ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଓ ଡ.ଦାଶ ଫାଉଣ୍ଡେସନ୍ ତରଫରୁ ଆୟୋଜିତ ଶ୍ରୀଜଗନ୍ନାଥ ଚେତନା ସମ୍ମିଳନୀ ଓ ପୁସ୍ତକ ଉନ୍ମୋଚନ ଉତ୍ସବ ଆଜି ସ୍ଥାନୀୟ ଇଡକଲ ଅଡିଟୋରିୟମ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ଦ ଗ୍ଲୋରି ଅଫ୍ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର’ ଓ ‘ଦ ଗ୍ଲୋବାଲ ଡିରେକ୍ଟୋରି ଅଫ୍ ଶ୍ରୀଜଗନ୍ନାଥ ଟେମ୍ପୁଲ’ ଲୋକାର୍ପିତ ହୋଇଛି। ଜ୍ଞାନପୀଠ ବିଜୟିନୀ ପ୍ରତିଭା ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଜଗନ୍ନାଥ ମୈତ୍ରୀ ହେଉଛି ମାନବୀୟ ସଂସ୍କୃତି। ମାତ୍ର ଆଜିକାଲି ମଣିଷ ଆଧ୍ୟାତ୍ମିକ ଚେତନାଠାରୁ ଦୂରେଇ ଯାଇଛି। ଏହାକୁ ଫେରାଇ ଆଣିବା ପାଇଁ ମନ୍ଦିର ଭିତରେ ପ୍ରେମ ଓ ଶାନ୍ତିର ବାତାବରଣ ରହିବା ଦରକାର। ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ, ମଣିଷ ଠାକୁରଙ୍କୁ ଗଢ଼ିଛି ନା ଠାକୁର ମଣିଷଙ୍କୁ ଗଢ଼ିଛନ୍ତି ଏନେଇ ଏବେ ବି ମନରେ ପ୍ରଶ୍ନବାଚୀ ରହିଛି। ଅନେକ ଦୁର୍ଜନ ଭାବୁଛନ୍ତି ସେମାନେ ଠାକୁରଙ୍କୁ ଗଢ଼ିଛନ୍ତି। ଯାହା ଏକ ବିଲକ୍ଷଣକୁ ସୂଚାଏ ବୋଲି ସେ କହିଥିଲେ।
ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଅଶୋକ କୁମାର ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ଭଗବାନଙ୍କ ଆଶୀର୍ବାଦ ବିନା କିଛି ସମ୍ଭବ ନୁହେଁ। ଜଗନ୍ନାଥ ସଂସ୍କୃତିର ମହିମା ଅବର୍ଣ୍ଣନୀୟ। ତେଣୁ ତାଙ୍କ ମହିମାର ପ୍ରଚାର ପ୍ରସାର ନକଲେ ଲୋକେ ଭୁଲିଯିବେ। ଅନ୍ୟମାନଙ୍କ ମଧ୍ୟରେ ଆମେରିକାର ‘ଦାଶ ଫାଉଣ୍ଡେସନ୍’ର ଅଧ୍ୟକ୍ଷ ଶୀତକଣ୍ଠ ଦାଶ, ଜଗନ୍ନାଥ ସଂସ୍କୃତି ପରିଷଦର ଉପଦେଷ୍ଟା ସୁବାସ ପାଣି ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପ୍ରଥମ ଅଧିବେଶନରେ ଓଡ଼ିଶାର ବିଭିନ୍ନ ମନ୍ଦିର ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ଚେତନା ସେବା ସମିତିର ପ୍ରତିନିଧି ତଥା ଚେତନା କେନ୍ଦ୍ର ପ୍ରତିନିଧିମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପୀନାଥ ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥବା ବେଳେ ଉପସଭାପତି ପୀତବାସ ରାଉତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମ୍ପାଦକ ଦେବେନ୍ଦ୍ର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।