍ଭରୁ ଶେଷ ଯାଏ ତ୍ରୁଟିପୂର୍ଣ୍ଣ ରାସ୍ତା କରାଯାଇଛି। ସମ୍ପୂର୍ଣ୍ଣ ରାସ୍ତା ଅସମତୁଲ ଓ ଆବଡ଼ା ଖାବଡ଼ା। ଅଧିକାଂଶ ସ୍ଥାନରେ ମାଟି ଉପରେ କଂକ୍ରିଟ୍ ଯେମିତି ଛିଞ୍ଚା ହୋଇଛି। କେନାଲ୍ ବନ୍ଧ ରାସ୍ତାରେ କିଛି କଂକ୍ରିଟ୍ କରାଯାଇଥିବା ବେଳେ ଅନ୍ୟସ୍ଥାନ ଗୁଡ଼ିକୁ ଛାଡ଼ି ଦିଆଯାଇଛି। ପୋଲ ନିକଟରେ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ରାସ୍ତାକୁ ଅଧାରେ ଛାଡ଼ି ଦିଆଯାଇଛି। ରାସ୍ତା ମଝିରେ ଅଧା କଂକ୍ରିଟ୍ କରାଯାଇଥିବାରୁ ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ସେହିପରି କିଛି ସ୍ଥାନରେ ସ୍ବେରେଜ୍ ପାଇପ୍ ରାସ୍ତା ଉପରେ ଫୁଟେ ଉଠି ରହିଥିବା ବେଳେ କିଛି ସ୍ଥାନରେ ଫୁଟେ ତଳେ ରହିଛି। ତେଣୁ ସ୍ବାଭାବିକ ଭାବେ ଏଠି ମଧ୍ୟ ଅନେକ ଦୁର୍ଘଟଣା ଘଟୁଛି। ଯାହାକୁ ନେଇ ଘୋର ଅସନ୍ତାଷ ପ୍ରକାଶ ପାଇଛି।
ଅନ୍ୟପଟେ ରସୁଲଗଡ଼ରୁ ପାଣ୍ଡରାକୁ ଲମ୍ବିଥିବା ଏହି ଅଢ଼େଇ କିମି ରାସ୍ତା ପାଇଁ ପୂର୍ତ୍ତବିଭାଗ ପକ୍ଷରୁ ୨କୋଟି ୨୮ ଲକ୍ଷ ୪୦ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ହେଲେ ଟେଣ୍ଡର ପାଇଥିବା ଠିକାସଂସ୍ଥା ସ୍ବେରେଜ କାମ ବିଳମ୍ବ ହେବା ଯୋଗୁଁ ପୂର୍ତ୍ତ ବିଭାଗ ସହ ଚୁକ୍ତି କଲାନାହିଁ। ଫଳରେ ଟେଣ୍ଡର ବାତିଲ ହୋଇଗଲା। ଏହି ଘଟଣାକୁ ବର୍ଷେ ବିତି ଯାଇଥିଲେ ସୁଦ୍ଧା ଆଜି ଯାଏ ନୂଆ ଟେଣ୍ଡର ହୋଇ ପାରିନାହିଁ। ଫଳରେ ବ୍ୟସ୍ତବହୁଳ ଏହି ରାସ୍ତାରେ ଲୋକେ ନାନା ସମସ୍ୟା ଭୋଗୁଛନ୍ତି।