ଭୁବନେଶ୍ବର: ଗଛ ଆମର ମା’। ଆମର ସୁରକ୍ଷା ପାଇଁ ଅମୃତ ରୂପକ ଅମ୍ଳଜାନ ଯୋଗାଇଦିଏ। ସର୍ବଦା ଆମର ହିତ ଚିନ୍ତା କରୁଥିବା ଏହି ମା’କୁ କିଭଳି ସୁରକ୍ଷା ଦେବା, ତାହା ଆମର ପ୍ରଥମ କର୍ତ୍ତବ୍ୟ ହେଉ। ଏଥିପାଇଁ ପ୍ରଥମେ ଆତ୍ମସଚେତନ ହେବା ଜରୁରି। ଗତ ୨୦ ବର୍ଷ ତୁଳନାରେ ଭୁବନେଶ୍ବରରେ ବର୍ତ୍ତମାନ ଅଧିକ ତାପମାତ୍ରା ଅନୁଭୂତ ହେଉଛି। ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ ଆବଶ୍ୟକ। କେବଳ ବୃକ୍ଷରୋପଣରେ ଅଟକି ନଯାଇ, ଏହି ଗଛର ରକ୍ଷଣାବେକ୍ଷଣକୁ ଗୁରୁତ୍ବ ଦିଆଯାଉ। ଯୁବପିଢ଼ି ଏଥିପାଇଁ ଆଗେଇ ଆସନ୍ତୁ ଏବଂ ବରିଷ୍ଠ ନାଗରିକମାନେ ସେମାନଙ୍କୁ ପ୍ରକୃତି ସୁରକ୍ଷାର ମାର୍ଗ ଦେଖାନ୍ତୁ। ମିଳିତ ଭାବେ ସୁରକ୍ଷିତ ପୃଥିବୀ ଗଠନ ସମ୍ଭବ। ଆଜି ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କପିଳପ୍ରସାଦ ସୁନ୍ଦରପଦାସ୍ଥିତ ସତ୍ୟନାରାୟଣ ଯୁବ ପରିଷଦ କାର୍ଯ୍ୟାଳୟ ପରିସରରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ଯୋଗଦେଇ ଏକାମ୍ର ବିଧାୟକ ବାବୁ ସିଂ ଏଭଳି କହିଛନ୍ତି।
ବିଧାୟକ ଶ୍ରୀ ସିଂ କହିଲେ, ବର୍ତ୍ତମାନସମୟରେ ଯୁଆଡ଼େ ଚାହିଁଲେ କେବଳ ପ୍ଲାଷ୍ଟିକ୍ଦେଖିବାକୁ ମିଳୁଛି। କ୍ୟାନ୍ସର ଭଳି ମାରାତ୍ମକ ରୋଗ ବୃଦ୍ଧି ପାଉଛି। ଏଣୁ ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକ୍ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରିବା ଦରକାର। ଅନୁରୂପ ଭାବେ ଆସନ୍ତା ୧୦ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ବ୍ୟାଟେରିଚାଳିତ ଯାନବାହନ ବ୍ୟବହାର ତଥା ସୌରଶକ୍ତି ବ୍ୟବହାର ଦ୍ବାରା ପରିବେଶ ପ୍ରଦୂଷଣ ବହୁମାତ୍ରାରେ ହ୍ରାସ ପାଇବ ବୋଲି ବିଧାୟକ ପରାମର୍ଶ ଦେଇଥିଲେ। ସମ୍ବାଦ ପକ୍ଷରୁ ପରିବେଶ ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମ ସଭିଙ୍କୁ ଅନୁପ୍ରାଣିତ କରିଛି। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ। ମୁରଲୀ ମୋହନ ପାତ୍ର, ଦାମୋଦର ସାମନ୍ତରାୟ, ଅକ୍ଷୟ ଜେନା, ରାଜେନ୍ଦ୍ର ସମର୍ଥା, ରାମକୃଷ୍ଣ ପରିଡ଼ା, ଧୀରେନ ପଟ୍ଟନାୟକ, ସୁବାସ ବାରିକ, ନୀଳମଣି ମିଶ୍ର, ଦୀପ୍ତିପ୍ରସାଦ ନନ୍ଦ, ପ୍ରଶାନ୍ତ ପ୍ରଧାନ ପ୍ରମୁଖଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ମୁରବି ଯୋଗଦେଇ ପରିବେଶ ସୁରକ୍ଷା ସମ୍ପର୍କିତ ନିଜର ସୁଚିନ୍ତିତ ମତ ବ୍ୟକ୍ତ କରିଥିଲେ। ‘ସମ୍ବାଦ’ ପ୍ରତିନିଧି ଲିଙ୍ଗରାଜ ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପରିଷଦର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/30/untitled-23-2025-09-30-07-01-00.jpg)