ବହି ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କର: ମୁଖ୍ୟମନ୍ତ୍ରୀ

ଆରମ୍ଭ ହେଲା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’

ଭୁବନେଶ୍ବର: ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ଓଡ଼ିଆ ଏକ ସୁନ୍ଦର ଭାଷା। ଏହା ଶାସ୍ତ୍ରୀୟ ମାନ୍ୟତା ପାଇଛି। ଓଡ଼ିଆରେ ଅନେକ ପୁସ୍ତକ ରଚନା ହୋଇଛି। ପୁସ୍ତକଗୁଡ଼ିକର ଦେଶବିଦେଶରେ ପ୍ରଚାର ପ୍ରସାର ହେବା ଆବଶ୍ୟକ। ପିଲାମାନଙ୍କ ମଧ୍ୟରେ ବହି ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜଧାନୀ ପୁସ୍ତକ ମେଳା କମିଟି, ଏକାମ୍ର ପୁସ୍ତକ ମହୋତ୍ସବ କମିଟି ଓ ଓଡ଼ିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘ ସହଯୋଗରେ ଆୟୋଜିତ ଏହି ପୁସ୍ତକ ମେଳାରେ ସମ୍ମାନିତ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ କହିଲେ, ପୁସ୍ତକ ଜନଜୀବନ ଓ ସାମାଜିକ ପରିବର୍ତ୍ତନରେ ସହାୟକ ହୋଇଥାଏ। ମନରୁ ଅହଂ ଭାବ ପରିହାର କରିବା ପାଇଁ ପୁସ୍ତକ ଏକ ଶାଣିତ ଅସ୍ତ୍ର ଭାବେ କାମ କରିଥାଏ। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଲେ, ଆଜିର ଡିଜିଟାଲ ଯୁଗରେ ବି ମୁଦ୍ରିତ ପୁସ୍ତକର ସ୍ବତନ୍ତ୍ର ଚାହିଦା ରହିଛି। ବହି ପଢ଼ିବା ଦ୍ବାରା ପୃଥିବୀର ଭିନ୍ନ ଭିନ୍ନ କଥା ଘରେ ବସି ଜାଣି ହୁଏ। ଗୃହିଣୀ, କୃଷକ, ନୀତି ନିର୍ଦ୍ଧାରକ ଓ ଅବସରପ୍ରାପ୍ତ ବ୍ୟକ୍ତି, ସମସ୍ତଙ୍କ ପାଇଁ ପୁସ୍ତକର ଉପାଦେୟତା ରହିଛି। ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଉପସ୍ଥିତ ଥିଲେ। ବିଭାଗୀୟ ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାଶ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ଲେଖକ ସୁବାସ ନାୟକଙ୍କ ରଚିତ କବିତା ପୁସ୍ତକ ‘ପ୍ରିୟା’, ସ୍ୱଦେଶ ପଟ୍ଟନାୟକଙ୍କ ଲିଖିତ ଗଳ୍ପ ସଂକଳନ ‘ବୃତ୍ତାଙ୍କନ’, ଇତି ସାମନ୍ତଙ୍କ ଦ୍ୱାରା ସଂପାଦିତ ମାସିକ ପତ୍ରିକା ‘କାଦମ୍ବିନୀ’ ଓ ଶିଶୁ କିଶୋର ପତ୍ରିକା ‘କୁନିକଥା’ର ସଦ୍ୟତମ ସଂସ୍କରଣ ଉନ୍ମୋଚିତ ହୋଇଥିଲା। ସୂଚନା ଓ ଲୋକସଂପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ(କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅରିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁଙ୍କ ସମେତ ବିଭାଗର ବିଭିନ୍ନ ଶାଖାର ମୁଖ୍ୟ ଓ କର୍ମକର୍ତ୍ତା, ପୁସ୍ତକ ମେଳାର ପ୍ରକାଶକ, କର୍ମକର୍ତ୍ତା, ପାଠକ/ପାଠିକା ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

‘ଦେହ ଓ ମନ’ ପୁସ୍ତକ ଉନ୍ମୋଚିତ

‘ଆମ ଓଡ଼ିଶା’ ଷ୍ଟଲ୍‌ରେ ଡାକ୍ତର ନିତ୍ୟାନନ୍ଦ ସ୍ବାଇଁଙ୍କ ଲିଖିତ ତଥା ଆମ ଓଡ଼ିଶା ପ୍ରକାଶିତ ‘ଦେହ ଓ ମନ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ତଥା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୁରେନ୍ଦ୍ରନାଥ ଦାଶ, ଶ୍ରୀଜଗନ୍ନାଥ ମନ୍ଦିରର ପୂର୍ବତନ ଉପପ୍ରଶାସକ ତଥା ଗବେଷକ ଭାସ୍କର ମିଶ୍ର ଓ ଲେଖକ ମାୟାଧର ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପୁସ୍ତକରେ ୩୫ରୁ ଅଧିକ ଲେଖା ରହିଛି। ‘ଖାଦ୍ୟ ଓ ସ୍ବାସ୍ଥ୍ୟ’ ପରେ ଏହା ‘ଆମ ଓଡ଼ିଶା’ରୁ ପ୍ରକାଶିତ ତ‌ାଙ୍କର ଦ୍ବିତୀୟ ପୁସ୍ତକ। ମେଳାରେ ସ୍ବତନ୍ତ୍ର ରିହାତି ସହ ତାଙ୍କର ଏହି ପୁସ୍ତକ ଉପଲବ୍ଧ ହେଉଛି।

ଯୁବପିଢ଼ିଙ୍କ ଚାହିଦାରେ ଚେତନଙ୍କ ଉପନ୍ୟାସ

ପୁସ୍ତକ ମେଳାରେ ବହୁ ପ୍ରଖ୍ୟାତ ଉପନ୍ୟାସଙ୍କ ପୁସ୍ତକ ମାତ୍ର ୫୦ ଟଙ୍କାରେ ଉପଲବ୍ଧ ହେଉଛି। ହ୍ୟାରିପଟର୍‌ର ୭ଟିଯାକ ସଂସ୍କରଣ ଉପଲବ୍ଧ ଥିବା ବେଳେ ପ୍ରତିଟି ପୁସ୍ତକ ମାତ୍ର ୫୦ଟଙ୍କାରେ ମିଳୁଛି। ସେହିପରି ଯୁବପିଢ଼ିଙ୍କ ମଧ୍ୟରେ ଔପନ୍ୟାସିକ ଚେତନ ଭଗତଙ୍କ ଉପନ୍ୟାସଗୁଡ଼ିକର ସ୍ବତନ୍ତ୍ର ଚାହିଦା ରହିଛି। ଆଜି ପ୍ରଥମ ଦିନରେ ତାଙ୍କ ଲିଖିତ କିଛି ପୁସ୍ତକ ବିକ୍ରିବଟା ହୋଇଥିବା ଜଣାଯାଇଛି। ସେହିପରି ଡନ୍‌ ଡେଲିଲୋ, ସିଡ୍‌ନେ ସେଲ୍‌ଡୋନ୍‌ଙ୍କ ଭଳି ଅନ୍ତର୍ଜାତୀୟ ଲେଖକମାନଙ୍କ ପୁସ୍ତକ କୋଲକାତାରୁ ଆସିଥିବା ‘ରଏ ବୁକ୍‌ସ୍‌ ଡିଷ୍ଟିବ୍ୟୁଟର’ ଷ୍ଟଲ୍‌ରେ ମିଳୁଛି। ଏହାକୁ ମଧ୍ୟ କିଛି ପାଠକ କିଣୁଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର