ଭୁବନେଶ୍ବର: ବମିଖାଲ ଓଭରବ୍ରିଜ୍ର ପିଛା ଛାଡ଼ୁନି ବିବାଦ। ନିର୍ମାଣ ବେଳେ ଭୁଶୁଡ଼ି ଜଣଙ୍କର ଜୀବନ ଯିବାଠାରୁ ଆରମ୍ଭ କରି ବ୍ରିଜ୍ର ତ୍ରୁଟିପୂର୍ଣ୍ଣ ପ୍ଲାନିଂକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ପୁଳାପୁଳା ଅସନ୍ତୋଷ ଭରି ରହିଥିବା ବେଳେ ଏବେ ଏହାର ଦୁରବସ୍ଥା ପାଇଁ ଲୋକେ ଦହଗଞ୍ଜ ହେଉଛନ୍ତି। ଉପଯୁକ୍ତ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ‘ୱାଇ’ ଆକୃତିର ଏହି ବ୍ରିଜ୍ ପ୍ରତି ବିପଦ ସୃଷ୍ଟି ହେଲାଣି। ଗତ କିଛି ଦିନ ହେଲା ରାଜଧାନୀରେ ଭୀଷଣ ବର୍ଷା ଲାଗି ରହିଥିବା ବେଳେ ବ୍ରିଜ୍ ଉପରୁ ପାଣି ନିଷ୍କାସନ ହୋଇପାରୁନାହିଁ। ଆଣ୍ଠୁଏ ଉଚ୍ଚର ପାଣି ଜମି ରହି ଲହଡ଼ି ମାରୁଛି। ଫଳରେ ଗାଡ଼ି ଚାଳକଙ୍କୁ ହୀନସ୍ତା ହେବାକୁ ପଡ଼ୁଛି।
ସେହିପରି ଏହି ବ୍ରିଜ୍ ମଝିରେ ଦିଆଯାଇଥିବା ପ୍ଲାଷ୍ଟିକ୍ ଡିଭାଇଡର୍ଗୁଡ଼ିକ ଭାଙ୍ଗିରୁଜି ଗଲାଣି। ଦୁଇ ପାର୍ଶ୍ବ ଗାର୍ଡୱାଲ୍ରୁ ମଧ୍ୟ ରଙ୍ଗ ଛାଡ଼ି ଯାଇଛି। ଏହା ସାଙ୍ଗକୁ ବ୍ରିଜ୍ରେ ଲାଗିଥିବା ଅଧାରୁ ଅଧିକ ଷ୍ଟ୍ରିଟ୍ ଲାଇଟ୍ ନ ଜଳିବା ରାତିରେ ଯା’ଆସ କରୁଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଦୀର୍ଘ ଦିନ ଧରି ଏହି ସବୁ ସମସ୍ୟା ଲାଗି ରହିଥିଲେ ହେଁ ଏହା ଉପରେ ପୂର୍ତ୍ତ ବିଭାଗର ଦୃଷ୍ଟି ନ ପଡ଼ିବା ଲୋକଙ୍କୁ ବେଶି ବ୍ୟଥିତ କରୁଛି।
ସୂଚନା ଅନୁସାରେ, ପୂର୍ତ୍ତ ବିଭାଗ ଡିଭିଜନ୍-୪ ଅଧୀନରେ ଥିବା ଏହି ବ୍ରିଜ୍ର ଦୁଇପାର୍ଶ୍ବରେ ପାଣି ନିଷ୍କାସନ ପାଇଁ ଥିବା ଗାତଗୁଡ଼ିକୁ ନିୟମିତ ବ୍ୟବଧାନରେ ସଫା କରାଯାଉନି। ଫଳରେ ଧୂଳି ଓ ଜରି ଆଦି ଆବର୍ଜନା ସେହି ଗାତରେ ଜମା ହୋଇ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ। ଗତ କିଛି ଦିନ ହେବ ରାଜଧାନୀରେ ଭୀଷଣ ବର୍ଷା ଲାଗି ରହିଥିବା ବେଳେ ଏହି ବ୍ରିଜ୍ ଉପରେ ଦୀର୍ଘ ସମୟ ଧରି ଆଣ୍ଠୁଏ ଉଚ୍ଚର ବର୍ଷାଜଳ ଜମି ରହୁଛି। ଏପରି ସ୍ଥିତି ଲାଗି ରହିଲେ ରାସ୍ତା ଖରାପ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି।
ଲହଡ଼ି ମାରୁଛି ଆଣ୍ଠୁଏ ଉଚ୍ଚର ବର୍ଷାଜଳ
ଲାଇଟ୍ ଜଳୁନି, ଡିଭାଇଡର୍ ଭାଙ୍ଗିଗଲାଣି
କୋର୍ଟରେ ମାମଲା ଥିବାରୁ ମରାମତି କରାଯିବନି: ପୂର୍ତ୍ତ ବିଭାଗ
ବ୍ରିଜ୍ର ଠାଏଠାଏ ଅଂଶରୁ ଗୋଡ଼ି ଉଠି ଗଲାଣି। ଅପରପକ୍ଷେ ଦୁଇପାର୍ଶ୍ବ ଗାର୍ଡୱାଲର କଳାଧଳା ରଙ୍ଗ ଛାଡ଼ି ଯାଇଥିବାରୁ ରାତିରେ ଲୋକମାନଙ୍କୁ ଏହା ଠିକ୍ ଭାବେ ଦୃଶ୍ୟମାନ ହେଉନାହିଁ। ବ୍ରିଜ୍ରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ରୁ ଅଧାରୁ ଅଧିକ ଜଳୁ ନଥିବାରୁ ବିଭିନ୍ନ ସମୟରେ ଗାଡ଼ି ଚାଳକ ରାସ୍ତା ଦେଖି ନପାରି ଗାର୍ଡୱାଲରେ ପିଟି ହୋଇଯାଉଛନ୍ତି। ବ୍ରିଜ୍ର ମଝିରେ ସ୍ଥାୟୀ ଡିଭାଇଡର୍ ନଥିବାରୁ ପ୍ଲାଷ୍ଟିକ୍ ଡିଭାଇଡର୍ ଜରିଆରେ ରାସ୍ତାକୁ ଦୁଇ ଭାଗ କରାଯାଇଛି। କିନ୍ତୁ ଗାଡ଼ି ଧକ୍କାରେ ସେଗୁଡ଼ିକ ଭାଙ୍ଗି ଯାଇଥିବାରୁ ଗାଡ଼ିଗୁଡ଼ିକ ମନଇଚ୍ଛା ଯିବା ଆସିବା କରୁଛନ୍ତି। ବିଶେଷକରି ସହିଦନଗର-ରସୁଲଗଡ଼ ସଂଯୋଗସ୍ଥଳରେ ଅଧିକାଂଶ ସମୟରେ ଗାଡ଼ିଗୁଡ଼ିକ ମୁହାଁମୁହିଁ ହୋଇଯାଉଛନ୍ତି।
ଏନେଇ ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ନିର୍ମାଣାଧୀନ ସମୟରେ ବ୍ରିଜ୍ ଭୁଶୁଡ଼ି ପଡ଼ିବା ଘଟଣା ପରଠାରୁ ‘ପଣ୍ଡା କନଷ୍ଟ୍ରକସନ୍’ ନାଁରେ ଉଚ୍ଚନ୍ୟାୟାଳୟରେ ମାମଲା ଚାଲିଛି। ଯଦିଓ ଲୋକଙ୍କ ସ୍ବାର୍ଥରକ୍ଷା ପାଇଁ ବ୍ରିଜ୍କୁ କାର୍ଯ୍ୟକ୍ଷମ କରିଦିଆଗଲା, କିନ୍ତୁ ମାମଲା ନ ସରିବା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଏହାର ରକ୍ଷଣାବେକ୍ଷଣ ନ କରିବାକୁ ନିଷ୍ପତ୍ତି ହୋଇଛି। କୋର୍ଟରେ ମାମଲାର ବିଚାର ସରିବା ପରେ ତଦନୁଯାୟୀ ନିଷ୍ପତ୍ତି ନିଆଯିବ।