ଭୁବନେଶ୍ୱର: ୱାଲ୍ଡେନ୍ଉଡ୍ସ ଫାଉଣ୍ଡେସନ୍ ଦ୍ବାରା ସ୍ଥାପିତ ଇକୋ-ଭିଲେଜ୍ର ଆଭିମୁଖ୍ୟ ଓ ଆଗାମୀ କାର୍ଯ୍ୟକାରିତାକୁ ନେଇ ଏକ ଆଲୋଚନାଚକ୍ର ସ୍ଥାନୀୟ ହୋଟେଲ୍ ମେ’ ଫେୟାର୍ରେ ଅନୁଷ୍ଠିତ ହୋଇଯାଇଛି। ଇକୋ-ଭିଲେଜ୍ର ମୁଖ୍ୟ ପରାମର୍ଶଦାତା କୃଷ୍ଣଚନ୍ଦ୍ର ଆଇଚଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ରାମକୃଷ୍ଣ ଦାଶ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଓ ଧ୍ୱଂସାଭିମୁଖୀ ପରିବେଶରୁ ରକ୍ଷା ପାଇବା ପାଇଁ ଇକୋ ଭିଲେଜ୍ ପ୍ରତିଷ୍ଠା କରିବା ଦରକାର।
ଗ୍ରାମାଞ୍ଚଳର କିଭଳି ସାମଗ୍ରିକ ବିକାଶ ହୋଇପାରିବ, ସେଥିପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ କରିବାକୁ ସେ ଆହ୍ବାନ ଦେଇଥିଲେ। ରାଜ୍ୟ ପର୍ଯ୍ୟଟନ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦେଶକ ଉତ୍ପଳ ପତି, ସୁଦର୍ଶନ ପଣ୍ଡା, ନିରଜଂନ ପଣ୍ଡା, ବିକାଶ ଦାସ, ଇକେ ପାତ୍ର, ଅନିଲ ଅଗ୍ରୱାଲ, ସଂଘମିତ୍ରା ଜେନା, ପୁଷ୍ପାଞ୍ଜଳି ସେନାପତି, ସୁରେଶ ବର୍ମା, ନିରଜଂନ ସ୍ୱାଇଁ, ବିଶାଲ ସୁବୁଦ୍ଧି, ଶିବଦତ୍ତ ସୁବୁଦ୍ଧି, ପଙ୍କଜ ଗୁପ୍ତା, ସୁଧାଂଶୁ ମହାନ୍ତି, ନବନୀତ ଶାହ ଓ ବହୁ ପରିବେଶପ୍ରେମୀ ଏଥିରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପ୍ରଫେସର୍ ଅଶୋକ ପଣ୍ଡା ଧନ୍ୟବାଦ ଦେଇଥିଲେ। ନିରନ୍ତର ବିକାଶ ସହ ଗ୍ରାମୀଣ ସଶକ୍ତୀକରଣ ଓ ସହରାଞ୍ଚଳକୁ ପଳାୟନ ଧାରାକୁ ବିପରୀତ ଦିଗକୁ ମୋଡ଼ିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଫାଉଣ୍ଡେସନ୍ ଗ୍ରାମାଞ୍ଚଳରେ ସ୍ମାର୍ଟ ଇକୋ ଭିଲେଜ୍ (ପର୍ଯ୍ୟଟନ ମଡେଲ୍) ସୃଷ୍ଟି କରି ଗ୍ରାମୀଣ ଉନ୍ନତି କରୁଛି। ବର୍ତ୍ତମାନ ଢ଼େଙ୍କାନାଳ ଜିଲ୍ଲା କଣ୍ଟାମାଳିଆଠାରେ ଏକ ଇକୋ-ଭିଲେଜ୍ ସ୍ଥାପନ କରାଯାଇଛି।